ଏକାମ୍ର ସଂରକ୍ଷଣ ଯୋଜନାକୁ ଏନ୍ଏମ୍ଏର ଏନ୍ଓସି
ଏକାମ୍ର ସଂରକ୍ଷଣ ଯୋଜନାକୁ NMA ସ୍ୱୀକୃତି ଦେଇଛନ୍ତି । ଅଧାରୁ ଅଟକିଥିବା ଶ୍ରୀଲିଙ୍ଗରାଜ ଏଣ୍ଟ୍ରି ପ୍ଲାଜା ପ୍ରକଳ୍ପର କାମ ପୁଣି ଆରମ୍ଭ ହେବ। ସମ୍ପୂର୍ଣ୍ଣ ହେବ ହେରିଟେଜ୍ ଇଣ୍ଟରପ୍ରିଟେସନ୍ ସେଣ୍ଟର୍ । ବାହ୍ୟ ସଂଯୋଗ ରାସ୍ତା ନିର୍ମାଣ ହେବ।
ଭୁବନେଶ୍ବର: ଏକାମ୍ର ସଂରକ୍ଷଣ ଯୋଜନାକୁ NMA ସ୍ୱୀକୃତି ଦେଇଛନ୍ତି । ଅଧାରୁ ଅଟକିଥିବା ଶ୍ରୀଲିଙ୍ଗରାଜ ଏଣ୍ଟ୍ରି ପ୍ଲାଜା ପ୍ରକଳ୍ପର କାମ ପୁଣି ଆରମ୍ଭ ହେବ। ସମ୍ପୂର୍ଣ୍ଣ ହେବ ହେରିଟେଜ୍ ଇଣ୍ଟରପ୍ରିଟେସନ୍ ସେଣ୍ଟର୍ । ବାହ୍ୟ ସଂଯୋଗ ରାସ୍ତା ନିର୍ମାଣ ହେବ। ରାସ୍ତା ଚଉଡ଼ା ସହ ଶ୍ରୀଲିଙ୍ଗରାଜ ମନ୍ଦିର ଚାରିପାଖରେ ସୌନ୍ଦର୍ଯ୍ୟୀକରଣ କାମ ଏଣିକି ବାସ୍ତବ ରୂପ ନେବ। ବହୁ ପ୍ରତୀକ୍ଷିତ 'ଏକାମ୍ର ସଂରକ୍ଷଣ ଯୋଜନା'କୁ ଜାତୀୟ କୀର୍ତ୍ତିରାଜି କର୍ତ୍ତୃପକ୍ଷ (ଏନ୍ଏମ୍ଏ) ଙ୍କ ଏନ୍ଓସି ପରେ ଏକାମ୍ର କ୍ଷେତ୍ର ବିକାଶ ନେଇ ଆଶା ବଢ଼ିଛି ।

ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ, 5T ସଚିବ, ସାଂସଦ ସସ୍ମିତ ପାତ୍ର ଓ ଭର୍ତ୍ତୃହରି ମହତାବଙ୍କ ଉଦ୍ୟମ ପାଇଁ ସମସ୍ତଙ୍କୁ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଧନ୍ୟବାଦ ଦେଇଛନ୍ତି । ଆମେ ସେବାୟତ ଭାବେ ଓ ସ୍ଥାନୀୟ ବିଧାୟକ ଭାବେ NMAକୁ ଧନ୍ୟବାଦ ଜଣାଉଛୁ । ଏଥିପାଇଁ ଭକ୍ତ ସୁବିଧା ପାଇପାରିବେ । ଏବେ କେନ୍ଦ୍ର ସରକାର ଶ୍ରୀଲିଙ୍ଗରାଜ ମନ୍ଦିର ସ୍ୱତନ୍ତ୍ର ଆଇନକୁ ବି ମଞ୍ଜୁରୀ ଦେବେ ବୋଲି ମନ୍ତ୍ରୀ ଅଶୋକ ପଣ୍ଡା ଆଶା ପ୍ରକାଶ କରିଛନ୍ତି ।
ଉଲ୍ଲେଖଥାଉ କି, ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ଚତୁଃପାର୍ଶ୍ବକୁ ନେଇ ଏକାମ୍ର ସଂରକ୍ଷଣ ଯୋଜନା ରାଜ୍ୟ ସରକାର ଆରମ୍ଭ କରିଥିଲେ । ଏକାମ୍ର କ୍ଷେତ୍ରର ବହୁ ଐତିହ୍ୟସ୍ଥଳୀକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଥିଲା । ପ୍ରକଳ୍ପର ଅଂଶ ଭାବେ କିଛି କାମ ବି ଆରମ୍ଭ ହୋଇଥିଲା । ତେବେ ଜାତୀୟ କୀର୍ତ୍ତିରାଜି କର୍ତ୍ତୃପକ୍ଷ(ଏନ୍ଏମ୍ଏ)ଙ୍କ ବାଇ-ଲ'କୁ ଉଲ୍ଲଂଘନ କରାଯାଇ କାମ କରାଯାଉଥିବା ନେଇ ଆପତ୍ତି ଉଠିଥିଲା । ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଏହାର ପ୍ରତିବାଦ କରିଥିଲେ । ରାଜ୍ୟ ସରକାର ନିୟମ ଉଲ୍ଲଂଘନ କରି କାମ କରୁଥିବାର ସେ ଅଭିଯୋଗ କରିଥିଲେ । ଏମିତି ବାଦ ବିବାଦ ଭିତରେ ପ୍ରକଳ୍ପଟି ଆଗେଇ ପାରି ନଥିଲା । ଦୀର୍ଘ ଦିନ ବ୍ୟବଧାନ ପରେ ଏବେ ପ୍ରକଳ୍ପର ଆଶା ଉଜ୍ବଳ ହୋଇଛି ।
ପୂର୍ବରୁ ଏକାମ୍ର ବିକାଶ ଯୋଜନାରେ ୯ଟି ମେଗା ପ୍ରକଳ୍ପ ହାତକୁ ନିଆ ଯାଇଥିଲା। ଏଥିରେ ତାଳେଶ୍ୱର ଛକରୁ ବଢ଼େଇବାଙ୍କକୁ ବାହ୍ୟ ସଂଯୋଗ ରାସ୍ତାର ବିକାଶ ଓ ଡ୍ରେନ୍ ସଂପ୍ରସାରଣ କାମ ରହିଥିଲା। ଯୋଜନାର ଏକ ମୁଖ୍ୟ ପ୍ରକଳ୍ପ ଥିଲା ଲିଙ୍ଗରାଜ ଏଣ୍ଟ୍ରି ପ୍ଲାଜା । ସେହିପରି ମୁକ୍ତାକାଶ ଥିଏଟର ସହ କଳିଙ୍ଗର ବୀର ଗାଥା, କଳାକୃତିକୁ ଏଠାରେ ସ୍ଥାନ ଦେବାକୁ ଯୋଜନା ରହିଛି। ଏହା ବାଦ୍ ବିନ୍ଦୁସାଗର ଚାରିପାଖକୁ ସୌନ୍ଦର୍ଯ୍ୟୀକରଣ କରାଯିବ । ପଥଚାରୀଙ୍କ ପରିକ୍ରମା ପାଇଁ ଚାରିପଟରେ ଚଲାପଥ ରହିବ। ଏକାମ୍ର ବନ ଭଳି ବିନ୍ଦୁସାଗର କୂଳର ଆଉ କେତେକ ସ୍ଥାନରେ ଲ୍ୟାଣ୍ଡସ୍କେପିଂ ହେବ ।
ତାଳେଶ୍ୱର ଛକ ପାଖ ତଥା କେଦାରଗୌରୀ ରାସ୍ତା ପାଖରେ ଲିଙ୍ଗରାଜ ହେରିଟେଜ୍ ପ୍ରକଳ୍ପ ଯୋଜନା ରହିଛି। ଏହି ପ୍ରକଳ୍ପରେ ଲିଙ୍ଗରାଜ-ବିନ୍ଦୁସାଗର-ଦେବୀପାଦହରାକୁ ଚଲାପଥ ସହ କେଦାରଗୌରୀ ରାସ୍ତା, ଜ୍ଞାନୀ ଜୈଲ ସିଂ ରୋଡ୍ ଓ ରଥରୋଡ୍ର ଉନ୍ନତୀକରଣ ପାଇଁ ଯୋଜନା ରହିଛି। ତାଳେଶ୍ୱର ଛକ ପାଖରେ ପ୍ରସ୍ତାବିତ ହେରିଟେଜ୍ ଇଣ୍ଟରପ୍ରଟେସନ ପ୍ରକଳ୍ପ, ଲିଙ୍ଗରାଜ ମନ୍ଦିର ପାର୍ଶ୍ବରୁ ହଟିଥିବା ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଜାଗା ଚିହ୍ନଟ ହୋଇଛି। ମାତ୍ର ମନ୍ଦିର ପାଖରେ ଥିବା ଏହି ଖାଲି ଜାଗାରେ ସରକାରୀ ଦପ୍ତର ନିର୍ମାଣ ହୋଇପାରି ନଥିଲା। ସେହିପରି ଜମି ହରାଇଥିବା ଦୋକାନୀଙ୍କୁ ଦୋକାନ ପାଇଁ ଜମି ପ୍ରଦାନ ସହ ଉଠା ଦୋକନୀଙ୍କୁ ଥଇଥାନ କରାଯିବ। ଏପରି ବହୁ କାମ ଏବେ ତ୍ବରାନ୍ବିତ ହୋଇପାରିବ ବୋଲି ଆଶା କରାଯାଉଛି।












Click it and Unblock the Notifications