ନିଲମ୍ବନ ହଟିବା ପରେ ଡିଏସ୍ କୁଟ୍ଟେଙ୍କୁ ଓଏସ୍ଡି ଭାବେ ନିଯୁକ୍ତି ଦେଲେ ରାଜ୍ୟ ସରକାର
ଭୁବନେଶ୍ୱର: ଆଇପିଏସ ଡିଏସ କୁଟ୍ଟେଙ୍କୁ ରାଜ୍ୟ ଗୃହ ବିଭାଗ ଓଏସଡି ଭାବେ ନିଯୁକ୍ତି ମିଳିଛି । ଏନେଇ ଗୃହ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ନିଲମ୍ବନ ଉଠିବା ପରେ କୁଟ୍ଟେଙ୍କୁ ନିଯୁକ୍ତି ଦେଇଛନ୍ତି ସରକାର । ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶରେ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ସଚିବ ଶ୍ରୀ କୁଟ୍ଟେ ସାଧାରଣ ନିର୍ବାଚନ ସମୟରେ ନିଲମ୍ବିତ ହୋଇଥିଲେ ।
ନିର୍ବାଚନ ଗତିବିଧିରେ ସେ ସକ୍ରିୟ ଥିବା ନେଇ ଅଭିଯୋଗ ହେଲା ପରେ ତାଙ୍କୁ ନିଲମ୍ବନ କରାଯାଇଥିଲା । ଏବେ ନିଲମ୍ବନ ଉଠିବା ପରେ କୁଟ୍ଟେଙ୍କୁ ସରକାର ନିଯୁକ୍ତି ଦେଇଛନ୍ତି । ଗୃହ ବିଭାଗ ପକ୍ଷରୁ ଆଜି ପ୍ରକାଶିତ ବଜ୍ଞପ୍ତି ଅନୁସାରେ, ୧୯୯୭ ବ୍ୟାଚ୍ ଆଇପିଏସ୍ ଶ୍ରୀ କୁଟ୍ଟେଙ୍କ ଉପରୁ ନିଲମ୍ବନକୁ ସର୍ତ୍ତମୂଳକ ଭାବେ ହଟାଇବା ପାଇ ନିର୍ବାଚନ କମିଶନ ଗତ ଜୁନ୍ ୬ତାରିଖରେ ନିର୍ଦ୍ଦେଶ ଦେଇଥିଲେ ।
ଏହାସହିତ ମେ' ୨୮ତାରିଖ ନିର୍ଦ୍ଦେଶରେ ତାଙ୍କ ବିରୁଦ୍ଧରେ ଆଇନତଃ ଆବଶ୍ୟକତା ଅନୁସାରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଜାରି ରଖିବାକୁ ପରାମର୍ଶ ଦେଇଥିଲେ । ନିର୍ବାଚନ କମିଶନଙ୍କ ମେ' ୨୮ତାରିଖର ନିର୍ଦ୍ଦେଶ ଓ ଜୁନ୍ ୬ତାରିଖର ସୁପାରିଶକୁ ଆଧାର କରି ଆଜି ତତ୍କାଳ ପ୍ରଭାବରୁ ଆଇପିଏସ୍ ଡିଏସ୍ କୁଟ୍ଟେଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରିଛନ୍ତି । ତେବେ ତାଙ୍କ ବିରୁଦ୍ଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଜାରି ରହିବ ବୋଲି ଗୃହ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ଏହାସହିତ ତାଙ୍କୁ ଗୃହ ବିଭାଗର ଓଏସଡି ଭାବେ ନିଯୁକ୍ତି ମିଳିଛି । ଶ୍ରୀ କୁଟ୍ଟେ କେଉଁଠି ଅଛନ୍ତି ସେନେଇ ରାଜ୍ୟ ସରକାରଙ୍କ ପାଖରେ କିଛି ଖବର ନଥିବାରୁ ତାଙ୍କୁ ଏହି ନିର୍ଦ୍ଦେଶ ସମ୍ପର୍କରେ ଅବଗତ କରିବା ପାଇଁ ନୂଆଦିଲ୍ଲୀସ୍ଥିତ ଆବାସିକ କମିଶନର କାର୍ଯ୍ୟାଳୟକୁ ତାଗିଦ୍ କରାଯାଇଛି । ଗୃହ ବିଭାଗ ଆଜି ଡିଏସ କୁଟ୍ଟେଙ୍କ ସଂକ୍ରାନ୍ତୀୟ ଏହି ନିର୍ଦ୍ଦେଶନାମାର ୩ଟି କପି ଆବାସିକ କମିଶନରଙ୍କ ନିକଟକୁ ପଠାଇଛି ।

ସେଥିରୁ ଗୋଟିଏ କପି ଶ୍ରୀ କୁଟ୍ଟେଙ୍କୁ ପ୍ରଦାନ କରିବେ, ଅନ୍ୟ ଗୋଟିଏ କପିରେ ଡିଏସ କୁଟ୍ଟେଙ୍କ ପ୍ରାପ୍ତିସ୍ୱୀକାର ଥାଇ ଗୃହ ବିଭାଗକୁ ରେକର୍ଡ ନିମନ୍ତେ ଫେରସ୍ତ କରାଇବେ ଓ ଅନ୍ୟ କପିକୁ ଆବାସିକ କମିଶନରଙ୍କ କାର୍ଯ୍ୟାଳୟରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।ସୁଚନାନୁସାରେ ଗତ ନିର୍ବାଚନ ପ୍ରକ୍ରିୟାରେ ଅନୈତିକ ହସ୍ତକ୍ଷେପ ପାଇଁ ତାଙ୍କୁ ସସପେଣ୍ଡ କରାଯାଇଥିଲା । ସସପେଣ୍ଡ କାଳରେ ସେ ନୂଆଦିଲ୍ଲୀ ଆବାସିକ କମିଶନରଙ୍କ ଅଫିସରେ ରହି ସେ କାର୍ଯ୍ୟ କରୁଥିଲେ ।
ଯାହା ପରେ ଆଜି ତାଙ୍କର ନିଲମ୍ବନକୁ ହଟାଯାଇଛି । କୁଟ୍ଟେଙ୍କ ପୁରା ନାମ ହେଉଛି ଧିରେନ୍ଦ୍ର ସମ୍ଭାଜି କୁଟ୍ଟେ । ୨୦୧୯ ଅକ୍ଟୋବର ୨୩ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସେ ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତ ହୋଇଥିଲେ । ଏଥିସହ ସେ ଓଡ଼ିଶା ପୋଲିସର ଅତିରିକ୍ତ ମହା ନିର୍ଦ୍ଦେଶକ ମଧ୍ୟ ଥିଲେ ।
୧୯୯୭ ବ୍ୟାଚର ଆଇପିଏସ ଅଧିକାରୀ କୁଟ୍ଟେ ୨୦୧୭ ଏପ୍ରିଲରୁ ମୁଖ୍ୟମନ୍ତ୍ରୀଙ୍କ ସ୍ପେଶାଲ ଡ୍ୟୁଟି ପାଇ ନିୟୋଜିତ ହୋଇଥିଲେ । ୨୦୨୩ ସାଧାରଣତନ୍ତ୍ର ଦିବସରେ ନିଜର ଉଲ୍ଲେଖନୀୟ ସେବା ପାଇଁ ପୋଲିସ ପଦକରେ ମଧ୍ୟ ସମ୍ମାନିତ ହୋଇଥିଲେ ।












Click it and Unblock the Notifications