ପଞ୍ଚାୟତ ଫଳାଫଳ: ୫୫୩ ଆସନ ଜିତି ସାରିଲାଣି ବିଜେଡି, ମିଶିକି ଶହେ ଟପି ପାରିଲେନି ବିଜେପି-କଂଗ୍ରେସ
ରିପୋର୍ଟ ଲେଖାଯିବା ସୁଦ୍ଧା ପ୍ରଥମ ଦୁଇ ଦିନ ଗଣତି ୬୨୦ ଜିଲ୍ଲା ପରିଷଦ ଆସନର ଫଳାଫଳରେ ୫୫୩ ଆସନ ଅକ୍ତିଆର କରିଛି ବିଜେଡ଼ି ।
ଭୁବନେଶ୍ୱର: ଜାରି ରହିଛି ଚଳିତ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ୍ ଗଣତି ପ୍ରକ୍ରିୟା । ଆଜି ଗଣତିର ଶେଷ ଦିନ ହୋଇଥିବା ବେଳେ ଫଳାଫଳ ଆସି ସାରିଥିବା ଆସନରେ ବହୁ ଆଗରେ ରହିଛି ବିଜେଡି । ରିପୋର୍ଟ ଲେଖାଯିବା ସୁଦ୍ଧା ପ୍ରଥମ ଦୁଇ ଦିନ ଗଣତି ୬୨୦ ଜିଲ୍ଲା ପରିଷଦ ଆସନର ଫଳାଫଳରେ ୫୫୩ ଆସନ ଅକ୍ତିଆର କରିଛି ବିଜେଡ଼ି ।
ଯେତେବେଳେ କି ରାଜ୍ୟ ଦୁଇ ପ୍ରମୁଖ ବିରୋଧି ଦଳ ବିଜେପି ଓ କଂଗ୍ରେସର ଆସନ ସଂଖ୍ୟା ମିଶିକରି ମଧ୍ୟ ଶହେ ଅତିକ୍ରମ କରି ପାରି ନାହିଁ । ଫଳାଫଳ ଆସିଥିବା ୬୨୦ ଜିଲ୍ଲା ପରିଷଦ ଆସନରୁ ବିଜେପିକୁ ମାତ୍ର ୩୧ ସିଟ୍ ମିଳିଥିବା ବେଳେ କଂଗ୍ରେସ ଖାତାକୁ ଯାଇଛି ୩୦ଟି ସିଟ୍ । ସେହିପରି ସ୍ୱାଧୀନ ଓ ଅନ୍ୟାନ୍ୟ ଦଳ ଜିତି ପାରିଛନ୍ତି ୬ଟି ଜିଲ୍ଲା ପରିଷଦ ଆସନ ।
ସେପଟେ ଆଜି ତୃତୀୟ ଦିନରେ ୨୩୧ଟି ଜିଲ୍ଲା ପରିଷଦ ଜୋନ୍ରେ ଗଣତି ଚାଲିଛି। ସେଥିରୁ ୨୧୦ଟିରେ ବିଜେଡି ଆଗୁଆ ରହିଛି। ସେହିପରି ବିଜେପି ୧୫ ଓ କଂଗ୍ରେସ ୬ଟି ଆସନରେ ଆଗୁଆ ରହିଛନ୍ତି।
ରବିବାର ଦ୍ୱିତୀୟ ଦିନରେ ୩୦୫ଟି ଜିଲ୍ଲା ପରିଷଦ ଜୋନ୍ର ଭୋଟ୍ ଗଣତି ଆରମ୍ଭ ହୋଇଥିଲା, ଯାହା ଆଜି ସନ୍ଧ୍ୟାରେ ଶେଷ ହୋଇଛି। ଏହି ୩୦୫ଟି ଆସନରୁ ବିଜେଡି ୨୬୦ଟିରେ ବିଜୟୀ ହୋଇଥିବା ବେଳେ ବିଜେପି ଓ କଂଗ୍ରେସ ୧୬ଟି ଲେଖାଏଁ ଆସନ ଜିତିଛନ୍ତି। ସେହିପରି ଜଣେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ଅନ୍ୟାନ୍ୟ ଦଳ ହାତକୁ ଯାଇଛି ୨ଟି ଆସନ।
ଅନ୍ୟପକ୍ଷରେ ଶନିବାର ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଜୋନ୍ର ଭୋଟ୍ ଗଣତି କରାଯାଇଥିବା ବେଳେ ବିଜେଡି ୨୮୨ଟିରେ ବିଜୟୀ ହୋଇଥିଲା। ବିଜେପି ଓ କଂଗ୍ରେସକୁ ଏହି ପର୍ଯ୍ୟାୟରେ ଯଥାକ୍ରମେ ୧୫ ଓ ୧୪ଟି ଆସନ ମିଳିଥିଲା। ସେହିପରି ଅନ୍ୟାନ୍ୟ ପ୍ରାର୍ଥୀଙ୍କୁ ୪ଟି ଆସନ ମିଳିଥିଲା।