Odisha Heat Wave: ତାପମାତ୍ରା ୩୫ ଡିଗ୍ରୀ ପାର୍, ଫେବୃଆରୀରେ ଉପରମୁହାଁ ପାରଦ
ରାଜ୍ୟରେ ଉପରମୁହାଁ ପାରଦ । ଓଡ଼ିଶାରେ 35 ଡିଗ୍ରୀ ପାର କଲା ଦିନର ତାପମାତ୍ରା । ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାରେ ତାତି ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ତ୍ତମାନ ରାଜ୍ୟରେ ମେଘମୁକ୍ତ ଆକାଶ ସହ ସୂର୍ଯ୍ୟଙ୍କ ଟାଣ କିରଣ ପାଇଁ ତାତି ବୃଦ୍ଧି ପାଉଛି ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ତାତି ସହ ଅସ୍ତବ୍ୟସ୍ତ କରିବ ଅସହ୍ୟ ଗୁଳୁଗୁଳି । ଦୀର୍ଘମିଆଦି ଆକଳନରେ ଏଭଳି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।
8 ତାରିଖ ଯାଏ ପାଗ ଶୁଖିଲା !
ପାଣିପାଗ ବିଜ୍ଞାନୀ ସଞ୍ଜୀବ ଦ୍ବିବେଦୀ କହିଛନ୍ତି,"ଗତ ୨୪ ଘଣ୍ଟାରେ ଓଡିଶାରେ ଶୁଖିଲା ପାଗ ରହିଛି । 3ଟି ସ୍ଥାନ ଅର୍ଥାତ ଅନୁଗୋଳ, ଗୋପାଳପୁର ଏବଂ ଛତ୍ରପୁରରେ ଘନ କୁହୁଡ଼ି ଦେଖା ଦେଇଛି । ଯଦି ସର୍ବନିମ୍ନ ତାପମାତ୍ରା ଦେଖିବା ତାହାଲେ ସେମିଳିଗୁଡ଼ାରେ ୧୨ ଡିଗ୍ରୀ, କୋରାପୁଟରେ ୧୪ ଡ଼ିଗ୍ରୀ , ନୂଆପଡ଼ାରେ ୧୫ ଡ଼ିଗ୍ରୀ ଏବଂ ଦାରିଙ୍ଗବାଡ଼ିରେ ୧୫.୫ ଡ଼ିଗ୍ରୀ ରେକର୍ଡ କରାଯାଇଛି । ଆସନ୍ତା 8 ତାରିଖ ଯାଏ ପାଗ ମୁୁଖ୍ୟତଃ ଶୁଖିଲା ରହିବା ସମ୍ଭାବନା ରହିଛି ।"

୩ ଏବଂ ୪ ତାରିଖ ପାଇଁ ଆଲର୍ଟ :
୩ ତାରିଖରେ ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ଗଞ୍ଜାମ, ଅନୁଗୋଳ, ଢେଙ୍କାନାଳ ଏବଂ ନୟାଗଡ ଜିଲ୍ଲାକୁ ଘନ କୁହୁଡି ନେଇ ସତର୍କତା ଜାରି କରାଯାଇଛି । ଆସନ୍ତା ୪ ତାରିଖ ପାଇଁ ଅନୁଗୋଳ,କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଢେଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, ଗଞ୍ଜାମ, ଭଦ୍ରକ, ଯାଜପୁର, କନ୍ଧମାଳରେ ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣଂ ଜାରି କରାଯାଇଛି ।
ଏହି ସବୁ ଜିଲ୍ଲାରେ ଦୃଶ୍ୟମାନ ଦୂରତା ୫୦ ମିଟର ତଳକୁ ଖସିଯିବ । କିଛି ଅଞ୍ଚଳରେ ଜିରୋ ଭିଜିବିଲିଟି ହେବାର ସମ୍ଭାବନା ରହିଛି । ଏଥିପାଇଁ ଘାଟିରାସ୍ତା ଏବଂ ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ଗାଡି ଚାଳନା ସମୟରେ ସତର୍କତା ଅବଲମ୍ବନ କରବା ପାଇଁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର ।












Click it and Unblock the Notifications