ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ଅନୁପସ୍ଥିତ ଅଛନ୍ତି ୧୮ ହଜାରରୁ ଅଧିକ ପରୀକ୍ଷାର୍ଥୀ: କୁଆଡେ ଗଲେ ଏତେ ପିଲା ?
ଫର୍ମ ଫିଲ-ଅଫ କଲେ, ଆଡମିଟ ବି କାର୍ଡ ଇସ୍ୟୁ ହେଲା । ହେଲେ ପରୀକ୍ଷା ଦେଲେନି ୧୮ ହଜାରରୁ ଅଧିକ ପରୀକ୍ଷାର୍ଥୀ । ତେବେ ପ୍ରଶ୍ନ ଉଠୁଛି କୁଆଡେ ଗଲେ ଏତେ ସଂଖ୍ୟକ ଛାତ୍ରଛାତ୍ରୀ ? କାହିଁକି ରହିଲେ ଅନୁପସ୍ଥିତ ?

ଭୁବନେଶ୍ୱର: ଫର୍ମ ଫିଲ-ଅଫ କଲେ, ଆଡମିଟ ବି କାର୍ଡ ଇସ୍ୟୁ ହେଲା । ହେଲେ ପରୀକ୍ଷା ଦେଲେନି ୧୮ ହଜାରରୁ ଅଧିକ ପରୀକ୍ଷାର୍ଥୀ । ତେବେ ପ୍ରଶ୍ନ ଉଠୁଛି କୁଆଡେ ଗଲେ ଏତେ ସଂଖ୍ୟକ ଛାତ୍ରଛାତ୍ରୀ ? କାହିଁକି ରହିଲେ ଅନୁପସ୍ଥିତ ? ଏନେଇ ବୁଦ୍ଧିଜୀବୀ ମହଲରେ ଚିନ୍ତା ବଢ଼ିଥିବା ବେଳେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ରଖିଛନ୍ତି ଅଜବ ଉତ୍ତର।
ମନ୍ତ୍ରୀ କହିଛନ୍ତି ଏଥର ଫର୍ମଫିଲଅପ୍ ଖର୍ଚ୍ଚ ସରକାର ବହନ କରିଦେବାରୁ ସମେଟିଭ୍ ୱାନ୍ ପରୀକ୍ଷା ଦେଇଥିବା ସବୁ ପିଲା ସମେଟିଭ ଟୁ ପରୀକ୍ଷା ପାଇଁ ଚୟନ ହୋଇଗଲେ। ତଥାପି ବିଭାଗ ଏହାକୁ ଗୁରୁତ୍ୱର ସହ ନେଉଛି । ସ୍ଥିତି ଯାଞ୍ଚ କରାଯିବ।
ସେପେଟେ ବିଭାଗୀୟ ସଚିବ କହିଛନ୍ତି, ଏଥିପାଇଁ ପ୍ରଥମେ ସ୍କୁଲର ପ୍ରଧାନ ଶିକ୍ଷକମାନଙ୍କ ଓରିଏଣ୍ଟେସନ ହେବ। ଘର ଘର ବୁଲି କାରଣ ଖୋଜାଯିବ।
ତେବେ ବିଭିନ୍ନ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ କଟକ ଜିଲ୍ଲାରେ ୪୨୦ ଜଣ, କେନ୍ଦ୍ରାପଡ଼ାରେ ୪୨୫ ଜଣ, ଜଗତସିଂହପୁରରେ ୨୩୫ ଜଣ, ଖୋର୍ଦ୍ଧାରେ ୪୯୪ ଜଣ, କୋରାପୁଟରେ ୬୮୬ ଜଣ, ଯାଜପୁରରେ ୭୫୫, ଭଦ୍ରକରେ ୫୦ ଜଣ ପ୍ରଥମ ଦିନ ପରୀକ୍ଷାରେ ଅନୁପସ୍ଥିତ ଥିଲେ ।
ସେହିଭଳି ବାଲେଶ୍ୱରରେ ୧୧୫୮, ବଲାଙ୍ଗୀରରେ ୧୧୯୯ ଜଣ, କଳାହାଣ୍ଡିରେ ୭୬୬ ଜଣ, ଦେବଗଡ଼ରେ ୯୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଆସି ନଥିଲେ । ଅନ୍ୟପଟେ ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପ୍ରତ୍ୟେକ ବର୍ଗରେ ୫ ଶହରୁ ଅଧିକ ପିଲା ପରୀକ୍ଷା ଦେଇ ନାହାନ୍ତି । ପୂର୍ବରୁ ମାଟ୍ରିକ ପରୀକ୍ଷାର ସମେଟିଭ୍-ୱାନରେ ରାଜ୍ୟରେ ମୋଟ ୧୩ ହଜାର ୫୮ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ ।
ସେପଟେ ଆଜି ପୁରୀ ଜିଲ୍ଲାର କାକଟପୁର ଓ ନୟାହାଟର ଦୁଇଟି ସେଣ୍ଟର ସୁପରିଟେଣ୍ଡେଣ୍ଟଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ । କାକଟପୁର ଗାର୍ଲସ ହାଇସ୍କୁଲ ସେଣ୍ଟର କ୍ଲର୍କ ସସପେଣ୍ଡ ହୋଇଛନ୍ତି । ପରୀକ୍ଷା ଚାଲିଥିବା ବେଳେ ଶିକ୍ଷକ ଓ କର୍ମଚାରୀଙ୍କୁ ମୋବାଇଲ୍ ବନ୍ଦ ରଖିବାକୁ ବୋର୍ଡ କର୍ତ୍ତୃପକ୍ଷଙ୍କ କଡ଼ା ନିର୍ଦ୍ଦେଶ ସତ୍ତ୍ୱେ ଏହି ସ୍କୁଲର କିରାଣି ମାନସ ପରିଡ଼ା ଏହାର ଉଲ୍ଲଂଘନ କରିଥିବା ଜାଣି ତାଙ୍କୁ ନିଲମ୍ବନ କରିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ। ଏଥିସହ ଏହି ସ୍କୁଲ ଓ ପାଖ ନୟାହାଟ ପରୀକ୍ଷା ସେଣ୍ଟରରେ କପି ସାଙ୍ଗକୁ ସୁପରିଟେଣ୍ଡଣ୍ଟଙ୍କ ମୋବାଇଲ୍ ଅନ୍ ଥିବାରୁ ସ୍କ୍ୱାଡ୍ ଉଭୟ କେନ୍ଦ୍ରର ଅଧୀକ୍ଷକଙ୍କୁ ବି କାର୍ଯ୍ୟ ନିବୃତ୍ତ କରିଛନ୍ତି ।












Click it and Unblock the Notifications