ଗ୍ରୀଷ୍ମ ପ୍ରବାହ: ବର୍ଷୁଛି ନିଆଁ, ୪୦ ଡ଼ିଗ୍ରୀ ଉପରେ ୩ ସହର; ଦେଖନ୍ତୁ କେଉଁଠି କେତେ ତାପମାତ୍ରା ?
ଭୁବନେଶ୍ୱର: ଜଳୁଛି ଓଡିଶା । ବର୍ଷୁଛି ନିଆଁ । ତାତିରେ ଆଉଟ୍ ପାଉଟ୍ ହେଉଛି ଜନଜୀବନ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁସାରେ, ଅପରାହ୍ନ ୨ଟା ୩୦ ସୁଦ୍ଧା ୩ ସହର ତାପମାତ୍ରା ୪୦ ଡ଼ିଗ୍ରୀ ଉପରେ ରହିଛି । ସେହିପରି ଆଜି ମଧ୍ୟ ଝାରସୁଗୁଡା ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପଲଟିଛି ।

ତେବେ ଝାରସୁଗୁଡାରେ ସର୍ବାଧିକ ତାପମାତ୍ରା ୪୨.୪ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ସମ୍ବଲପୁର: ୪୧.୮ ଡ଼ିଗ୍ରୀ, ହୀରାକୁଦ: ୪୦.୪ ଡ଼ିଗ୍ରୀ, ଚାନ୍ଦବାଲି: ୩୯.୬ ଡ଼ିଗ୍ରୀ, ଭୁବନେଶ୍ୱର: ୩୯.୪ ଡ଼ିଗ୍ରୀ, କେନ୍ଦୁଝର: ୩୮ ଡ଼ିଗ୍ରୀ, ବାଲେଶ୍ୱର: ୩୭.୨ ଡ଼ିଗ୍ରୀ, ପୁରୀ: ୩୫.୨ ଡ଼ିଗ୍ରୀ, ଗୋପାଳପୁର: ୩୫.୨ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ତେବେ ଗତକାଲି ତୁଳନାରେ ଆଜି ରାଜଧାନୀ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି । ଆଜି ଅପରାହ୍ନ ୨.୩୦ ସୁଦ୍ଧା ଭୁବନେଶ୍ୱର ତାପମାତ୍ର ୩୯.୪ ରହିଛି ।
ସେପଟେ ଆସନ୍ତାକାଲିଠୁ ଅର୍ଥାତ୍ ୧୩ ତାରିଖରୁ ୧୫ ତାରିଖ ଯାଏଁ କିଛି ଜିଲ୍ଲାରେ ଗ୍ରୀଷ୍ମ-ପ୍ରବାହ ସମ୍ଭାବନା ଥିବା କହିଛି ପାଣିପାଗ କେନ୍ଦ୍ର । ରାଜ୍ୟର ୪ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ଏହି ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ, କେନ୍ଦୁଝର ମୟୂରଭଞ୍ଜ ଓ ବାଲେଶ୍ୱର । ନିହାତି ଦରକାର ନ ପଡିଲେ ଲୋକଙ୍କୁ ଦିନ ୧୧ଟାରୁ ୨ଟା ପର୍ଯ୍ୟନ୍ତ ଘରୁ ନ ବାହାରବାକୁ କୁହାଯାଇଛି ।
ତେବେ ୧୬ ତାରିଖରେ ଏଥିରେ ବ୍ରେକ ଲାଗିବ । କାରଣ ଏହି ସମୟରେ ରାଜ୍ୟ ମଧ୍ୟକୁ ବଙ୍ଗୋପସାଗର ରୁ ବାୟୁପ୍ରବାହ ସମ୍ଭାବନା ହେତୁ ଉତ୍ତର ଉପକୂଳ ସମେତ, ଖୋର୍ଦ୍ଧା, ନୟାଗଡ, କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ, ମୟୁରଭଞ୍ଜ, କେନ୍ଦୁଝର ଜିଲ୍ଲାରେ ବର୍ଷାର ସମ୍ଭାବନ ରହିଛି ।
ସେପଟେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଜିଠାରୁ ୧୬ ତାରିଖ ପର୍ଯ୍ୟନ୍ତୁ ସ୍କୁଲ ବନ୍ଦ କରି ଦିଆଯାଇଛି । ତେବେ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲର ଦଶମ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ ବନ୍ଦ ଥିଲେ ହେଁ, କଲେଜ ଖୋଲା ରହିଛି । ପ୍ରଚଣ୍ଡ ତାତିରେ ପିଲା କେମିତି କଲେଜ ଯିବେ ସେନେଇ ପ୍ରଶ୍ନ ଉଠିଛି । ତେଣୁ ତୁରନ୍ତ କଲେଜ ବନ୍ଦ କରିବାକୁ ନହେଲେ ଅନଲାଇନ୍ କ୍ଲାସ କରିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ ।












Click it and Unblock the Notifications