ପୋଲିସ SI ପରୀକ୍ଷାରେ ୨୯ କୋଟିର ଡିଲ୍; ୧୧୭ ପରୀକ୍ଷାର୍ଥୀଙ୍କ ସହ ୨ ଦଲାଲ ଗିରଫ
ପୋଲିସ SI ପରୀକ୍ଷା ଜାଲିଆତିରେ ବଡ଼ କାର୍ଯ୍ୟାନୁଷ୍ଠାନ । ୧୧୭ ପରୀକ୍ଷାର୍ଥୀଙ୍କ ସହ ୨ ଦଲାଲଙ୍କୁ ଗିରଫ କଲା ବ୍ରହ୍ମପୁର ପୋଲିସ। ରାତି ସାରା କ୍ରାଇମବ୍ରାଞ୍ଚ ଓ ବ୍ରହ୍ମପୁର ପୋଲିସର ଜେରା ପରେ ୧୧୯ ଗିରଫ। ଗିରଫ ୧୧୯ ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯିବ।
ପରୀକ୍ଷାରେ ଜାଲିଆତି ପାଇଁ ହାଇଦ୍ରାବାଦ ଯିବାବେଳେ ୧୧୯ ଜଣ ଧରାପଡ଼ିଥିଲେ । ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମରେ ଧରିଥିଲା ବ୍ରହ୍ମପୁର ପୋଲିସ ।

ସୂଚନା ଅନୁଯାୟୀ ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ(ଓପିଆର୍ବି) ପକ୍ଷରୁ ପୁଲିସ ଏସ୍ଆଇ ସମେତ ପୁଲିସ ଏସ୍ଆଇ(ଆର୍ମଡ), ଅଗ୍ନିଶମ ଷ୍ଟେସନ ଅଫିସର, ସହକାରୀ ଜେଲର୍ ପାଇଁ ଯୁଗ୍ମ ପୁଲିସ ସେବା ପରୀକ୍ଷା(ସିପିଏସ୍ଇ-୨୦୨୪)ରେ ମୋଟ ୧ ଲକ୍ଷ ୫୩ ହଜାର ୫୦୦ ପ୍ରାର୍ଥୀ ଆବେଦନ କରିଥିଲେ। ୯୩୩ ପଦବି ପୂରଣ ପାଇଁ ଏହି ପରୀକ୍ଷା ଓପିଆର୍ବି ପକ୍ଷରୁ କରାଯାଇଥାନ୍ତା। ଅକ୍ଟୋବର ୫ ଓ ୬ ତାରିଖରେ ହେବାକୁ ଥିବା ପରୀକ୍ଷାରେ କେବଳ ପୁଲିସ ଏସ୍ଆଇ ପଦବି ପାଇଁ ୬୦୦ ପାଖାପାଖି ପ୍ରାର୍ଥୀ ଆବେଦନ କରିଥିଲେ। ସେମାନଙ୍କୁ ଆନ୍ଧ୍ରପ୍ରଦେଶର ଏକ ସଂସ୍ଥା ବସ୍ ଯୋଗେ ସୋମବାର ପ୍ରଶ୍ନପତ୍ର ଯୋଗାଇବାକୁ ନେଉଥିବା ସଂକ୍ରାନ୍ତରେ ଏକ ଗୁଇନ୍ଦା ସୂଚନା ଓପିଆର୍ବିର ହସ୍ତଗତ ହୋଇଥିଲା। ଏହି ସୂଚନା ଆଧାରରେ ସୋମବାର ସନ୍ଧ୍ୟାରେ କାରାଗାର ଡିଜି ତଥା ଓପିଆର୍ବି ଅଧ୍ୟକ୍ଷ ସୁଶାନ୍ତ କୁମାର ନାଥଙ୍କ ଅଧ୍ୟକ୍ଷତାରେ ଏକ ତିନି ଜଣିଆ ବୋର୍ଡ ବସିଥିଲା। ମଙ୍ଗଳବାର ଦିନ ପୁଣି ଥରେ ବୋର୍ଡ ବୈଠକରେ ଆଲୋଚନା କରାଯାଇ ପରୀକ୍ଷାକୁ ବାତିଲ କରାଯାଇଛି। ଅଧ୍ୟକ୍ଷଙ୍କ ପକ୍ଷରୁ ଏ ସଂପର୍କିତ ସଂପୂର୍ଣ୍ଣ ତଥ୍ୟ କ୍ରାଇମବ୍ରାଞ୍ଚ ନିକଟରେ ଦାଖଲ କରାଯାଇଛି। ଯେଉଁ ସୂତ୍ରରୁ ଏ ପ୍ରକାର ତଥ୍ୟ ହସ୍ତଗତ ହୋଇଥିଲା, ସେ ସମ୍ପର୍କିତ ତଥ୍ୟ ଏବଂ ଯୋଗାଯୋଗ ନମ୍ବର କ୍ରାଇମବ୍ରାଞ୍ଚରେ ଦାଖଲ କରାଯାଇଛି ।
