ଦିଲ୍ଲୀରେ ଆୟୋଜିତ ହେଲା ଇନଭେଷ୍ଟର୍ସ ମିଟ୍; ଓଡ଼ିଶାରେ ନିବେଶ ପାଇଁ ଶିଳ୍ପପତିଙ୍କୁ ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ
ଦିଲ୍ଲୀରେ ଓଡ଼ିଶା ଆୟୋଜନ କରିଛି ଇନଭେଷ୍ଟର୍ସ ମିଟ୍ । ୨୦୨୨ ମେକ୍ ଇନ୍ ଓଡ଼ିଶା କନକ୍ଳେଭକୁ ନିବେଶକମାନଙ୍କୁ ଆକୃଷ୍ଟ କରିବା ପାଇଁ ଏହି ଆୟୋଜନ କରାଯାଇଛି ।
ନୂଆଦିଲ୍ଲୀ: ଦିଲ୍ଲୀରେ ଓଡ଼ିଶା ଆୟୋଜନ କରିଛି ଇନଭେଷ୍ଟର୍ସ ମିଟ୍ । ୨୦୨୨ ମେକ୍ ଇନ୍ ଓଡ଼ିଶା କନକ୍ଳେଭକୁ ନିବେଶକମାନଙ୍କୁ ଆକୃଷ୍ଟ କରିବା ପାଇଁ ଏହି ଆୟୋଜନ କରାଯାଇଛି। ୩୦ରୁ ଅଧିକ ଦେଶର ରାଷ୍ଟ୍ରଦୂତ ଏବଂ ବିଭିନ୍ନ ଶିଳ୍ପସଂସ୍ଥାର ୫୦୦ରୁ ଅଧିକ ପ୍ରତିନିଧି ଏହି ଇଭେଷ୍ଟର୍ସ ମିଟ୍ରେ ଯୋଗଦେଇଛନ୍ତି । ରାଜ୍ୟରେ ପୁଞ୍ଜି ନିବେଶର ସୁଯୋଗ ନେଇ ଅବଗତ କରାଯାଇଛି ।

ଏହି ଅବସରରେ ନିବେଶ ସହ ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି । କାହିଁକି ପୁଞ୍ଜିନିବେଶ ପାଇଁ ଓଡ଼ିଶା ବେଷ୍ଟ, ସେ ନେଇ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶା ସରକାର ଏବଂ ଫିକିର ସହଭାଗିତାରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଆସନ୍ତା ନଭେମ୍ବର ୩୦ ତାରିଖରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଆୟୋଜିତ ହେଉଛି ମେକ ଇନ ଓଡ଼ିଶା କନକ୍ଲେଭର ତୃତୀୟ ସଂସ୍କରଣ । କନକ୍ଲେଭରେ ବିଭିନ୍ନ ଦେଶରୁ ଅଧିକ ପୁଞ୍ଜି କିପରି ଓଡ଼ିଶାକୁ ଆସିବ ସେନେଇ ଗୁରୁତ୍ବ ଦେଇଛନ୍ତି ନବୀନ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଶିଳ୍ପମନ୍ତ୍ରୀ ପ୍ରତାପ ଦେବ, ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କ ସମେତ ବରିଷ୍ଠ ଅଧିକାରୀ ଏଥିରେ ଯୋଗଦେଇଛନ୍ତି । ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବର୍ସ ଅଫ୍ କମର୍ସ ବା ଫିକି ସହଯୋଗରେ ଇଭେଷ୍ଟର୍ସ ମିଟ୍ ଆୟୋଜନ କରିଛନ୍ତି ରାଜ୍ୟ ସରକାର । ଅତିଥିମାନଙ୍କୁ ଅଭିବାଦନ ଜଣାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଭାରତରେ ଓଡ଼ିଶା ଦ୍ରୁତ ଅଭିବୃଦ୍ଧି ହେଉଥିବା ରାଜ୍ୟ । ୧୫ ବର୍ଷ ଧରି ରାଜ୍ୟର ଅଭିବୃଦ୍ଧି ଜାତୀୟ ହାର ଠାରୁ ଅଧିକ ରହିଛି । ପୂର୍ବ ଭାରତରେ ପ୍ରମୁଖ ଶିଳ୍ପ ହବ୍ ହେବାକୁ ଯାଉଛି ଓଡ଼ିଶା । ପ୍ରାକୃତିକ ସମ୍ପଦ ରାଜ୍ୟ ପାଇଁ ବଡ଼ ସୁଯୋଗ ସୃଷ୍ଟି କରୁଛି । ତେଣୁ ଓଡ଼ିଶାରେ ନିବେଶ ପାଇଁ ସେ ଆହ୍ୱାନ ଦେଇଛନ୍ତି ।
ତେବେ ଦିଲ୍ଲୀ ପରେ ମୁମ୍ବାଇରେ ସେପ୍ଟେମ୍ବର ୧୪ରେ ଇନଭେଷ୍ଟରର୍ସ ମିଟ୍ ହେବ । ଏଥିରେ ମୁଖ୍ୟମନ୍ତ୍ରୀ ଯୋଗ ଦେବା ସହ ଶିଳ୍ପପତିଙ୍କୁ ନିବେଶ ପାଇଁ ନିମନ୍ତ୍ରଣ କରିବେ । ୨୦୧୮ରେ ମଧ୍ୟ ଏହିଭଳି ଭାବେ ଏକ ବୈଠକ ହୋଇଥିଲା ।












Click it and Unblock the Notifications