ସବୁ ଜିଲ୍ଲାରେ ଖୋଲିବ ସାଇବର ଥାନା: ପୂରଣ ହେବ ନୂଆ ୨୦୦୦ ଟ୍ରାଫିକ୍ ପୁଲିସ ପଦ
ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଉପରେ ଏକ ଉଚ୍ଚସ୍ତରୀୟ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି । ଆଇନଶୃଙ୍ଖଳା ପରିସ୍ଥିତି ଏବଂ ପୁଲିସ ବିଭାଗରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ସମ୍ପର୍କରେ ଆଲୋଚନା ହୋଇଥିଲା। ଓଡ଼ିଶା ପୁଲିସ ପାଇଁ ଥିବା ତିନିଟି ପ୍ରମୁଖ ଆହ୍ୱାନ ସଡ଼କ ଦୁର୍ଘଟଣା କମ୍ କରିବା, ସାଇବର ଅପରାଧ ଏବଂ ଗଞ୍ଜେଇ ଚାଷକୁ ରୋକିବା ଦିଗରେ ଆଲୋଚନା ହୋଇଥିଲା।

ରାଜ୍ୟରେ ବର୍ତ୍ତମାନ ୨୧୯୮ ଜଣ ଟ୍ରାଫିକ ପୁଲିସ କାର୍ଯ୍ୟରତ ଅଛନ୍ତି। ସଡ଼କ ସୁରକ୍ଷା କ୍ଷେତ୍ରରେ ପ୍ରମୁଖ ଭୂମିକା ନେଉଥିବା ଟ୍ରାଫିକ୍ ବ୍ୟବସ୍ଥା ପାଇଁ ଚଳିତ ବର୍ଷ ଆଉ ୨୦୦୦ ନୂତନ ପଦବି ସୃଷ୍ଟି କରି ସେଗୁଡ଼ିକୁ ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହ ପୂରଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ସେହିପରି ରାଜ୍ୟରେ ୨୦୨୪ରେ ୨୬୩୩ଟି ସାଇବର ଅପରାଧ ମାମଲା ରୁଜୁ ହୋଇଛି। ସାଇବର ଅପରାଧ ନିୟନ୍ତ୍ରଣ ପାଇଁ ରାଜ୍ୟରେ ବର୍ତ୍ତମାନ ୧୪ଟି ଥାନା କାର୍ଯ୍ୟରତ ଅଛି। ସାଇବର ଠକେଇରେ ସାଧାରଣ ଲୋକମାନେ ବହୁତ କ୍ଷତିଗ୍ରସ୍ତ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଜିଲ୍ଲାରେ ସାଇବର ଥାନା କାର୍ଯ୍ୟକ୍ଷମ କରିବା ପାଇଁ ଆଉ ୨୦ଟି ନୂତନ ସାଇବର ଥାନା ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ପୂର୍ବରୁ କାର୍ଯ୍ୟକ୍ଷମ ଥିବା ଥାନାଗୁଡ଼ିକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ବାରୋପ କରାଯାଇଥିଲା। ସେହିପରି ରାଜ୍ୟରେ ଗଞ୍ଜେଇ ଚାଷ ଓ ଗଞ୍ଜେଇ ଚାଲାଣକୁ ରୋକିବା ପାଇଁ ଦୃଢ଼ ପଦକ୍ଷେପ ନେବାକୁ ଶ୍ରୀ ମାଝୀ କହିଥିଲେ।
ଭୁବନେଶ୍ୱର ଓ କଟକର ଅପରାଧ ନିୟନ୍ତ୍ରଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସହରରେ ରାତ୍ରକାଳୀନ ପାଟ୍ରୋଲିଂ ଓ ଚେକିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ପୋଲିସ କମିଶନରଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ରାଜ୍ୟର ସମସ୍ତ ସହରାଞ୍ଚଳରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ କୁହାଯାଇଛି। ମାଓବାଦୀପ୍ରବଣ ଜିଲାଗୁଡିକରେ ସୁରକ୍ଷା ବ୍ୟବସ୍ଥା ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବା ପାଇଁ ପୋଲିସ ଡିଜିଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ତେବେ ବାତ୍ୟା ଦାନାର ମୁକାବିଲା, ଡିଜି ଓ ଆଇଜି ସମ୍ମିଳନୀ, ପୁରୀରେ ନୌସେନା ଦିବସ ଏବଂ ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ଦିବସ ଭଳି ଗୁରୁତ୍ୱପୂର୍ଣ୍ଣ ଘଟଣା ଓ କାର୍ଯ୍ୟକ୍ରମରେ ରାଜ୍ୟ ପୋଲିସର ସଫଳ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି। ଆଗାମୀ ଦିନରେ ପୋଲିସ ବିଭାଗରେ ଖାଲିଥିବା ବିଭିନ୍ନ ପଦବୀ ପୂରଣ କରାଯାଇ ବିଭାଗକୁ ଅଧିକ ସୁଦୃଢ଼ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୋଲିସ ଡିଜି ୱାଇ.ବି. ଖୁରାନିଆ, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ଏବଂ ରାଜ୍ୟ ପୋଲିସର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।












Click it and Unblock the Notifications