ଅସମ୍ଭାଳ ହେଲାଣି ତାତି: ୩୯ ଡିଗ୍ରୀ ଉପରେ ୪ ସହର
Odisha Heat Wave News: ଗ୍ରୀଷ୍ମ ଋତୁ ଆରମ୍ଭରୁ ଅସମ୍ଭାଳ ହେଲାଣି ତାତି । ରାଜ୍ୟରେ ଶୁଷ୍କ ଉଷ୍ମ ବାୟୁ ପ୍ରବାହ ବଢିବା ଯୋଗୁ ତାପାମାତ୍ରାରେ ମଧ୍ୟ ବୃଦ୍ଧି ପାଉଛି। ଉପକୂଳ ଓଡ଼ିଶା ସମେତ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ତାପମାତ୍ରା ବଢିବାରେ ଲାଗିଛି ।
ଆଜି ଦିନ ସାଢ଼େ ୨ଟା ୩୦ ସୁଦ୍ଧା ରାଜ୍ୟର ୪ଟା ସହରର ତାପମାତ୍ରା ୩୯ ଡିଗ୍ରୀ ଅଧିକ୍ରମ କରିଛି । ତେବେ ସବୁଠାରୁ ଉତ୍ତପ୍ତ ସହର ଭାବେ ଝାରସୁଗୁଡ଼ାରେ ୩୯.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ବୁଲେଟିନ୍ ଅନୁସାରେ ଝାରସୁଗୁଡାରେ ୩୯.୬ ଡ଼ିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁରରେ ୩୯.୬ ଡ଼ିଗ୍ରୀ, ଭୁବନେଶ୍ୱରରେ ୩୯.୦ ଡ଼ିଗ୍ରୀ, ଚାନ୍ଦବାଲିରେ ୩୯.୦ ଡ଼ିଗ୍ରୀ, ହୀରାକୁଦରେ ୩୭.୬ ଡ଼ିଗ୍ରୀ, ବାଲେଶ୍ୱରରେ ୩୬.୪ ଡ଼ିଗ୍ରୀ, କେନ୍ଦୁଝରରେ ୩୬.୨ ଡ଼ିଗ୍ରୀ, ପୁରୀରେ ୩୩.୬ ଡ଼ିଗ୍ରୀ, ପାରାଦୀପରେ ୩୩ ଡ଼ିଗ୍ରୀ, ଗୋପାଳପୁରରେ ୩୧.୬ ଡ଼ିଗ୍ରୀ ରେକର୍ଡ କରାଯାଇଛି ।

ତେବେ ଆଜି ସକାଳ ସାଢ଼େ ୮ ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରର ତାପମାତ୍ର ୩୧ଡିଗ୍ରୀ ଛୁଇଁଥିଲା ବେଳେ ଦିନ ୧୧ଟା ସୁଦ୍ଧା ତାପମାତ୍ରା ୩୭.୨ ଡିଗ୍ରୀ ରେକର୍ଡ କରାଯାଇଥିଲା । ଏମିତିକା ପାଗ ଆଗକୁ ୩ରୁ ୪ ଦିନ ପର୍ଯ୍ୟନ୍ତ ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଆସନ୍ତା ୩ ଦିନରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩ ଡିଗ୍ରୀ ଯାଏ ବଢ଼ିବ।
ସେପଟେ ରାଜ୍ୟରେ ଆଜି କେତେକ ଜିଲ୍ଲାକୁ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି । ଆଜି ପାଇଁ ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମୟୂରଭଞ୍ଜ, କେନ୍ଦୁଝର, କନ୍ଧମାଳ, ଗଜପତି, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲା କୁ ୱାର୍ଣ୍ଣିଂ ଜାରି ହୋଇଛି ।












Click it and Unblock the Notifications