ଫାଇଲେରିଆ ନିରାକରଣ: ଫେବୃଆରୀ ୧୦ ତାରିଖରୁ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ସାମୁହିକ ଔଷଧ ବିତରଣ
ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ରାଜ୍ୟର ୧୫ଟି ଜିଲ୍ଲାରେ ଲିମ୍ଫାଟିକ ଫାଇଲେରିଆସିସ୍ ନିରାକରଣ ପାଇଁ ଆରମ୍ଭ କରିଛନ୍ତି ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ। ୨୦୩୦ ସୁଦ୍ଧା ଦେଶରୁ ଫାଇଲେରିଆ ନିରାକରଣ ନିମନ୍ତେ ଭାରତର ପ୍ରତିବଦ୍ଧତାକୁ ଲକ୍ଷ୍ୟ ରଖି ଓଡ଼ିଶା ସରକାର ୧୫ଟି ଜିଲ୍ଲାରେ ସାମୁହିକ ଦ୍ରଗ୍ସ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଭାରତ ସରକାରଙ୍କ ଦ୍ୱାରା ଜାରି କୋଭିଡ-୧୯ ନିୟମାବଳୀ ମୁତାବକ ଏହି ଏମ୍ଡିଏ ପର୍ଯ୍ୟାୟଗୁଡିକ ଆୟୋଜନ କରାଯିବ ।

ସାମୂହିକ ଔଷଧ ସେବନ (ଏମ୍ଡିଏ) କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ୨୦୨୨ ଫେବୃଆରୀ ୧୦ରୁ ଫେବୃଆରୀ ୧୯ ତାରିଖ ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ପର୍ଯ୍ୟାୟ ୨୦୨୨ ଫେବୃଆରୀ ୭ରୁ ମାର୍ଚ୍ଚ ୧୬ ତାରିଖ ପର୍ଯ୍ୟନ୍ତ ଆୟୋଜନ କରାଯିବ । ଫେବୃଆରୀ ୧୦ ତାରିଖରୁ ଏମ୍ଡିଏ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେବାକୁ ଯାଉଥିବା ୮ଟି ଜିଲ୍ଲା ହେଉଛି ଅନଗୁଳ, ବାଲେଶ୍ୱର, କଟକ, ଗଞ୍ଜାମ, ଢେଙ୍କାନାଳ, ଝାରସୁଗୁଡା, ନୂଆପଡା ଏବଂ ନୟାଗଡ । ଦ୍ୱିତୀୟ ପର୍ଯ୍ୟାୟରେ ଏମ୍ଡିଏ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେବାକୁ ଥିବା ୭ଟି ଜିଲା ମଧ୍ୟରେ ବରଗଡ, କେନ୍ଦୁଝର, କନ୍ଧମାଳ, ମୟୂରଭଞ୍ଜ, ସୋନପୁର, ସୁନ୍ଦରଗଡ ଏବଂ ସମ୍ବଲପୁର ରହିଛି ।
ଏହି ସବୁ ଲକ୍ଷଣ ଦେଖାଯାଏ ଫାଇଲେରିଆ ରୋଗୀଙ୍କ ଠାରେ:
ଏହି ଅବସରରେ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର କହିଛନ୍ତି ଯେ, "ଫାଇଲେରିଆ ଏକ ଗୁରୁତର ଜନସ୍ୱାସ୍ଥ୍ୟ ସମସ୍ୟା ଯାହା ମଶା କାମୁଡିବା ଦ୍ୱାରା ବ୍ୟାପିଥାଏ । ବିଶ୍ୱବ୍ୟାପୀ ଦୀର୍ଘସୂତ୍ରୀ ଅକ୍ଷମତାର ଅନ୍ୟତମ ମୁଖ୍ୟ କାରଣ ହେଉଛି ଫାଇଲେରିଆସିସ୍ । ସାଧାରଣତଃ ପିଲାଦିନେ ଆକ୍ରାନ୍ତ କରୁଥିବା ଏହି ସଂକ୍ରମଣ ଲିମ୍ଫାଟିକ ବ୍ୟବସ୍ଥାକୁ ନଷ୍ଟ କରିଥାଏ ଏବଂ ତାହାର ଯଦି ଚିକିତ୍ସା କରାନଯାଏ ତେବେ ଶରୀରର ବିଭିନ୍ନ ଅଂଶରେ ଅସ୍ୱାଭାବିକ ଫୁଲା ସୃଷ୍ଟି କରିଥାଏ, ଯାହା ପୂର୍ବାବସ୍ଥାକୁ ଫେରାଇ ଅଣାଯାଇପାରିବ ନାହିଁ । ଫାଇଲେରିଆସିସରେ ଆକ୍ରାନ୍ତ ଲୋକମାନେ ଅନେକ ସମୟରେ ହାଇଡ୍ରୋସିଲ (ଅଣ୍ଡକୋଷ ଫୁଲିବା), ଲିମ୍ଫୋଡେମା (ଅଙ୍ଗ ପ୍ରତ୍ୟଙ୍ଗ ଫୁଲିବା) ଏବଂ ଚାଇଲୁରିଆ (ଇଷତ୍ ଦୁଗ ରଙ୍ଗର ପରିସ୍ରା) ଭଳି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଏଭଳି ପରିସ୍ଥିତି ଲିମ୍ଫାଟିକ ଫାଇଲେରିଆସିସରେ ଆକ୍ରାନ୍ତ ଲୋକଙ୍କର ଜୀବିକା, ସୁବିଧା ସୁଯୋଗ ଏବଂ କାର୍ଯ୍ୟ କରିବାର ସାମର୍ଥ୍ୟକୁ ପ୍ରଭାବିତ କରିଥାଏ ଏବଂ ଅନେକ ସମୟରେ ସେମାନେ ସାମାଜିକ ହୀନମନ୍ୟତାର ବିଷୟବସ୍ତୁ ପାଲଟିଯାଆନ୍ତି । ଫାଇଲେରିଆସିସ୍ ଏକ ଅକ୍ଷମକାରୀ ରୋଗ ଯାହାକୁ ତାଲିମପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ଫାଇଲେରିଆ ନିରୋଧୀ ଔଷଧ (ଡିଇସି ଓ ଆଲବେଣ୍ଡାଜୋଲ) ସେବନ ଦ୍ୱାରା ରୋକାଯାଇପାରିବ ।
ଔଷଧ ସେବନ ବିଧି ଏବଂ ଏହାର ଫାଇଦା:
ଡା. ମିଶ୍ର ମଧ୍ୟ ସାମାନ୍ୟ ପାଶ୍ୱର୍ ପ୍ରତିକ୍ରିୟା ସମ୍ପର୍କରେ ପ୍ରକାଶ କରିଥିଲେ ଯାହା ସାଧାରଣତଃ କ୍ଵଚିତ ପରିଲକ୍ଷିତ ହୋଇଥାଏ ଏବଂ ଏଭଳି ପରିସ୍ଥିତିର ସମାଧାନ କରିବାକୁ କ୍ଷେତ୍ରସ୍ତରରେ ଆରଆର୍ଟିମାନେ ରହିଛନ୍ତି । ସେ ପୁନଶ୍ଚ କରିଥିଲେ ଯେ "ଆଲବେଣ୍ଡାଜୋଲ୍'କୁ ଚୋବେଇ ଖିଆଯିବ ଏବଂ ଡିଇସିକୁ ସେହିଭଳି ଗୋଟା ଗିଳିଦେବାକୁ ହେବ । ଖାଦ୍ୟ ଖାଇବା ପରେ ଏହି ଔଷଧ ସେବନ କରିବାକୁ ହେବ ।
ଭାରତର ଜାତୀୟ ଲିମ୍ଫାଟିକ ଫାଇଲେରିଆସିସ୍ ନିରାକରଣ କାର୍ଯ୍ୟକ୍ରମର ଦୁଇଟି ସ୍ତର ରହିଛି । ପ୍ରଥମଟି ସାମୂହିକ ଔଷଧ ସେବନ (ଏମଡିଏ) ଏବଂ ଦ୍ୱିତୀୟଟି ମୃତୁ୍ୟ ହାର ହ୍ରାସ ଓ ଅକ୍ଷମତାକୁ ରୋକିବା (ଏମଏମ୍ଡିପି) । ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପୋଷଣ ଯୁଗ୍ମ ନିର୍ଦ୍ଦେଶକ ଡା.