ଅସହ୍ୟ ଗରମ: ସକାଳ ୮ ସୁଦ୍ଧା ୩୦ ଡିଗ୍ରୀ ଟପିଲା ୬ ସହରର ତାପମାତ୍ରା
ଭୁବନେଶ୍ବର: ସକାଳୁ ବି ଜାଳୁଛି ଖରା । ଘରୁ ବାହାରିବାକୁ ଡ଼ର ଲାଗିଲାଣି । ସକାଳ ୮ ଟା ୩୦ ସୁଦ୍ଧା ୩୦ ଡିଗ୍ରୀ ଟପିଲା ୬ ସହରର ତାପମାତ୍ରା । ଅସହ୍ୟ ଗରମରେ ସିଝୁଛି ରାଜଧାନୀ ସମେତ ସାରା ଓଡ଼ିଶା । ଆକାଶରୁ ବର୍ଷୁଛି ନିଆଁ । ତାତିରେ ଆଉଟ୍ ପାଉଟ୍ ହେଉଛି ଜନଜୀବନ ।
ସକାଳ ୮ଟା ୩୦ ସୁଦ୍ଧା ୩୩ ଡିଗ୍ରୀ ସହ ବାଲେଶ୍ବର ସବୁଠୁ ଉତ୍ତପ୍ତ ସହର ପଲଟିଛି । ସେହିପରି ପୁରୀ ୩୨.୨, ଭୁବନେଶ୍ବର ୩୧.୬, ଝାରସୁଗୁଡ଼ା ୩୧ ଡିଗ୍ରୀ, ଚାନ୍ଦବାଲି ୩୦.୮ ଓ କେନ୍ଦୁଝର ୩୦.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ସେପଟେ ଆଜିଠୁ ସାରା ରାଜ୍ୟରେ ଆହୁରି ବଢିବ ତାତି । ଏଥିପାଇଁ ୪ଟି ଜିଲ୍ଲା ବାଲେଶ୍ବର, ମୟୁରଭଞ୍ଜ, ସୁନ୍ଦରଗଡ ଏବଂ କେନ୍ଦୁଝରକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ୧୪ ତାରିଖରେ ୮ଟି ଜିଲ୍ଲା ଏବଂ ୧୫ ତାରିଖରେ ୯ ଜିଲ୍ଲାକୁ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ସତର୍କତା ଜାରି କରାଯାଇଛି । ନିହାତି ଦରକାର ନ ପଡିଲେ ଲୋକଙ୍କୁ ଦିନ ୧୧ଟାରୁ ୨ଟା ପର୍ଯ୍ୟନ୍ତ ଘରୁ ନ ବାହାରବାକୁ କୁହାଯାଇଛି ।
ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ୪୦ ରୁ ୪୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ରେକର୍ଡ ହୋଇପାରେ । ସେହିଭଳି ଉପକୂଳ ଓଡ଼ିଶାର ଖୋର୍ଦ୍ଧା, ପୁରୀ, ନୟାଗଡ, ଜଗତସିଂହପୁର, ଯାଜପୁର, ଭଦ୍ରକ, ଅନୁଗୁଳ, ଢେଙ୍କାନାଳ ଜିଲ୍ଲାରେ ମଧ୍ୟ ତାତି ୪୦ ଡିଗ୍ରୀ ଅତିକ୍ରମ କରିବ । ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପିକ୍ ଆଓ୍ବାର ଘୋଷଣା କରିଛି ପାଣିପାଗ କେନ୍ଦ୍ର ।
ତେବେ ୧୬ ତାରିଖରେ ଏଥିରେ ବ୍ରେକ ଲାଗିବ । ପାଗରେ ପରିବର୍ତ୍ତନ ହେବା ସହ ରାଜ୍ୟର କିଛି ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି । ବଙ୍ଗୋପସାଗରରୁ ବାୟୁପ୍ରବାହ ସମ୍ଭାବନା ହେତୁ ଉତ୍ତର ଉପକୂଳ ସମେତ, ଖୋର୍ଦ୍ଧା, ନୟାଗଡ, କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ, ମୟୁରଭଞ୍ଜ, କେନ୍ଦୁଝର ଜିଲ୍ଲାରେ ବର୍ଷାର ସମ୍ଭାବନ ରହିଛି ।
ସେପଟେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ୧୬ ତାରିଖ ପର୍ଯ୍ୟନ୍ତୁ ସ୍କୁଲ ବନ୍ଦ କରି ଦିଆଯାଇଛି । ତେବେ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲର ଦଶମ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ ବନ୍ଦ ଥିଲେ ହେଁ, କଲେଜ ଖୋଲା ରହିଛି ।












Click it and Unblock the Notifications