ଉପଭୋକ୍ତା ସ୍ତରରେ ବଢିବ ମିଲେଟସର୍ ଚାହିଦା; ମିଲେଟସ୍କୁ ଲୋକପ୍ରିୟ କରିବା ପାଇଁ ପରାମର୍ଶ
ଭୂବନେଶ୍ୱର: ବଢିବ ମିଲେଟସର୍ ଚାହିଦା । ଉପଭୋକ୍ତା ସ୍ତରରେ ମିଲେଟସର୍ ପର୍ଯ୍ୟାପ୍ତ ଚାହିଦା ସୃଷ୍ଟି ପାଇଁ ହୋଇଛି ଗୁରୁତ୍ଵପୂର୍ଣ୍ଣ ବୈଠକ । ଆଉ ନିଆ ଯାଇଛି ନିଷ୍ପତ୍ତି । ଦୀର୍ଘ ମିଆଦି ସଫଳତା ହାସଲ କରିବା ପାଇଁ ଥାଳିରୁ କୃଷି କ୍ଷେତ୍ର ଦୃଷ୍ଟିକୋଣ ଆପଣାଇବା ଉପରେ ଗୁରୁତ୍ୱାରୋପ । ମିଲେଟସର୍ ଆହୁରି ଆଗେଇବ ଓଡ଼ିଶା ।
ଓଡ଼ିଶା ମିଲେଟ୍ ମିଶନର ବିଭିନ୍ନ ଲକ୍ଷ୍ୟ ଏବଂ ରାଜ୍ୟ ସରକାରଙ୍କ ଦ୍ଵାରା ନଭେମ୍ବର ୯ ଓ ୧୦ ତାରିଖରେ ଆୟୋଜିତ ହେବାକୁ ଥିବା ଦୁଇଦିନିଆ ମିଲେଟସ୍ ସମ୍ବନ୍ଧୀୟ ଆନ୍ତର୍ଜାତିକ ସମ୍ମିଳନୀ ପାଇଁ ଆଜି ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକ ଓଡ଼ିଶା ସରକାରଙ୍କ ଇନ୍ଷ୍ଟିଚ୍ୟୁସନାଲ୍ କାପାର୍ସିଟି ବିଲଡିଂର ମୁଖ୍ୟ ଉପଦେଷ୍ଟା ଶ୍ରୀ ସୁବ୍ରତ ବାଗଚୀଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ କୃଷି ଭବନଠାରେ ଅନୁଷ୍ଠିତ ହୋଇଯାଇଛି ।
ଏହି ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ସମେତ ଓଡ଼ିଶା ମିଲେଟସ୍ ମିଶନର ଅଧିକାରୀମାନେ ଯୋଗଦେଇଥିଲେ । ପ୍ରଥମେ ପ୍ରମୁଖ ଶାସନ ସଚିବ ଡ. ପାଢ଼ୀ ଓଡ଼ିଶା ମିଲେଟସ୍ ମିଶନର ବିଭିନ୍ନ କାର୍ଯ୍ୟକ୍ରମର ପ୍ରମୁଖ ବୈଶିଷ୍ଟ ଓ ଏ ପର୍ଯ୍ୟନ୍ତ ମିଳିଥିବା ଉଲ୍ଲେଖନୀୟ ସଫଳତା ସଂପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ । ଉପଭୋକ୍ତା ସ୍ତରରେ ମିଲେଟସର୍ ପର୍ଯ୍ୟାପ୍ତ ଚାହିଦା ସୃଷ୍ଟି କରିବା ଓ ଦୀର୍ଘ ମିଆଦି ସଫଳତା ହାସଲ କରିବା ପାଇଁ ଥାଳିରୁ କୃଷି କ୍ଷେତ୍ର ଦୃଷ୍ଟିକୋଣ ଆପଣାଇବା ଉପରେ ଗୁରୁତ୍ୱାରୋପ କରିଥିଲେ ।

ଏହା ଦ୍ଵାରା କୃଷକମାନେ ପାରମ୍ପରିକ ବାଣିଜ୍ୟିକ ଖାଦ୍ୟଶସ୍ୟ ବଦଳରେ ମିଲେଟସ୍ ଚାଷ ପ୍ରତି ପ୍ରୋତ୍ସାହିତ ହେବେ । ଏଥି ପାଇଁ ବିଭାଗ ପକ୍ଷରୁ ମିଲେଟସ୍ ଚାଷୀ ଏବଂ ମିଶନ ଶକ୍ତି ଅନ୍ତର୍ଗତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କୁ ଦିଆଯାଉଥିବା ବିଭିନ୍ନ ପ୍ରୋତ୍ସାହନ ଓ ସହାୟତା ସଂପର୍କରେ ଡ. ପାଢ଼ୀ ଉଲ୍ଲେଖ କରିଥିଲେ ।
ଓଡ଼ିଶା ମିଲେଟସ୍ର ୪ଟି ପାରମ୍ପରିକ ଭୂପ୍ରଜାତିର ବିହନ ଜାରି କରିବାରେ କୃତିତ୍ୱ ହାସଲ କରିବାରେ ଭାରତବର୍ଷରେ ପ୍ରଥମ ରାଜ୍ୟ ବୋଲି ଡ. ପାଢ଼ୀ କହିଥିଲେ । ମିଲେଟସ୍ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ଓଡ଼ିଶା ମିଲେଟସ୍ ମିଶନ ସର୍ବଦା ଅଂଶୀଦାରମାନଙ୍କର ସହଭାଗିତାକୁ ଗୁରୁତ୍ଵ ଦେଇ ଆସୁଛି ବୋଲି ସେ କହିଥିଲେ ।