ଭବିଷ୍ୟତରେ ଯେଭଳି ଏ ପ୍ରକାର ଘଟଣାର ପୁନରାବୃତ୍ତି ନହୁଏ ସେଥିପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କ୍ରାଇମବ୍ରାଞ୍ଚକୁ ଅନୁରୋଧ କରାଯାଇଛି । ଏହା ସହିତ ବିଭାଗରେ ବି ଯଦି କେହି ସମ୍ପୃକ୍ତ ଅଛନ୍ତି, ତାଙ୍କ ବିରୋଧରେ ମଧ୍ୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କ୍ରାଇମବ୍ରାଞ୍ଚକୁ ଜଣାଇ ଦିଆଯାଇଛି । ପରୀକ୍ଷା ପରିଚାଳନାରେ ଯେଭଳି କୌଣସି ପ୍ରକାର ତ୍ରୁଟି ନ ରୁହେ ସେଥିପାଇଁ ଓପିଆର୍ବି ପକ୍ଷରୁ ସମସ୍ତ ଏସ୍ପିଙ୍କ ସହିତ ତିନି ଥର ବୈଠକ ବସିଥିଲା। ଏହାସତ୍ତ୍ବେ ଆନ୍ଧ୍ରପ୍ରଦେଶ ସଂସ୍ଥା ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଯୋଗାଇବାକୁ କହି ପ୍ରାର୍ଥୀଙ୍କୁ ନେଇଥିବା ଘଟଣା ଏବେ ଚିନ୍ତାର କାରଣ ହୋଇଛି।
ପୁଲିସ ଡିଜି ଵାଇ.ବି. ଖୁରାନିଆଙ୍କ କହିବା ଅନୁଯାୟୀ, ପୁଲିସ ଏସ୍ଆଇ ପରୀକ୍ଷାକୁ ନେଇ ଆସିଥିବା ଅଭିଯୋଗର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ପୂରା ଘଟଣା ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ସଂପୂର୍ଣ୍ଣ ଘଟଣାର ପର୍ଦ୍ଦାଫାସ ପାଇଁ ତ୍ବରାନ୍ବିତ ଭିତ୍ତିରେ ପଦକ୍ଷେପ ନିଆଯାଉଛି ।
ଅନ୍ୟପଟେ ଘଟଣା ପ୍ରଘଟ ହେବା ପରେ ପୁଲିସ ନିଯୁକ୍ତି ବୋର୍ଡ ପରୀକ୍ଷାକୁ ବାତିଲ କରିବା ସହ ସୂଚନା ଓ ଅଭିଯୋଗ ପାଇଁ ଏକ ହେଲ୍ପଲାଇନ୍ ନମ୍ବର (୯୦୪୦୪ ୯୩୨୨୩) ଜାରି କରିଛି। ଯଦି କେହି କିଛି ଅଭିଯୋଗ କରିବାକୁ ଚାହୁଁଛନ୍ତି, ସେମାନେ ଏହି ନମ୍ୱରରେ ଯୋଗାଯୋଗ କରିପାରିବେ। ସେମାନଙ୍କ ତଥ୍ୟ ଗୋପନ ରଖାଯିବ ବୋଲି କୁହାଯାଇଛି।












Click it and Unblock the Notifications