ପାକିସ୍ତାରୁ ସୁନ୍ଦରଗଡ : ଜନ୍ମମାଟିକୁ ଫେରିଲେ ଓଡିଆ ପୁଅ ବିରଜୁ
ପାକିସ୍ତାର ଲାହୋର ଜେଲରୁ ମୁକ୍ତି ପାଇ ଶେଷରେ ନିଜ ଜନ୍ମମାଟି ସୁନ୍ଦରଗଡ କଟଙ୍ଗରେ ପହଞ୍ଚିଛନ୍ତି ବିରଜୁ କୁଲୁ ।
ସୁନ୍ଦରଗଡ : ଗୋଟେ ଛୋଟ ଅସାବଧାନତା ଜଣେ ପୁଅକୁ 25 ବର୍ଷ ମାଟି ଠାରୁ ଦୁରେଇ ରଖିଥିଲା । ଅନେକ ସଂଘର୍ଷ, ଧାଁଧାପଡ ପରେ ଶେଷରେ 25 ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଛି । ମାଟିକୁ ଫେରିଛି ମାଟିର ପୁଅ । ସିନେମା ନୁହେଁ ବାସ୍ତବ ଜୀବନର ଏଭଳି ଦୃଶ୍ୟ ଆଜି ସମସ୍ତଙ୍କୁ ଭାବବିହ୍ୱଳ କରିଛି । ପାକିସ୍ତାର ଲାହୋର ଜେଲରୁ ମୁକ୍ତି ପାଇ ଶେଷରେ ନିଜ ଜନ୍ମମାଟି ସୁନ୍ଦରଗଡ କଟଙ୍ଗରେ ପହଞ୍ଚିଛନ୍ତି ବିରଜୁ କୁଲୁ । ଶୁକ୍ରବାର ବିରଜୁ ତାଙ୍କ ଗାଁ ମାଟିକୁ ଫେରିବା ପରେ ତାଙ୍କୁ ସ୍ୱାଗତ ସମ୍ପର୍ଧନା ଦିଆଯାଇଥିଲା ।
ଘଟଣାରୁ ପ୍ରକାଶ, 25 ବର୍ଷ ତଳେ ସେ ବାଟ ଭୁଲି ପାକିସ୍ତାନ ସୀମା ଭିତରକୁ ପଶି ଯାଇଥିଲେ । ସେଠାରେ ପାକିସ୍ତାନ ପୁଲିସ ତାଙ୍କୁ ଧରି ନେଇଥିଲା । ଏହାପରେ ଆରମ୍ଭ ହୋଇଥିଲା ବିରଜୁଙ୍କ ଜୀବନର ସଂଘର୍ଷ ।

ପାକିସ୍ତାନ ଜେଲରେ ବନ୍ଦୀର ଜୀବନ କାଟୁଥିବା ବିରଜୁଙ୍କୁ ରୁଟି ଓ ଡାଲି ଖାଇବାକୁ ଦିଆଯାଉଥିବା ଜଣାପଡିଛି । ବିରଜୁଙ୍କ ମୁକ୍ତି ପାଇଁ ସରକାରୀ ସ୍ତରରେ ତପ୍ତରତା ପ୍ରକାଶ ପାଇବା ପରେ ଶେଷରେ ତାଙ୍କୁ ପାକିସ୍ତାନ ଜେଲରୁ ମୁକ୍ତ କରାଯାଇଛି । ଲାହୋର ଜେଲରୁ ମୁକ୍ତି ପାଇବା ପରେ ପ୍ରଥମେ ତାଙ୍କୁ ଅମୃତସରକୁ ଅଣା ଯାଇଥିଲା । ସେଠାରୁ ସେ ଝାଡଖଣ୍ଡର ଗୁମଲାରେ ପହଞ୍ଚିଥିଲେ। ଏହାପରେ ସୁନ୍ଦରଗଡ ପ୍ରଶାସନର ସହାୟତାରେ ତାଙ୍କୁ ତାଙ୍କ ଜନ୍ମମାଟିକୁ ଫେରାଇ ଅଣାଯାଇଥିଲା । ବିରଜୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ବ୍ୟବସ୍ଥା କରାଯିବ ବୋଲି ପ୍ରଶାସନ କହିଛି । ଏଥିସହ ତାଙ୍କ ରହିବାର ବନ୍ଦୋବସ୍ତ ସହ ତାଙ୍କୁ ରାସନ କାର୍ଡ, ଆଧାର କାର୍ଡ ଯୋଗାଇ ଦିଆଯିବ ବୋଲି କହିଛନ୍ତି ବିଡିଓ।












Click it and Unblock the Notifications