ଧାମନଗର ଉପନିର୍ବାଚନ: ଶୃଙ୍ଖଳିତ ଭୋଟ ଗ୍ରହଣ ନେଇ ପୋଲିସ ଡିଜିଙ୍କ ସମୀକ୍ଷା, ଇଭିଏମ୍ ଉପରେ ନଜର ରଖିବ ସିସିଟିଭି
ଧାମନଗର ଉପନିର୍ବାଚନ ନେଇ ସମୀକ୍ଷା କରିଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ । ଉପନିର୍ବାଚନ ପାଇଁ ପୋଲିସ ପକ୍ଷରୁ କ’ଣ ସବୁ ପଦକ୍ଷେପ ନିଆଯାଇଛି ସେ ନେଇ ଡିଜିପି ବିସ୍ତୁତ ଭାବେ ରାଜ୍ୟ ପୋଲିସର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି ।
ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ନେଇ ସମୀକ୍ଷା କରିଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ । ଉପନିର୍ବାଚନ ପାଇଁ ପୋଲିସ ପକ୍ଷରୁ କ'ଣ ସବୁ ପଦକ୍ଷେପ ନିଆଯାଇଛି ସେ ନେଇ ଡିଜିପି ବିସ୍ତୁତ ଭାବେ ରାଜ୍ୟ ପୋଲିସର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି । ବୈଠକରେ ଅବାଧ ଓ ମୁକ୍ତ ନିର୍ବାଚନ କରିବା ନେଇ ଆଲୋଚନା ହୋଇଥିଲା। ବୈଠକରେ ଏଡିଜି, ଆଇଜି, ଡିଆଇଜି ଓ ଭଦ୍ରକ ଏସପି ଉପସ୍ଥିତ ଥିଲେ ।

ଇସିଆଇଙ୍କ ଗାଇଡଲାଇନ ଅନୁପାଳନକୁ ଗୁରୁତ୍ୱ ଦେବାକୁ କୁହାଯାଇଛି । ସ୍ବଚ୍ଛ ଓ ନିରପେକ୍ଷ ଭୋଟ ଗ୍ରହଣ ଓ ଆଦର୍ଶ ଆଚରଣ ବିଧି କାର୍ଯ୍ଯକାରୀ ଉପରେ ଗୁରୁତ୍ୱାରୋପ କରାଯାଇଛି । ଉପ ନିର୍ବାଚନରେ ୪ ପ୍ଲାଟୁନ ସିଆରପିଏଫ୍ ମୁତୟନ ହେବ । ଏହାସହ ୨୦ପ୍ଲାଟୁନ ଫୋର୍ସ, ୪୬ ମୋବାଇଲ ପାଟ୍ରୋଲିଂ ୟୁନିଟ ମୁତୟନ ହେବେ । ବର୍ତ୍ତମାନ ସୁଦ୍ଧା ୮୩ ଅବକାରୀ ମାମଲା ରୁଜୁ ସହ ୧ ହଜାର ୩୫ ଲିଟର ମଦ ଜବତ କରିଛି ପୋଲିସ । ପୋଲିସ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ମଜବୁତ କରିବା ପାଇଁ ପଦକ୍ଷେପ ନେଇଛି। ସେଥିପାଇଁ ଷ୍ଟ୍ରଙ୍ଗରୁମରେ ସିସିଟିଭି ବ୍ୟବସ୍ଥା କରାଯାଇ ଇଭିଏମ୍ ଉପରେ କଡାକଡି ଭାବେ ନଜର ରଖାଯିବ। ବୈଠକରେ ପୁଲିସ ଡିଜିଙ୍କ ସମେତ ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶକ ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ।
ଉଲ୍ଲେଖଥାଉ କି, ଭଦ୍ରକ ଜିଲ୍ଲା ଧାମନଗର ଉପନିର୍ବାଚନ ପାଇଁ ଆସନ୍ତା ୩ ତାରିଖରେ ମତଦାନ ହେବ । ସେହିପରି ୬ ତାରିଖରେ ଭୋଟ୍ ଗଣିତି ହେବ ।












Click it and Unblock the Notifications