ଦଶହରାରେ ନୂଆ ରୂପ ନେଇପାରେ ମନ୍ତ୍ରିମଣ୍ଡଳ, ଭୁବନେଶ୍ୱରରୁ ଦିଲ୍ଲୀ ଯାଏଁ ପ୍ରସ୍ତୁତି ଜୋର୍
ଦଶହରାକୁ ହୋଇପାରେ ନୂଆ ମନ୍ତ୍ରୀମଣ୍ଡଳ। ଅପେକ୍ଷାରେ ଆଶାୟୀ । ଭୁବନେଶ୍ୱରରୁ ଦିଲ୍ଲୀ ଯାଏଁ ପ୍ରସ୍ତୁତି ଜୋର୍ । କିଛି ଜଣକୁ ଦଳରୁ ସିଗନାଲ୍ ମିଳିଥିବା ନେଇ ଚର୍ଚ୍ଚା ହେଉଛି । ଦଶହରା ପୂର୍ବରୁ ନୂଆ ରୂପ ନେଇପାରେ ମନ୍ତ୍ରିମଣ୍ଡଳ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ରହ୍ମପୁର ଗସ୍ତ ପରେ ଏ ଦିଗରେ ବଡ଼ ଖବର ଆସିବ ।
ମୋହନ ସରକାରରେ ଖାଲି ଥିବା ୬ ମନ୍ତ୍ରୀ ଆସନ ପୂରଣ ହେବା ସହ ମନ୍ତ୍ରିମଣ୍ଡଳକୁ ନୂଆ ରୂପ ଦିଆଯିବ । ଏହାପରେ ତତ୍କାଳ ସଂଗଠନ ପୁନର୍ବିନ୍ୟାସ ସହ ନିଗମ, ବୋର୍ଡ ନିଯୁକ୍ତି ପ୍ରକ୍ରିୟା ଆଗେଇବ । ଏପରିକି ସମ୍ଭାବ୍ୟ ମନ୍ତ୍ରୀ ତାଲିକା କାଳେ ପ୍ରସ୍ତୁତ ସରିଛି । ଅନୁମୋଦନ କରିବେ ବିଜେପି ହାଇକମାଣ୍ଡ ।
୨୦୨୪ ଜୁନ୍ ୧୨ରେ ମୋହନ ସରକାରଙ୍କ ଶପଥ ସମାରୋହ ହୋଇଥିଲା । ସେବେଠାରୁ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୧୬ଜଣ ମନ୍ତ୍ରୀ ଅଛନ୍ତି । ସରକାରରେ ମୋଟ ୨୨ଜଣ ମନ୍ତ୍ରୀ ରହିପାରିବେ । ଅର୍ଥାତ୍ ଆରମ୍ଭରୁ ହିଁ ମନ୍ତ୍ରିମଣ୍ଡଳରେ ୬ଟି ଆସନ ଖାଲି ଅଛି । ମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ ମନ୍ତ୍ରୀ ଏକାଧିକ ଗୁରୁତ୍ୱପୂର୍ଣ୍ଣ ବିଭାଗ ସମ୍ଭାଳିଛନ୍ତି । ପ୍ରଦର୍ଶନକୁ ଏକମାତ୍ର ଯୋଗ୍ୟତା ମାପକାଠି ରଖିଛନ୍ତି ବିଜେପି ନେତୃମଣ୍ଡଳୀ । ଏହି ଆଧାରରେ ମୋହନ ସରକାରଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବାକୁ ଯାଉଛି ।

ବିଜେପି ବିଧାୟକ ଜିତିଥିବା ଜିଲ୍ଲା ଭିତରୁ ଏବେ ବି ୧୪ ଜିଲ୍ଲା ମନ୍ତ୍ରୀ ଶୂନ୍ୟ ଅଛି । ବରଗଡ଼, ସୁନ୍ଦରଗଡ଼, ବାଲେଶ୍ୱର, ଅନୁଗୁଳ, ସୋନପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, କଟକ, କେନ୍ଦ୍ରାପଡ଼ା, ନୟାଗଡ଼, କୋରାପୁଟ, ମାଲକାନଗିରି ଜିଲ୍ଲାରୁ କେହି ମନ୍ତ୍ରୀ ନାହାନ୍ତି । ଏ ଜିଲ୍ଲାଗୁଡ଼ିକରୁ ଅନେକ ମନ୍ତ୍ରୀ ହେବାକୁ ଆଶା ବାନ୍ଧି ବସିଛନ୍ତି ।