ଏଥ୍ ସହିତ ଡ. ପାଢ଼ୀ ମିଲେଟସ୍ ସଂପର୍କରେ ଆୟୋଜିତ ହେଉଥିବା ଆନ୍ତର୍ଜାତିକ ସମ୍ମିଳନୀର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ବୈଠକରେ ସୂଚନା ପ୍ରଦାନ କରିଥିଲେ । ବୈଠକରେ ଶ୍ରୀ ବାଗ୍ଚୀ ଓଡ଼ିଶା ମିଲେଟସ୍ ମିଶନର ଉଲ୍ଲେଖନୀୟ ସଫଳତା ନେଇ ପ୍ରଶଂସା କରିଥିଲେ । ଓଡ଼ିଶା ମିଲେଟସ୍ ମିଶନ ପାଇଁ ୨୦୩୦ ଏବଂ ୨୦୩୬କୁ ଧାର୍ଯ୍ୟ ବର୍ଷ ଭାବେ ଲକ୍ଷ୍ୟ ରଖି ଏକ ଦୀର୍ଘମିଆଦି ରଣନୀତି ଓ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ପାଇଁ ସେ ପରାମର୍ଶ ଦେଇଥିଲେ ।
ଏଥି ସହିତ ଓଡ଼ିଶା ମିଲେଟସ୍ ମିଶନର ନୀତି ଓ ମାର୍ଗଦର୍ଶିକାରେ ନମନୀୟତା ରଖୁବା ପାଇଁ ସେ ପରାମର୍ଶ ଦେଇ କହିଲେ ଯେପରି କୌଣସି ଆହ୍ୱାନର ମୁକାବିଲା ଦିଗରେ ଓଡ଼ିଶା ମିଲେଟସ୍ ମିଶନର ନୀତି ଓ ମାର୍ଗଦର୍ଶିକାରେ ସମୟୋଚିତ ପରିବର୍ତ୍ତନ କରାଯାଇପାରିବ । ସେ ପୁଣି କହିଥିଲେ ଯେ କୃଷି -ପର୍ଯ୍ୟଟନ ପରି ଅଭିନବ ପ୍ରଣାଳୀ, ମିଲେଟସ୍ ସହ ଜଡ଼ିତ ଆନନ୍ଦଦାୟକ ଦିଗ ଉପରେ ଧ୍ୟାନଦେବା ଏବଂ ମିଲେଟସ୍ ଆମ୍ବାସଡର ଭାବରେ ବିଶିଷ୍ଟ କ୍ରୀଡ଼ା ବ୍ୟକ୍ତିତ୍ଵ ତଥା ଅନ୍ୟ ସେଲିବ୍ରେଟିମାନଙ୍କୁ ଜଡ଼ିତ କରି ଆଗାମୀ ବର୍ଷରେ ଓଡ଼ିଶା ମିଲେଟସ୍ ମିଶନର ସଫଳ ରୂପାୟନ କରାଯାଇପାରିବ ।
ଏଥି ସହିତ ତୃଣମୂଳ ସ୍ତରରେ ୟୁଟ୍ୟୁବ୍ରମାନଙ୍କର ଉତ୍ସାହ ଓ ଉଦ୍ଦୀପନା ଏବଂ ତୃଣମୂଳ ପର୍ଯ୍ୟାୟର ସଂଗଠନ ଏବଂ ମିଲେଟ ଆମ୍ବାସଡରମାନଙ୍କୁ ଉପଯୋଗ କରି ସମାଜର ବୃହତ୍ତର ଅଂଶରେ ମିଲେଟସ୍କୁ ଲୋକପ୍ରିୟ କରିବା ପାଇଁ ପରାମର୍ଶ ଦେଇଥିଲେ । ଓଡ଼ିଶା ମିଲେଟସ୍ ମିଶନ ଏହିସବୁ ରଣନୀତିଗୁଡ଼ିକୁ ଆପଣାଇ ଓଡ଼ିଶାକୁ ଭାରତ ତଥା ବିଦେଶରେ ଏକ ଆଦର୍ଶ ମଡେଲ ଭାବରେ ଉପସ୍ଥାପନ କରିବା ପାଇଁ ଶ୍ରୀ ବାଗ୍ଚୀ କହିଥିଲେ ।
ଓଡ଼ିଶା ମିଲେଟସ୍ ମିଶନ ଏବଂ ଆନ୍ତର୍ଜାତିକ ମିଲେଟସ୍ ସମ୍ମିଳନୀ ନେଇ ଆସନ୍ତା ନଭେମ୍ବର ୧ ତାରିଖରେ ଶ୍ରୀ ବାଗଚୀଙ୍କ ଏକ ବ୍ୟାଖ୍ୟାନ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏହି ବୈଠକରେ ଓଡ଼ିଶା ମିଲେଟସ୍ ମିଶନର ଯୁଗ୍ମ ନିର୍ଦ୍ଦେଶକ, ବୈଷୟିକ ବିଶେଷଜ୍ଞ ଏବଂ ଅନ୍ୟ ଅଧିକାରୀ ଯୋଗ ଦେଇଥିଲେ ।












Click it and Unblock the Notifications