Odisha Heat Wave: ଆହୁରି କଲବଲ କରିବ ତାତି, ସାଢ଼େ ୮ଟା ସୁଦ୍ଧା ରାଜ୍ୟର ୧୮ ସହରର ତାପମାତ୍ରା ୩୦ ଡିଗ୍ରୀ
ତେଲ କଡ଼େଇରେ ଭାଜି ହେଉଛି ଓଡ଼ିଶା। ଆହୁରି କଲବଲ କରିବ ତାତି । ରାତିରେ ବି ମିଳିବ ନାହିଁ ତ୍ରାହି । ପ୍ରବଳ ଖରାରୁ ନିସ୍ତାର ନାହିଁ ।
ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ରାଜ୍ୟର ୧୮ ସହରର ତାପମାତ୍ରା ୩୦ ଡିଗ୍ରୀ ଅତିକ୍ରମ କରିଛି । ୩୫.୮ ଡିଗ୍ରୀ ସହ ତାଳଚେର ସବୁଠୁ ଉତପ୍ତ ସହର ପାଲଟିଛି ।
ଅନୁଗୁଳ ଓ ବାଲେଶ୍ୱରରେ ୩୫ ଡିଗ୍ରୀ, ଜଗତସିଂହପୁରରେ ୩୪.୮, ଭବାନୀପାଟଣା, ନୟାଗଡ଼ ଓ ବାରିପଦାରେ ୩୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଆଜିଠୁ ଗ୍ରୀଷ୍ମ ପ୍ରବାହ ଶିଖରକୁ ଛୁଇଁବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ରାଜଧାନୀ ଭୁବନେଶ୍ୱରରେ ପାରଦ ୩୩.୪ ଡିଗ୍ରୀ ଛୁଇଁଛି । ଆହୁରି ଦୁଇ ଦିନ ଯାଏ ତାତିରୁ ନିସ୍ତାର ମିଳିବନି । କିଛି ଅଞ୍ଚଳରେ ଦିନର ତାପମାତ୍ରା ୪୫ ଡିଗ୍ରୀ ଛୁଇଁବା ସମ୍ଭାବନା ରହିଛି ।

ଗତକାଲି ୪୩.୨ ଡିଗ୍ରୀ ସହ ତାଳଚେର ସବୁଠୁ ଉତ୍ତପ୍ତ ସ୍ଥାନ ପାଲଟିଥିଲା। ସେହିପରି ନୂଆପଡ଼ା ୪୩, ପାରଳାଖେମୁଣ୍ଡି ଓ ବୌଦ୍ଧ ୪୨.୮ ଡିଗ୍ରୀ ଅନୁଗୁଳ ଓ ନୟାଗଡ଼ ୪୨.୭, ବାରିପଦା ୪୨.୬ ଏବଂ ଟିଟିଲାଗଡ଼ରେ ୪୨.୫ ଡିଗ୍ରୀ ରେକର୍ଡ କରାଯାଇଥିଲା ।
ସେପଟେ ତାପମାତ୍ରା ବଢ଼ିବା ଯୋଗୁଁ ୩ ଦିନ ସ୍କୁଲ ବନ୍ଦ କରାଯାଇଛି। ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରାକୁ ଦୃଷ୍ଟିରେ ରଖି ୩ ଦିନ ପାଇଁ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏପ୍ରିଲ ୧୮ରୁ ୨୦ ତାରିଖ ଯାଏଁ ବନ୍ଦ ରହିବ ରାଜ୍ୟର ସମସ୍ତ ସ୍କୁଲ ।
ଆଜିଠୁ ଆସନ୍ତା ରବିବାର ଅର୍ଥାତ ୨୦ ତାରିଖ ଯାଏଁ ରାଜ୍ୟର ୪ଟି ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ । ସେହି ଜିଲ୍ଲାଗୁଡିକ ହେଉଛି ମୟୂରଭଞ୍ଜ, ନୟାଗଡ, ନୂଆପଡା ଓ ଗଜପତି ଜିଲ୍ଲା । ତେଣୁ ଏହି ୪ ଜିଲ୍ଲାକୁ ସିଭିୟର ହିଟ ୱେଭ ପାଇଁ ଦୁଇ ଦିନ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏଥିସହ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି ।












Click it and Unblock the Notifications