ଏସ ପଟନାୟକ କୃମିନାଶକ ଫାଇଦା ସମ୍ପର୍କରେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ, "ଏମ୍ଡିଏ ସମୟରେ ସେବନ କରାଯାଉଥିବା ଆଲବେଣ୍ଡାଜୋଲ୍ ଭଳି ପ୍ରତିଷେଧକ ଔଷଧର କୃମି ନାଶ କରିବା ଭଳି ଅତିରିକ୍ତ ଫାଇଦା ରହିଛି, ଯାହା ପିଲାଙ୍କ କ୍ଷେତ୍ରରେ ପୋଷକ ତନ୍ତ୍ରର ଗ୍ରହଣୀୟତାକୁ ବୃଦ୍ଧି କରିଥାଏ ଏବଂ ସେମାନଙ୍କର ଶାରୀରିକ ଏବଂ ମାନସିକ ବିକାଶରେ ସହାୟକ ହୋଇଥାଏ ।'
ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଡା.ଅଜିତ କୁମାର ମହାନ୍ତି କହିଥିଲେ, "ଏମଡିଏ ପର୍ଯ୍ୟାୟଗୁଡିକ ଅବସରରେ କୋଭିଡ-୧୯ ସଂକ୍ରମଣକୁ ରୋକିବା ପାଇଁ ସମସ୍ତ ନିରାପତ୍ତାମୂଳକ (ହାତ ଧୋଇବା, ମାସ୍କ ପରିଧାନ ଏବଂ ସାମାଜିକ ଦୂରତା ବଜାୟ ରଖିବା) ପଦକ୍ଷେପକୁ ଅନୁପାଳନ କରାଯିବ । ଜିଲ୍ଲାଗୁଡିକରେ ଯୋଗ୍ୟ ହିତାଧିକାରୀମାନେ ଯେଭଳି ସ୍ୱାସ୍ଥ୍ୟକର୍ମୀଙ୍କ ଉପସ୍ଥିତିରେ ଫାଇଲେରିଆ ନିରୋଧୀ ଔଷଧ ସେବନ କରିବେ, ତାହା ମଧ୍ୟ ସୁନିଶ୍ଚିତ କରାଯିବ । ୨ ବର୍ଷରୁ କମ୍ ବୟସର ପିଲା, ଗର୍ଭବତୀ ମହିଳା ଏବଂ ଗୁରୁତର ଅସୁସ୍ଥ ଥିବା ଲୋକଙ୍କ ବ୍ୟତୀତ ଅନ୍ୟ ସମସ୍ତେ ଏହି ପର୍ଯ୍ୟାୟଗୁଡିକ ସମୟରେ ତାଲିମପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ଉପସ୍ଥିତିରେ ଧାର୍ଯ୍ୟ ଔଷଧ ସେବନ କରିବାକୁ ହେବ ।' ସେ ମଧ୍ୟ ଗୁରୁତ୍ୱ ଦେଇ କହିଥିଲେ ଯେ, "ଏହି କାର୍ଯ୍ୟକ୍ରମ ଅଧୀନରେ ଗୋଷ୍ଠୀ ଅଂଶଗ୍ରହଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
ଏହି ଅଭିଯାନ ସମୟରେ ଆଶାଙ୍କ ସହିତ ପ୍ରାୟ ୫୫,୫୪୪ ଜଣ ତାଲିମପ୍ରାପ୍ତ ସେ୍ୱଚ୍ଛସେବୀ ୮ଟି ଜିଲ୍ଲାରେ ଔଷଧ ପ୍ରଦାନକାରୀ ଭାବରେ ଘରକୁ ଘର ଗସ୍ତ କରିବେ । ପରିଶେଷରେ ଗ୍ଲୋବାଲ ହେଲଥ ଷ୍ଟ୍ରାଟେଜିର ନିର୍ଦ୍ଦେଶକ ଶ୍ରୀ ଅନୁଜ ଘୋଷ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ପ୍ରଦାନ କରିବା ସହିତ ସମସ୍ତଙ୍କର ସମ୍ମିଳିତ ପ୍ରଚେଷ୍ଟା ଦ୍ୱାରା ଆମେମାନେ ଲିମ୍ଫାଟିକ ଫାଇଲେରିଆସିସ୍ ଭଳି ରୋଗକୁ ରାଜ୍ୟରୁ ନିରାକରଣ କରିପାରିବା ବୋଲି ମତ ଦେଇଥିଲେ ।












Click it and Unblock the Notifications