ସଫଳତା ପଥରେ ଓଡ଼ିଶା ମିଲେଟ ମିଶନ; କୃଷିର ବିକାଶରେ ନେଉଛି ଅଗ୍ରଣୀ ଭୂମିକା
Odisha Millets Mission : ଘରେ ଘରେ ଏବେ ମାଣ୍ଡିଆ। ଗରିବର ଷ୍ଟିଲ ତାଟିଆରୁ ଆରମ୍ଭ କରି ପଞ୍ଚ ତାରକା ହୋଟେଲର ଦାମୀ ପ୍ଲେଟରେ ମାଣ୍ଡିଆ ସମସ୍ତଙ୍କର ବେଶ ପ୍ରିୟ ହୋଇ ପାରିଛି । ଓଡ଼ିଶା ମିଲେଟ୍ସ ମିଶନ ଦୃଷ୍ଟାନ୍ତମୂଳକ ପଦକ୍ଷେପ ତଥା ଜନକୈନ୍ଦ୍ରିକ ଆଭିମୁଖ୍ୟଗୁଡ଼ିକ ଜରିଆରେ ସମଗ୍ର ରାଜ୍ୟରେ ନୂତନ ସୋପାନରେ ପାଦ ଥାପିଛି ମାଣ୍ଡିଆ।
ମାଣ୍ଡିଆରେ ପ୍ରସ୍ତୁତ ରୁଟି ଠାରୁ ଆରମ୍ଭ କରି ବିସ୍କୁଟ ତା ସହ ଆଉ ସବୁ କିଛି ଲୋକେ ବେଶ୍ ପସନ୍ଦ କରୁଛନ୍ତି । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବି ସାହାରା ହୋଇଛି ମାଣ୍ଡିଆ । କେବଳ ସ୍ବାସ୍ଥ୍ୟକର ଖାଦ୍ୟଶୈଳୀକୁ ନୁହେଁ ବରଂ ସ୍ଥାନୀୟ କୃଷିର ବିକାଶରେ ମଧ୍ୟ ଅଗ୍ରଣୀ ଭୂମିକା ଗ୍ରହଣ କରୁଛି ।

ଓଡ଼ିଶା ମିଲେଟ୍ ମିଶନର ଉଦ୍ୟମରେ ଓଡ଼ିଶାରେ ମିଲେଟ୍ ଉତ୍ପାଦନରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି । ରାଜ୍ୟରେ ୨୦୧୬-୧୭ ମସିହାରେ ମାଣ୍ଡିଆ ଉତ୍ପାଦନ ମାତ୍ର ୪୦ ହଜାର କ୍ୱିଣ୍ଟାଲ ଥିବା ବେଳେ ୨୦୨୦-୨୧ରେ ଏହାର ଉତ୍ପାଦନ ୭ ଲକ୍ଷ କିଣ୍ଟାଲରେ ପହଞ୍ଚିଛି । ସେହିପରି ୨୦୧୭ରେ କୃଷକଙ୍କ ସଂଖ୍ୟା ମାତ୍ର ୮୦୦୦ ଥିବା ବେଳେ ୨୦୨୨ ଜୁଲାଇରେ ଏହା ୧.୩ ଲକ୍ଷରେ ପହଞ୍ଚିଛି ।
ସବୁଠୁ ବଡ଼କଥା ହେଉଛି ଓଡ଼ିଶା ମିଲେଟ ମିଶନ ସହିତ ମିଶି କାର୍ଯ୍ୟ କରୁଥିବା କୃଷକ ଉତ୍ପାଦକ ସଂଗଠନଗୁଡ଼ିକର ସଂଖ୍ୟା ଇତି ମଧ୍ୟରେ ବୃଦ୍ଧି ପାଇ ୭୬ରେ ପହଞ୍ଚିଛି । ଆଗାମୀ ଦିନରେ ଏହି ସଂଖ୍ୟାକୁ ୧୪୨ରେ ପହଞ୍ଚାଇବା ଲାଗି ଓଡ଼ିଶା ମିଲେଟ୍ ମିଶନ୍ ଲକ୍ଷ୍ୟ ରଖିଛି ।