ମନ୍ତ୍ରୀ ପଦ ପାଇଥିବା ଜିଲ୍ଲା ଭିତରୁ ବି କିଛି ବରିଷ୍ଠ ଓ ନବାଗତ ଦୌଡ଼ରେ ଅଛନ୍ତି । ମନ୍ତ୍ରୀ ପଦ ପାଇଁ ଏକାମ୍ର ଭୁବନେଶ୍ୱର ବିଧାୟକ ବାବୁ ସିଂ, ଭଟଲିର ଇରାଶିଷ ଆଚାର୍ଯ୍ୟ, ଉଦଳାର ଭାସ୍କର ମଢ଼େଇ, ବଡ଼ସାହିର ସନାତନ ବିଜୁଳି, ଝାରସୁଗୁଡ଼ାର ଟଙ୍କଧର ତ୍ରିପାଠୀ, ବଡ଼ଚଣାର ଅମର ନାୟକ, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ଙ୍କ ନାମ ସାଧାରଣରେ ଚର୍ଚ୍ଚା ହେଉଛି ।
ନବାଗତଙ୍କ ମଧ୍ୟରେ କଣ୍ଟାବାଞ୍ଜିର ଲକ୍ଷ୍ମଣ ବାଗ, ବ୍ରହ୍ମଗିରିର ଉପାସନା ମହାପାତ୍ର ଓ କଟକ ସଦରର ପ୍ରକାଶ ସେଠୀ ମଧ୍ୟ ଆଶା ବାନ୍ଧିଛନ୍ତି । ମାଲକାନଗିରି, ସୋନପୁର, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରୁ ବିଜେପିର ଜଣେ ଲେଖାଏଁ ବିଧାୟକ ଅଛନ୍ତି । ସେମାନଙ୍କ ନଜର ବି ମନ୍ତ୍ରୀ ଆସନ ଉପରେ । ବରିଷ୍ଠ ଜୟନାରାୟଣ ମିଶ୍ରଙ୍କୁ ମନ୍ତ୍ରିମଣ୍ଡଳରେ ସରକାର ସ୍ଥାନ ଦେବେ କି ନାହିଁ, ତାହା ମଧ୍ୟ ଏକ ବଡ଼ ଚର୍ଚ୍ଚା । ଯେଉଁ ଜିଲ୍ଲାରୁ ମନ୍ତ୍ରୀ ବାଦ୍ ପଡ଼ିବେ, ସେଇ ଜିଲ୍ଲାରୁ ଅନ୍ୟ ବିଧାୟକ ମଧ୍ୟ ମନ୍ତ୍ରୀ ହେବାକୁ ଆଶା ବାନ୍ଧି ବସିଛନ୍ତି । କୋରାପୁଟ ଜିଲ୍ଲାରେ ଏଥର ଡବଲ୍ ପଦ୍ମ ଫୁଟିଛି । ଉଭୟ ବିଧାୟକ ଆଶାୟୀ ଥିବା କୁହାଯାଉଛି ।
ବିଜେପି ସରକାର ଓ ସଂଗଠନ ମଧ୍ୟରେ ସମନ୍ୱୟ ଉପରେ କେନ୍ଦ୍ରୀୟ ବିଜେପି ଗୁରୁତ୍ୱ ଦେଉଛି । ତେଣୁ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପରେ ଦଳ ନିଗମ ଓ ବୋର୍ଡରେ ନିଯୁକ୍ତି ଦେବ । ଏହାପରେ ରାଜ୍ୟ ସଭାପତି ତାଙ୍କର ନୂଆ ଟିମ୍ ମଧ୍ୟ ଗଠନ କରିବେ । ଦିଲ୍ଲୀ ଅନୁମୋଦନକୁ ଚାତକ ଭଳି ଚାହିଁଛନ୍ତି ମନ୍ତ୍ରୀ ଆଶାୟୀ ।












Click it and Unblock the Notifications