ରପ୍ତାନିରେ ଆଗରେ ଓଡ଼ିଶା: ବର୍ଷକରେ ବଢ଼ିଛି ୬୬ ପ୍ରତିଶତ, ଶ୍ରେଷ୍ଠ ୩ ଜିଲ୍ଲାରେ ଝାରସୁଗୁଡା
ଭୁବନେଶ୍ୱର: ଅନେକ କ୍ଷେତ୍ରରେ ପଛୁଆ ଓ ଗରିବ ରାଜ୍ୟ ଭାବେ ଗଣା ଯାଉଥିବା ଓଡ଼ିଶା ଏବେ ସାରା ଦେଶରେ ସପ୍ତମ ବୃହତମ ରପ୍ତାନୀକାରୀ ରାଜ୍ୟ । ବିଦେଶକୁ ସାମଗ୍ରୀ ରପ୍ତାନି କ୍ଷେତ୍ରରେ ଅନେକ ତଥାକଥିତ ଆଗୁଆ ରାଜ୍ୟ ଓଡ଼ିଶାଠୁ ଢେର୍ ପଛରେ ରହିଛନ୍ତି । ନିକଟରେ ପ୍ରକାଶ ପାଇଥିବା ନୀତି ଆୟୋଗ ରିପୋର୍ଟରୁ ଏହା ଜଣା ପଡିଛି ।
୨୦୨୧-୨୨ଆର୍ଥିକ ବର୍ଷରେ ଓଡ଼ିଶାରୁ ପ୍ରାୟ ୧ଲକ୍ଷ ୪୦ହଜାର କୋଟି ଟଙ୍କା ମୂଲ୍ୟର ସାମଗ୍ରୀ ରପ୍ତାନୀ ହୋଇଛି । ରାଜ୍ୟ ଜିଡିପିର ୩୫ ପ୍ରତିଶତ ରପ୍ତାନୀ କ୍ଷେତ୍ରରୁ ଆସିଛି । ରପ୍ତାନୀ ଅଭିବୃଦ୍ଧି ୨୦୨୦-୨୧ ତୁଳନାରେ ୬୬ପ୍ରତିଶତ । ୩୯ଟି ଦେଶକୁ ଓଡିଶାରୁ ଆଲୁମିନିୟମ ଆଲୟ, ୧୨ ଦେଶରେ ଲୁହାପଥର ଏବଂ ୨୭ ଦେଶକୁ ଫେରୋକ୍ରୋମ୍ ବିକ୍ରି କରାଯାଇଛି । ୩୬ ଟି ବିଦେଶୀ ରାଷ୍ଟ୍ରକୁ ଓଡିଶା ଚିଙ୍ଗୁଡ଼ି ଯାଉଛି ।

ରପ୍ତାନି ଅଭିବୃଦ୍ଧି ୨୦୨୦-୨୧ ତୁଳନାରେ ୬୬% ଓ କରୋନା ପୂର୍ବ ସମୟ ତୁଳନାରେ ୧୫୬% ଉଦ୍ଧ୍ୱର୍ରେ ରହିଛି । ରପ୍ତାନି କ୍ଷେତ୍ରରେ ସବୁଠାରୁ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଦେଶର ୨୫ ଜିଲାଗୁଡିକ ମଧ୍ୟରେ ଗୁଜରାଟର ଜାମନଗର, ଭାରୁଚ ପରେ ଓଡ଼ିଶାର ଝାରସୁଗୁଡା ଟପ୍ ୩ରେ ସାମିଲ ରହିଛି । ଏଠାରୁ ଇଞ୍ଜିନିୟରିଂ ଗୁଡ୍ସର ରପ୍ତାନି ଅଧିକ ରହୁଛି । ରାଜ୍ୟର ମୋଟ ରପ୍ତାନି କ୍ଷେତ୍ରକୁ ଏହି ଜିଲ୍ଲାର ଯୋଗଦାନ ୨୯.୮୬% ରହିଛି ।
ତେବେ ସର୍ବାଧିକ ରପ୍ତାନି କରୁଥିବା ରାଜ୍ୟ ମଧ୍ୟରେ ଗୁଜରାଟ, ମହାରାଷ୍ଟ୍ର, ତାମିଲନାଡୁ, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ ପ୍ରଥମ ୬ଟି ସ୍ଥାନରେ ରହିଛନ୍ତି । ଓଡ଼ିଶା ସପ୍ତମ ସ୍ଥାନରେ ଥିବା ବେଳେ ପଛକୁ ହରିଆଣା, ପଶ୍ଚିମବଙ୍ଗ ଏବଂ ତେଲେଙ୍ଗାନା ରହିଛନ୍ତି । ଏହି ୧୦ଟି ରାଜ୍ୟ ଦେଶର ମୋଟ ରପ୍ତାନି କ୍ଷେତ୍ରରେ ୮୫% ଯୋଗଦାନ ରଖୁଛନ୍ତି ।
ନୀତି ଆୟୋଗ ରିପୋର୍ଟ ଅନୁଯାୟୀ ନୀତିଗତ ପଦକ୍ଷେପ କ୍ଷେତ୍ରରେ ଓଡ଼ିଶା ୬ତମ ସ୍ଥାନରେ ଥିବା ବେଳେ ୯୯.୫୨ ସ୍କୋର ପାଇଛି । ସେହିଭଳି ବିଜ୍ନେସ ଇକୋସିଷ୍ଟମରେ ୧୫ (୪୬.୯୦) ସ୍କୋର, ଏକ୍ସପୋର୍ଟ ଇକୋସିଷ୍ଟମରେ ୧୨ ତମ (୫୨.୯୦ ସ୍କୋର), ରପ୍ତାନି ପରଫରମାନ୍ସରେ (୪୫.୦୫ ସ୍କୋର) ରହିଛି । ରାଜ୍ୟ ମଧ୍ୟରେ ରପ୍ତାନି କ୍ଷେତ୍ରରେ ୧୬ କ୍ଲଷ୍ଟର ରହିଛି । ସେହିଭଳି ରାଜ୍ୟ ଜିଡିପିକୁ ମର୍ଚ୍ଚାଣ୍ଡାଇଜ ରପ୍ତାନିର ଅଂଶ ୧୯.୮୫% ରହିଛି ।












Click it and Unblock the Notifications