ଲଘୁଚାପର ରୂପ ନେଲା ଘୂର୍ଣ୍ଣିବଳୟ : ଆଗାମୀ ୩ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ
ବଙ୍ଗୋସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଗତକାଲି ଲଘୁଚାପର ରୂପ ନେଇଛି । ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ଆକଳନ ହୋଇଛି । ଲଘୁଚାପ ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆକଳନ କରାଯାଇଛି । ଆଗାମୀ ୩ ଦିନ ପର୍ଯ୍ୟନ୍ତ ଲଘୁଚାପ ଜନିତ ବର୍ଷା ବିଭିନ୍ନ ସ୍ଥାନରେ ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।
ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଅନ୍ୟପଟେ ରାଜ୍ୟରେ ଲଘୁଚାପର ସକ୍ରିୟାତ ଅଭାବ ଓ ବାୟୁରେ ଆର୍ଦ୍ରତା ବୃଦ୍ଧି ଯୋଗୁ ବଢୁଛି ସକାଳ ସମୟରେ ଗୁଳୁଗୁଳି ଓ ଅପରାହ୍ନରେ ହେଉଛି ପ୍ରବଳ ବର୍ଷା ।
ଆଜି ୧୬ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି,ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ, ସୁନ୍ଦରଗଡ଼, ଝାରସୁଗୁଡା, ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ସେଥିପାଇଁ ଏହି ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେହିପରି ଆସନ୍ତା ୭ ତାରିଖରେ ରାଜ୍ୟର ୧୩ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ତେବେ ୮ ତାରିଖ ଦିନ ବର୍ଷା ପରିମାଣରେ ହ୍ରାସ ଦେଖାଦେବ । ୮ ତାରିଖରେ ପାଣିପାଗ କେନ୍ଦ୍ର ୭ଟି ଜିଲ୍ଲାକୁ ପ୍ରବଳ ବର୍ଷା ସତର୍କ ସୂଚନା ପ୍ରଦାନ କରିଥିବା ବେଳେ ୯ ତାରିଖ ପରେ ପାଗରେ ସାମାନ୍ୟ ପରିବର୍ତ୍ତନ ଘଟିବ ବୋଲ ପୂର୍ବାନୁମାନ କରାଯାଇଛି ।
ଏଥିସହ ୧ ଜୁନଠାରୁ ୫ ସେପ୍ଟେମ୍ବର ପର୍ଯ୍ୟନ୍ତ ୮୩୧.୧ ମିମି ବର୍ଷା ରେକର୍ଡ କରାଯାଇଛି ଏହାର ସ୍ବାଭାବିକ ପରିମାଣ ରହିଛି ୯୬୩.୧ ମିମି ରହିଛି । ବର୍ତ୍ତମାନ ୧୦ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଥିବା ବେଳେ ୨୦ ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି । ତେବେ ଏହି ଲଘୁଚାପ ସାମାନ୍ୟ ନିଅଣ୍ଟିଆ ଭରଣା କରିପାରେ ବୋଲି ଆଶା କରାଯାଉଛି ।












Click it and Unblock the Notifications