ଆରମ୍ଭ ହେଲା ଭୁବନେଶ୍ୱର-କଟକ ମେଟ୍ରୋ ପ୍ରକଳ୍ପ କାମ, ୩୦ଫୁଟ୍ ତଳୁ ସଂଗ୍ରହ କରାଯାଉଛି ମାଟି
ଭୁବନେଶ୍ୱର: କଟକ-ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ ପାଇଁ କାମ ଆରମ୍ଭ ହୋଇଛି । ଡିପିଆର ପ୍ରସ୍ତୁତି ପାଇଁ ଠିକା ନେଇଥିବା ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ୍ (ଡିଏମ୍ଆର୍ସି) ସଂସ୍ଥା 'ଜିଓ ଟେକ୍ନିକାଲ ଇନ୍ଭେଷ୍ଟିଗେସନ' ଆରମ୍ଭ କରିଛି ।
ପ୍ରାଥମିକ ପର୍ଯ୍ୟାୟରେ ନନ୍ଦନକାନନ-ବାରଙ୍ଗ ରାସ୍ତାରେ ବ୍ୟାରିକେଡ୍ କରାଯାଇ ଏହି ଯାଞ୍ଚ କରାଯାଉଥିବା ବେଳେ ଡିପିଆର ପ୍ରସ୍ତୁତ ପାଇଁ ଏହି ପ୍ରକ୍ରିୟା ଜାରି ରହିଛି । ୩୦ଫୁଟ ତଳୁ ମାଟିର ନମୁନା ସଂଗ୍ରହ କରାଯାଉଛି । ଏହା ଛଡ଼ା ମାଟି ତଳେ ଥିବା ପାଣିର ଅବସ୍ଥା ମଧ୍ୟ ଯାଞ୍ଚ କରିବ । ପ୍ରଥମ ପର୍ଯ୍ୟାୟରେ ଏହି ପ୍ରକଳ୍ପରେ ପ୍ରସ୍ତୁତ ହେବାକୁ ଥିବା ଭିତ୍ତିଭୂମି ପାଇଁ ସମ୍ପୃକ୍ତ ଅଞ୍ଚଳର ମାଟି କେତେ ସକ୍ଷମ ତାହା ଅନୁଧ୍ୟାନ କରିବ। ତ୍ରିଶୂଳିଆରୁ - ରାଜଭବନ ଛକ ଭିତରେ ୨୪ଟି ସ୍ଥାନରେ ଏମିତି ମାଟି ନମୁନା ସଂଗ୍ରହ କରାଯାଇ ଅନୁଧ୍ୟାନ କରାଯିବ ।

ସର୍ବନିମ୍ନ ସମୟସୀମା ମଧ୍ୟରେ ରୋଡ ମ୍ୟାପ୍ ପ୍ରସ୍ତୁତକୁ ଗୁରୁତ୍ୱ ଦିଆଯାଉଥିବା ବେଳେ କେଉଁ ପଥରେ ମେଟ୍ରୋ ଚଳାଚଳ ହେବ ଓ ଏହାର ଭବିଷ୍ୟତ ଏବଂ ଅନ୍ୟାନ୍ୟ ଦିଗକୁ ଦୃଷ୍ଟି ଦିଆଯାଉଛି । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ବିମାନବନ୍ଦରରୁ କଟକର ତ୍ରିଶୁଳିଆ ମଧ୍ୟରେ ମେଟ୍ରୋ ରେଳ ଚଳାଇବା ନେଇ ଘୋଷଣା ହୋଇଥିଲା ।
ଏହି ସବୁ ପ୍ରାରମ୍ଭିକ କାମ ସରିବା ପରେ ଏହି ସର୍ଭେ ରିପୋର୍ଟ ଆଧାରରେ ସଂସ୍ଥା ଡିପିଆର ପ୍ରସ୍ତୁତ କରିବ । ଡିପିଆରରେ ରୁଟ୍ ମଧ୍ୟ ସ୍ଥିର ହେବ । ଯେଉଁଠି ମାଟି ଦୁର୍ବଳ ରହିବ ବା ଭାର ସମ୍ଭାଳିବା ପାଇଁ ସକ୍ଷମ ହେବ ନାହିଁ ସେହି ରୁଟ୍ ପରିବର୍ତ୍ତନ କରାଯିବ ବୋଲି ଜଣାପଡ଼ିଛି । କମ୍ ଅର୍ଥ ଖର୍ଚ୍ଚରେ 'ଏଲିଭେଟେଡ୍ ମେଟ୍ରୋ ରେଳ ପ୍ରକଳ୍ପ' ଯୋଜନା ହୋଇଛି । ଏଣୁ କେତେ ଅର୍ଥ ଖର୍ଚ୍ଚ ହେବ, କେତେ ଜମି ଦରକାର, କେତୋଟି ଷ୍ଟେସନ ହେବ, ଯାତ୍ରୀଙ୍କ ସୁବିଧା ପାଇଁ କ'ଣ କ'ଣ ଭିତ୍ତିଭୂମି ପ୍ରସ୍ତୁତ କରାଯିବ ତାହା ଏହି ସଂସ୍ଥା ଡିପିଆର୍ ପ୍ରସ୍ତୁତ କରିବା ପରେ ଜଣାପଡ଼ିବ ।












Click it and Unblock the Notifications