ଗଛ ତଳେ ଠିଆ ହୋଇଥିଲେ, ବଜ୍ରପାତରେ ଚାଲିଗଲା ଜୀବନ
ନୟାଗଡ଼: ଜିଲ୍ଲା ଭାପୁର ବ୍ଲକ ଫତେଗଡ଼ ଥାନା ଭାଲୁଖାଇ ଗାଁରେ ମଙ୍ଗଳବାର ବଜ୍ରପାତରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତ ନାବାଳକ ଗାଁର ନରେଶ ନାୟକଙ୍କ ପୁଅ ସର୍ବେଶ୍ୱର ନାୟକ (୧୦) । ଦୁଇ ଆହତ ହେଲେ ପତିତ ନାୟକ (୪୨) ଓ କାଳନ୍ଦୀ ନାୟକଙ୍କ ପୁଅ ଚନ୍ଦନ ନାୟକ (୧୨) ।

ସୂଚନା ଅନୁସାରେ, ଗ୍ରାମରେ ଜେସିବି ଯୋଗେ ଏକ ପୋଖରୀ ଖୋଳା ଚାଲିଥିଲା । ଏହି ସମୟରେ ସେଠାରେ ବହୁ ଲୋକ ଜମା ହୋଇଥିଲେ । ତେବେ ହଠାତ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସହିତ ପ୍ରବଳ ବର୍ଷା ଯୋଗୁଁ ଗୋଟିଏ ଗଛମୂଳରେ ସମସ୍ତେ ଆଶ୍ରୟ ନେଇଥିଲେ । ଏହି ସମୟରେ ଅକସ୍ମାତ ବଜ୍ରାଘାତ ଯୋଗୁଁ ସର୍ବେଶ୍ଵର ଟଳି ପଡିଥିବା ବେଳେ ଅନ୍ୟମାନେ ଆହତ ହୋଇଥିବା ନେଇ ସୂଚନା ମିଳିଛି ।
ପରିବାର ଲୋକେ ସର୍ବେଶ୍ୱରଙ୍କୁ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗୁରୁତର ପତିତ ଓ କାଳନ୍ଦୀଙ୍କୁ ମଧ୍ୟ ଭାପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ।












Click it and Unblock the Notifications