ମୌସୁମୀ ଛୁଇଁବା ପରେ ତାତିରୁ ମିଳିଲା ତ୍ରାହି, ବିଭିନ୍ନ ସ୍ଥାନରେ ବର୍ଷା
ଓଡ଼ିଶାରେ ମୌସୁମୀ ଛୁଇଁବା ପରେ ବିଭିନ୍ନ ଅଞ୍ଚଳରେ ଜାରି ରହିଛି ବର୍ଷା । ବିଶେଷ ଭାବେ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ବର୍ଷା ହୋଇଛି । ବର୍ଷା ହେବା ଫଳରେ ରାଜ୍ୟବାସୀଙ୍କୁ ତାତିରୁ ଆସ୍ୱସ୍ଥି ମିଳିଛି ।
ଭୁବନେଶ୍ୱର: ଓଡିଶା ଛୁଇଁଛି ମୌସୁମୀ । ଓଡ଼ିଶାରେ ମୌସୁମୀ ଛୁଇଁବା ପରେ ବିଭିନ୍ନ ଅଞ୍ଚଳରେ ଜାରି ରହିଛି ବର୍ଷା । ବିଶେଷ ଭାବେ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ବର୍ଷା ହୋଇଛି । ବର୍ଷା ହେବା ଫଳରେ ରାଜ୍ୟବାସୀଙ୍କୁ ତାତିରୁ ଆସ୍ୱସ୍ଥି ମିଳିଛି ।

ତେବେ ଗକତାଲି (ଗୁରୁବାର)ଠୁ ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ ହୋଇଯାଇଛି । ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଲାରେ ବର୍ଷା ହୋଇଥିବା ନେଇ ଖବର ରହିଛି । ସେହିପରି ଆଜି ଉପକୁଳ ଓଡିଶାର କିଛି ସ୍ଥାନରେ ମଧ୍ୟ ବର୍ଷା ହୋଇଛି । ତେବେ ଆସନ୍ତା ସପ୍ତାହ ସୁଦ୍ଧା ସଂପୂର୍ଣ୍ଣ ଓଡ଼ିଶାକୁ ମୌସୁମୀ ଛୁଇଁବାର ସମ୍ଭାବନା ରହିଛି ।
ଆଇଏମ୍ଡି ଆକଳନ କରିଛି, ପାଗ ଅନୁକୂଳ ଥିବାରୁ ଆସନ୍ତା ୨-୩ ଦିନ ଭିତରେ ରାଜ୍ୟର ଆଉ କିଛି ଅଞ୍ଚଳକୁ ମାଡ଼ିପାରେ ମୌସୁମୀ । ବିଶେଷ କରି ଦକ୍ଷିଣ ଓଡ଼ିଶା ଓ ପାଶ୍ୱର୍ବର୍ତ୍ତୀ ଜିଲ୍ଲାଗୁଡ଼ିକୁ ମୌସୁମୀ ଆଗେଇବ । ବହୁପ୍ରତୀକ୍ଷିତ ମୌସୁମୀ ଏଥର ବିଳମ୍ବରେ ଓଡ଼ିଶା ଆସିଛି ।ତାତିରୁ କିଛି ମାତ୍ରାରେ ମଧ୍ୟ ଆଶ୍ୱସ୍ତି ମିଳିଛି । ରାଜ୍ୟତମାମ ତାପମାତ୍ରା ୩୯ ଡିଗ୍ରୀ ତଳେ ରହିଛି । ମାଲକାନଗିରି ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ୍ ଥିବାବେଳେ କୋରାପୁଟ ୩୩.୫, ନବରଙ୍ଗପୁରରେ ୩୨ ଡିଗ୍ରୀ ରେକର୍ଡ ହୋଇଛି ।
ସେପଟେ ଆସନ୍ତା ୨୦ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଲଘୁଚାପ ସୃଷ୍ଟି ହେଲେ ତାହା ମୌସୁମୀକୁ ବାଟ କଢ଼ାଇ ସାରା ଓଡ଼ିଶାରେ ସକ୍ରିୟ କରାଇବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ୨୨ଟି ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହା ସହ ୫ଟି ଜିଲ୍ଲା ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, କେନ୍ଦୁଝର ଏବଂ ଯାଜପୁରରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ସତର୍କତା ଜାରି କରାଯାଇଛି ।












Click it and Unblock the Notifications