ଆଷାଢ ଯାଇ ଶ୍ରାବଣ ହେଲା, ଏବେ ବି ଜଳୁଛି: କୁଆଡେ ଗଲା ମୌସୁମୀ ?
ଭୁବନେଶ୍ୱର: କୁଆଡେ ଗଲା ମୌସୁମୀ ? ଓଡ଼ିଶାକୁ ଛୁଇଁଲା ପରେ କଣ ଗାଏବ ହେଇଗଲା କି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଆଷାଢ ଯାଇ ଶ୍ରାବଣ ହେଲାଣି । ଏବେ ବି ରାଜ୍ୟରେ ଅଧିକାଂଶ ସ୍ଥାନରେ ତାପମାତ୍ରା 30 ଡିଗ୍ରୀ ପରେ ରହୁଛି । ଗୁଳୁଗୁଳିକୁ ଟାଣ ଖରା ଶ୍ରାବଣରେ ବି ଗ୍ରୀଷ୍ମର ଅନୁଭବ ଦେଉଛି ।
ଅନ୍ୟପଟେ ମୌସୁମୀର ଏହି ଦଶା ପାଇଁ ଓଡିଶାର ଚାଷୀକୂଳ ମଧ୍ୟ ଚିନ୍ତାରେ ପଡିଯାଇଛି । କାରଣ ରଜ ପରେ ମୌସୁମୀ ବର୍ଷା ଆରମ୍ଭ ହୋଇଥାଏ । ପ୍ରଥମ ବର୍ଷାରେ ଚାଷୀ ଭାଇ ମାନେ ସେମାନଙ୍କର ତଳିଘେରା ପ୍ରସ୍ତୁତ କରି ସେମାନଙ୍କ ଚାଷ କାର୍ଯ ଆରମ୍ଭ କରିଥାନ୍ତି। କିନ୍ତୁ ଚଳିତ ବର୍ଷ ଅଷାଢ ସରି ଶ୍ରାବଣ ମାସ ଆରମ୍ଭ ହୋଇସାରିଥିବା ବେଳେ ମୌସୁମୀର ଏଯାଏ ଦେଖାନାହିଁ । ଅଷାଢ ମାସରେ ଗତ ୧୫ ଦିନ ତଳେ ଅସରାଏ ବର୍ଷା ହୋଇଥିବା ବେଳେ ଏପର୍ଯ୍ୟନ୍ତ ବର୍ଷାର ଦେଖାନାହିଁ କି ମୌସୁମୀର ସାକ୍ଷାତ ନାହିଁ । ଯାହାକୁ ଚାହିଁ ଚାହିଁ ଚାଷୀଙ୍କ ଆଖିରୁ ପାଣି ଶୁଖିଲାଣି ।

ତେବେ ଆଜି ଯାଏଁ ସ୍ୱାଭାବିକ ବର୍ଷା ତୁଳନାରେ ପାଖାପାଖି ୯୦ ପ୍ରତିଶତ କମ ରହିଛି ବର୍ଷାର ପରିମାଣ । ଚଳିତ ବର୍ଷ ୧ ଜୁନ୍ରୁ ୩ ଜୁଲାଇ ମଧ୍ୟରେ ରାଜ୍ୟରେ ୧୬୮.୧ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଯାହା ସ୍ୱାଭାବିକ ବର୍ଷା ତୁଳନାରେ ୨୯% କମ । ଆସନ୍ତାକାଲି ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, ମାଲକାନଗିରି, କନ୍ଧମାଳ ଓ ନବରଙ୍ଗପୁର ଜିଲ୍ଲାର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ସେହିଭଳି ଉପକୂଳ ଜିଲ୍ଲାଗୁଡ଼ିକରେ ବିଜୁଳି, ଘଡ଼ଘଡ଼ି ସହ ହାଲୁକା ବର୍ଷା ସମ୍ଭାବନା ମଧ୍ୟ ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।
ପାଣିପାଗ କେନ୍ଦ୍ରର ସୂଚନା ମୁତାବକ କାଲି ରାଜ୍ୟର ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଆଦି ଜିଲ୍ଲାର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ। ଏଥିସହ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ ଓ ବଲାଙ୍ଗୀର ଆଦି ଜିଲ୍ଲାର କେତେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ହାଲୁକା ବର୍ଷା ସମ୍ଭାବନା ରହିଛି । ୫ ଓ ୬ ତାରିଖରେ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଆସନ୍ତାକାଲି ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିବ। କିଛି କିଛି ସ୍ଥାନରେ ବର୍ଷା ମଧ୍ୟ ହୋଇପାରେ ।
ଏପଟେ ଆକାଶରେ ମେଘମାଳ ମାଳ ମାଳ ହୋଇ ଭାସିଯାଉଥିବା ବେଳେ ବର୍ଷାର ଦେଖାନାହିଁ। ମେଘମାଳ ଭିତରୁ ସୁର୍ଯ୍ୟଙ୍କ ପ୍ରଖର ତାତି ଲୋକ ମାନଙ୍କୁ ଅସ୍ତ କରିପକାଉଛି । ଏହି ସମୟରେ ପ୍ରାୟ ସବୁ ଦିନ ବର୍ଷା ବରଷିବା କଥା କିନ୍ତୁ ଏବେ ମୁଣ୍ଡଫଟା ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଚାଷ କାର୍ଯ୍ୟରେ ବାଧାସୃଷ୍ଟି କରୁଛି। ଯେଉଁ ସମୟରେ ଚାଷ କ୍ଷେତରେ ପାଣିର ଲହଡି ଭାଙ୍ଗିବା କଥା ସେହି ସମୟରେ ଚାଷଜମି ସବୁ ଫାଟି ଆଁ କରିଛି। ଯେଉଁ ସମୟରେ ଚାଷଜମିରେ ହଳ ବଳଦ ବୁଲି ଚାଷକାର୍ଯ ଆଗେଇଯିବା କଥା ସେହି ସମୟରେ ଏବେ ଚାଷ ଜମି ପଡ଼ିଆପଡି ସେଥିରେ ଗାଈ ଗୋରୁ ଚରୁଛନ୍ତି । ତେବେ ଚଳିତ ବର୍ଷ ମୌସୁମୀ ବର୍ଷା ଯଦି ସଠିକ ସମୟରେ ସଠିକ ପରିମାଣରେ ନ ହୁଏ ତେବେ ଚାଷ କାର୍ଯ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି ।












Click it and Unblock the Notifications