ସରକାରୀ କର୍ମଚାରୀଙ୍କୁ ମୁଖ୍ୟ ସଚିବଙ୍କ ଚେତାବନୀ, ବଦଳି କିମ୍ବା ପୋଷ୍ଟିଂ ପାଇଁ ଚାପ ପକାଇଲେ ହେବ ଆକ୍ସନ
ଭୁବନେଶ୍ଵର: ଏଣିକି ବଦଳି ପାଇଁ ଚାପ ପକାଇଲେ ଆକ୍ସନ । କଠୋର ଆଭିମୁଖ୍ୟ ଗ୍ରହଣ କଲେ ସରକାର । ଏଣିକି ମନପସନ୍ଦ ସ୍ଥାନକୁ ବଦଳି କିମ୍ବା ପୋଷ୍ଟିଂ ପାଇଁ ଚାପ ପକାଇଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ । ଏନେଇ ସବୁ ବିଭାଗର ସଚିବମାନଙ୍କୁ ଚିଠି ଲେଖି ଜଣାଇଛନ୍ତି ମୁଖ୍ୟ ସଚିବ ମନୋଜ ଆହୁଜା। ନେତା-ମନ୍ତ୍ରୀଙ୍କ ଲିଖିତ ସୁପାରିଶ ଆଣି ନିଜର ବଦଳି ଓ ପଦୋନ୍ନତି ପାଇଁ ଚାପ ପକାଇବା ଏଣିକି ସରକାରୀ କର୍ମଚାରୀଙ୍କୁ ମହଙ୍ଗା ପଡ଼ିବ।କିଛି କର୍ମଚାରୀ ବଦଳି ପାଇଁ ଚାପ ପକାଉଥିବା ନଜର ଆସିଛି। ଯାହା ଚାକିରି ସର୍ତ୍ତାବଳୀ ନିୟମକୁ ଉଲ୍ଲଂଘନ କରୁଛି।
ଏହା ସହିତ ଏହି ଗାଇଡଲାଇନର ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ପାଇଁ ସଚିବ ଓ ଜିଲ୍ଲାପାଳମାନଙ୍କୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ସଚିବ ତାଙ୍କ ଚିଠିରେ ଲେଖିଛନ୍ତି, କିଛି ସରକାରୀ କର୍ମଚାରୀ ନିଜର ବଦଳି କିମ୍ବା ନିଯୁକ୍ତି ପାଇଁ ବାହ୍ୟ ଚାପ ପକାଇବାକୁ ପ୍ରୟାସ କରୁଛନ୍ତି। ଏଭଳି ଅଭ୍ୟାସ 'ଓଡ଼ିଶା ଗଭର୍ଣ୍ଣମେଂଟ ସର୍ଭ୍ୟାଣ୍ଟ କଣ୍ଡକ୍ଟ ରୁଲସ୍-୧୯୫୯ର ରୁଲ-୨୩ର' ସିଧାସଳଖ ଉଲ୍ଲଘଂନ।

ସରକାରୀ କର୍ମଚାରୀମାନେ ନିଜର ଆଚରଣରେ ଉଚ୍ଚମାନର ନିଷ୍ଠା ବଜାୟ ରଖିବା ସହ ସମସ୍ତ ସେବା ପ୍ରସଙ୍ଗରେ ସ୍ୱଚ୍ଛତା ଓ ପାରଦର୍ଶିତାର ନୀତି ଅବଲମ୍ବନ କରିବା ଆବଶ୍ୟକ। ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରଚଳିତ ନୀତି ଆଧାରରେ ସ୍ୱାଭାବିକ ଭାବେ କର୍ମଚାରୀମାନଙ୍କ ବଦଳି ଓ ନିଯୁକ୍ତି କରାଯାଇଥାଏ।
ତେଣୁ ଏହି ପ୍ରକ୍ରିୟାକୁ ପ୍ରଭାବିତ କରିବା ପାଇଁ ଯେକୌଣସି ପ୍ରକାରର ଉଦ୍ୟମକୁ ଗୁରୁତର ଖରାପ ଆଚରଣ ଭାବେ ବିଚାର କରାଯିବ ଓ ଏଥିପାଇଁ ସମ୍ପୃକ୍ତ କର୍ମଚାରୀଙ୍କୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ମୁଖ୍ୟ ସଚିବ ଚିଠିରେ ଦର୍ଶାଇଛନ୍ତି।












Click it and Unblock the Notifications