ସକାଳୁ ସକାଳୁ ରାଜଧାନୀ ସବୁଠୁ ଉତ୍ତପ୍ତ ସହର, ସକାଳ ୮.୩୦ ସୁଦ୍ଧା ତାପମାତ୍ରା ଟପିଲା...
ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମର ତାଣ୍ଡବ । ସକାଳ ୮ ବାଜିଲେ ଆରମ୍ଭ ହୋଇ ଯାଉଛି ଗ୍ରୀଷ୍ମ ପ୍ରବାହର ପ୍ରକୋପ । ଆଜି (ରବିବାର) ସକାଳୁ ସକାଳୁ ରାଜଧାନୀ ସବୁଠୁ ଉତ୍ତପ୍ତ ପାଲଟିଛି । ସକାଳ ୮.୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ୩୩.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ଆଜି ସକାଳ ୧୧.୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ୩୮.୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
ତେବେ ଏହି ଭଳି ତାତି ଓ ଗୁଳୁଗୁଳି ଆସନ୍ତା ୩ ଦିନ ଅର୍ଥାତ ୨୪ ତାରିଖ ପର୍ଯ୍ୟନ୍ତ ଲାଗି ରହିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅତ୍ୟଧିକ ଦିନ ତାପମାତ୍ରା ଓ ବାୟୁମଣ୍ଡଳର ଆର୍ଦ୍ରତା ଯୋଗୁଁ ଏପରି ପରିସ୍ଥିତି ସୃଷ୍ଟି ହେଉଛି ବୋଲି କହିଛି ପାଣିପାଗ କେନ୍ଦ୍ର ।

ତେବେ ୨୪ ତାରିଖ ପରେ ତାପମାତ୍ରାରେ ପରିବର୍ତ୍ତନ ହେବ। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର କେତେକ ଅଞ୍ଚଳରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି । କିନ୍ତୁ ଏଥିପାଇଁ ତାପମାତ୍ରାରେ ବିଶେଷ କିଛି ପରିବର୍ତ୍ତନ ହେବ ନାହିଁ । ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ତାପମାତ୍ରା ୪୨ ଡିଗ୍ରି ଉପରେ ରହିବ ।
ଏହି ଜିଲ୍ଲା ଗୁଡୁକ ହେଲା ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୁଳ, ବୌଦ୍ଧ, ସୋନପୁର, ବରଗଡ଼, ବଲାଙ୍ଗୀର, କଳାହାଣ୍ଡି ଓ ଝାରସୁଗୁଡ଼ା । ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ନୟାଗଡ଼, କନ୍ଧମାଳ, କଟକ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ବର ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଆସନ୍ତାକାଲି ୮ ଜିଲ୍ଲାକୁ କାଳବୈଶାଖୀ ପାଇଁ ସତର୍କତା ଜାରି କରାଯାଇଛି ।












Click it and Unblock the Notifications