ମିଲେଟ୍ସଗୁଡ଼ିକ ଅଳ୍ପ ପାଣି ଆବଶ୍ୟକ କରି ଯେକୌଣସି ପ୍ରତିକୂଳ ପରିବେଶରେ ବଢ଼ି ପାରୁଥିବାରୁ ଏହା କୃଷକମାନଙ୍କ ପାଇଁ ଏକ ଉତ୍ତମ ଭାବରେ ପରିଗଣିତ ହେଉଛନ୍ତି । ଯାହାଦ୍ବାରା ଓଡ଼ିଶା ମିଲେଟ ମିଶନ ରାଜ୍ୟର କୃଷିରେ ତଥା ସ୍ବାସ୍ଥ୍ୟ କ୍ଷେତ୍ରରେ ଏକ ଦୃଷ୍ଟାନ୍ତମୂଳକ ରୂପାନ୍ତରଣ ଘଟାଇବାରେ ସଫଳ ହୋଇଛି ।
କୃଷକ ଉତ୍ପାଦକ ସଂଗଠନ ଗୁଡ଼ିକର ଖୋଲା ବଜାରରେ ସେମାନଙ୍କ ଚୁଡାନ୍ତ ଉତ୍ପାଦକୁ ଓଡ଼ିଶା ସରକାରଙ୍କ ଆଦିବାସୀ ବିକାଶ ସମବାୟ ନିଗମ ଲିମିଟେଡ୍କୁ କ୍ରିଣ୍ଟାଲ ପିଛା ୩୧.୫ ଟଙ୍କା (ଶ୍ରମ ମୂଲ୍ୟ ସମେତ) ସେବା ଚାର୍ଜରେ ବିକ୍ରୟ କରିବାର କିମ୍ବା ଯୋଗାଣ କରିବାର ସ୍ବାଧୀନତା ରହିଛି ।
ଏହା ସହ ଓଡ଼ିଶା ମିଲେଟ୍ସ ମିଶନ ପ୍ରତି ବ୍ଲକସ୍ତରରେ ବଜାର ସୁବିଧା ସୃଷ୍ଟିକରି ତଥା ସେମାନଙ୍କର ଦୈନନ୍ଦିନ କାର୍ଯ୍ୟ ସମ୍ପାଦନ ନିମନ୍ତେ ପାଣ୍ଠି ଯୋଗାଇଦେଇ ଗୋଷ୍ଠୀଭିଭିକ ସଂଗଠନଗୁଡ଼ିକୁ ସଶକ୍ତ କରିବାରେ ସହାୟକ ହେଉଛି । ତେବେ ଯେଉଁଠି କୃଷକ ଉତ୍ପାଦକ ସଂଗଠନ ନାହିଁ, ସେଠାରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଗୁଡ଼ିକୁ କୃଷକ ଉତ୍ପାଦକ ସଂଗଠନ ଭାବରେ ପଞ୍ଜୀକରଣ କରିବାକୁ ଉତ୍ସାହିତ କରାଯାଉଛି ।
ଓଡ଼ିଶାରେ ମିଲେଟ୍କୁ ନେଇ ରାଜ୍ୟରେ ଏକ ସୁସ୍ଥ ଖାଦ୍ୟଶୈଳୀର ବାତାବରଣ ସୃଷ୍ଟି କରିବାରେ ମଧ୍ୟ କୃଷକ ଉତ୍ପାଦକ ସଂଗଠନଗୁଡ଼ିକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଓଡ଼ିଶାରେ ମିଲେଟ୍ ମିଶନର ପ୍ରଚେଷ୍ଟାରେ ଘରେ ଘରେ ମାଣ୍ଡିଆର ଚାହିଦା ବଢୁଛି ।












Click it and Unblock the Notifications