ବିଧାନସଭା ଅଚଳ: ଆସନ୍ତାକାଲି ପର୍ଯ୍ୟନ୍ତ ଗୃହ ମୁଲତବି ରଖିଲେ ବାଚସ୍ପତି
ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ବିଧାନସଭା ଅଚଳ। ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବି ରଖିଲେ ବାଚସ୍ପତି । ଦ୍ଵିତୀୟ ଦିନରେ ବି ଚାଲିପାରିଲାନି ଗୃହ । ଜମି ଅଧିଗ୍ରହଣ ପ୍ରସଙ୍ଗକୁ ନେଇ ହୋହାଲ୍ଲା ଦେଖିବାକୁ ମିଳିଥିଲା । ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ପରେ ଦିବା ୧୨ ଯାଏଁ ଗୃହକୁ ମୁଲତବି କରିଥିଲେ ବାଚସ୍ପତି । ପରେ ଗୃହ ଆରମ୍ଭ ହେବା ପରେ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ହୋଇଥିଲା । ହେଲେ ଆସନ୍ତାକାଲି ଯାଏଁ ଗୃହ ମୁଲତବି କରିଛନ୍ତି ବାଚସ୍ପତି ।
ଗୃହକାର୍ଯ୍ୟକୁ ସ୍ୱାଭାବିକ ଭାବେ ଚଳାଇବା ପାଇଁ ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି ପ୍ରମିଳା ମଲ୍ଲିକ । ତେବେ ଆଶା କରାଯାଉଥିଲା ଯେ, ସର୍ବଦଳୀୟ ବୈଠକ ପରେ ଗୃହକାର୍ଯ୍ୟ ସ୍ୱାଭାବିକ ହେବେ ହେଲେ ଗୃହ ମୁଲତବୀ ରହିଛି ।

ଶୀତକାଳୀନ ଅଧିବେଶନରେ ସରକାରଙ୍କୁ ଘେରିବାକୁ ରଣନୀତି କରିଛନ୍ତି ବିରୋଧୀ । ଆଦିବାସୀ ଜମି ହଡପ, ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଓ ଚାରିଦ୍ବାର ଖୋଲିବା, ମଣ୍ଡି ଅବ୍ୟବସ୍ଥା, ଚାଷୀ ଆତ୍ମହତ୍ୟା, ଆବାସ ଆବଣ୍ଟନରେ ଅନିୟମିତତା ପରି ପ୍ରସଙ୍ଗ ଉଠାଇବାକୁ ବିଜେପି ନିଷ୍ପତ୍ତି ନେଇଛି ।
ଗତକାଲିଠୁ ଆରମ୍ଭ ହୋଇଛି ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ । ଦିନ ୧୨ଟା ବେଳେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ଶୋକ ପ୍ରସ୍ତାବ ଆଗତ କରିଥିଲେ । ଡିସେମ୍ବର ୩୦ ତାରିଖ ଯାଏଁ ଚାଲିବାକୁ ଥିବା ଅଧିବେଶନରେ ମୋଟ୍ ୩୦ ଟି କାର୍ଯ୍ୟଦିବସ ରହିଛି । ଆଗାମୀ ନିର୍ବାଚନ ପୂର୍ବରୁ ଏହା ବିଧାନସଭାର ଶେଷ ପୂର୍ଣ୍ଣାଙ୍ଗ ଅଧିବେଶନ ।












Click it and Unblock the Notifications