ବେକାରୀ ସମସ୍ୟା ନିୟନ୍ତ୍ରଣରେ ଶ୍ରେଷ୍ଠ ୪ ରାଜ୍ୟ ମଧ୍ୟରେ ଓଡ଼ିଶା
ମେ ମାସରେ ପ୍ରକାଶ ପାଇଥିବା ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ ଇକୋନୋମି(ସିଏମଆଇଇ)ର ତଥ୍ୟ ଅନୁଯାୟୀ ଦେଶରେ ବେକାରୀ ହାର ୭.୧୨ ରହିଛି । ଯେଉଁଠି ଓଡ଼ିଶାରେ ବେକାରୀ ହାର ମାତ୍ର ତାହା ୨.୬ ପ୍ରତିଶତ ରହିଛି ।
ଭୁବନେଶ୍ୱର: ଦେଶରେ ଏବେ ବେକାରୀ ଏକ ପ୍ରମୁଖ ସମସ୍ୟା ପାଲଟିଛି । ନିଯୁକ୍ତି ପ୍ରଦାନ ତଥା ବେକାରୀ ସମସ୍ୟା ନିୟନ୍ତ୍ରଣ କେନ୍ଦ୍ର ସରକାରଙ୍କ ପାଇଁ ଏକ ଆହ୍ବାନ ହୋଇଛି । ମାତ୍ର ଏହି ସମୟରେ ଓଡିଶା ବେକାରୀ ସମସ୍ୟା ନିୟନ୍ତ୍ରଣରେ ଅନନ୍ୟ ଉଦାହରଣ ପାଲଟିଛି ।

ମେ ମାସରେ ପ୍ରକାଶ ପାଇଥିବା ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ ଇକୋନୋମି(ସିଏମଆଇଇ)ର ତଥ୍ୟ ଅନୁଯାୟୀ ଦେଶରେ ବେକାରୀ ହାର ୭.୧୨ ରହିଛି । ଯେଉଁଠି ଓଡ଼ିଶାରେ ବେକାରୀ ହାର ମାତ୍ର ତାହା ୨.୬ ପ୍ରତିଶତ ରହିଛି ଏବଂ ଏହି ତାଲିକାରେ ଦେଶବ୍ୟାପୀ ଶ୍ରେଷ୍ଠ ୪ ରାଜ୍ୟ ମଧ୍ୟରେ ରହିଛି ଓଡିଶା ।
ତେବେ କେବଳ ମେ ମାସ ନୁହେଁ ବରଂ ଚଳିତ ବର୍ଷ ଆରମ୍ଭରୁ ଯଦି ସିଏମଆଇଇ ର ରିପୋର୍ଟକୁ ଅନୁଧ୍ଯାନ କରିବା ତେବେ ଅନ୍ୟ ରାଜ୍ୟ ତୁଳନାରେ ଓଡିଶା ଯଥେଷ୍ଟ ଭଲ ସ୍ଥିତିରେ ରହିଛି । ଯାହାକି ଅନ୍ୟ ରାଜ୍ଯ ପାଇଁ ସୃଷ୍ଟି କରିଛି ଉଦାହରଣ । ରାଜ୍ୟ ସରକାର ଯୁବକ ଯୁବତୀଙ୍କ ଦକ୍ଷତା ବିକାଶ, ନିଯୁକ୍ତି ପ୍ରଦାନକୁ ସର୍ବାଧିକ ପ୍ରାଧାନ୍ୟ ଦେଇଥିବା ବେଳେ, ଏହା କାର୍ଯ୍ୟକ୍ଷେତ୍ରରେ ପ୍ରତିଫଳିତ ହୋଇଛି । ରାଜ୍ୟରେ ଦକ୍ଷତା ବିକାଶ, ସମନ୍ବିତ କୃଷି ଓ ମିଶନ ଶକ୍ତି ସଫଳତା ଆଣିଛି ।

ଉଲ୍ଲେଖଯୋଗ୍ୟ ଯେ ଗତ ଜାନୁଆରୀ ମାସରେ ଓଡ଼ିଶାରେ ବେକାରୀ ହାର ୧.୮ ପ୍ରତିଶତ ରହିଥିବା ବେଳେ ଏହା ସର୍ବନିମ୍ନ ବେକାରୀ ହାର ରାଜ୍ୟ ତାଲିକାରେ ଶ୍ରେଷ୍ଠ ୩ ମଧ୍ୟରେ ରହିଥିଲା। ସେହିପରି ଫେବ୍ରୁଆରୀ ମାସରେ ଓଡ଼ିଶାର ବେକାରୀ ହାର ୧.୦ ପ୍ରତିଶତ ଥିବାବେଳେ ବେକାରୀ ନିୟନ୍ତ୍ରଣରେ ଏହା ଦେଶରେ ସର୍ବଶ୍ରେଷ୍ଠ ବିବେଚିତ ହୋଇଥିଲା । ମାର୍ଚ୍ଚ ମାସରେ ଓଡ଼ିଶାର ବେକାରୀ ହାର ସାମାନ୍ୟ ବୃଦ୍ଧି ପାଇ ୯.୭ ପ୍ରତିଶତରେ ପହଞ୍ଚିଥିଲେ ମଧ୍ୟ ଏପ୍ରିଲ ମାସରେ ଓଡ଼ିଶା ପୁଣି ଟ୍ରାକ୍କୁ ଫେରିଥିଲା। ଏପ୍ରିଲ ମାସରେ ଓଡ଼ିଶାରେ ବେକାରୀ ହାର ୧.୫ ପ୍ରତିଶତ ରହିଥିବା ବେଳେ ଏହା ଶ୍ରେଷ୍ଠ ୪ ରାଜ୍ୟ ମଧ୍ୟରେ ରହିଥିଲା ।

ଓଡ଼ିଶାର ବେକାରୀ ହାର ନିୟନ୍ତ୍ରଣରେ ରହିବାର ଅନେକ କାରଣ ରହିଥିବା ବିଶେଷଜ୍ଞମାନେ ଦର୍ଶାଇଛନ୍ତି। ରାଜ୍ୟ ସରକାର ଯୁବବର୍ଗଙ୍କୁ ସମନ୍ୱିତ କୃଷି କ୍ଷେତ୍ରକୁ ଆକୃଷ୍ଟ କରିବା ପାଇଁ ବହୁବିଧ ଯୋଜନାମାନ ପ୍ରଣୟନ କରିଛନ୍ତି । ଯାହା ଯୁବବର୍ଗଙ୍କୁ ଅଧିକ ସୁହାଉଛି । ସେହିପରି ମିଶନ ଶକ୍ତି ସହାୟତାରେ ମହିଳାଙ୍କୁ ଆତ୍ମନିର୍ଭର କରିବା ସହ ମନରେଗା ପରି କେନ୍ଦ୍ରୀୟ ଯୋଜନାର ସର୍ବାଧିକ ସଫଳ ଉପଯୋଗ, ଶିକ୍ଷିତ ଯୁବକ ଯୁବତୀଙ୍କ ଦକ୍ଷତା ବିକାଶ ଏବଂ ତାଲିମ ଉପରେ ରାଜ୍ୟ ସରକାର ଗୁରୁତ୍ୱାରୋପ କରୁଛନ୍ତି । ଯାହାଫଳରେ ଯୁବକ ଯୁବତୀମାନେ ପୂର୍ବାପେକ୍ଷା ଅଧିକ ଆତ୍ମନିର୍ଭର ହୋଇ ପାରିଛନ୍ତି ।












Click it and Unblock the Notifications