'କୋଭିଡ୍ ଟୀକାକରଣ ନେବ ଜନ ଅଭିଯାନ ରୂପ' : ଓଡ଼ିଶାରେ 30 ହଜାର ଟୀକା ବିତରଣ କେନ୍ଦ୍ର
ରାଜ୍ୟ ସରକାରମାନେ ଭ୍ୟାକ୍ସିନ ଆସିବା ପୂର୍ବରୁ ପ୍ରସ୍ତୁତ ରହିବା ପାଇଁ କେନ୍ଦ୍ର ସରକାର କହିବା ପରେ ଓଡ଼ିଶା ଏଦିଗରେ ତା'ର ସ୍ଥିତି ମଜବୁତ କରିଛି ।
ଭୁବନେଶ୍ୱର : ରାଜ୍ୟ ସରକାରମାନେ ଭ୍ୟାକ୍ସିନ ଆସିବା ପୂର୍ବରୁ ପ୍ରସ୍ତୁତ ରହିବା ପାଇଁ କେନ୍ଦ୍ର ସରକାର କହିବା ପରେ ଓଡ଼ିଶା ଏଦିଗରେ ତା'ର ସ୍ଥିତି ମଜବୁତ କରିଛି । ନୀତି ଆୟୋଗଙ୍କ ଗାଇଡଲାଇନ୍ ଅନୁଯାୟୀ ଓଡ଼ିଶା ଯୋଜନା ପ୍ରସ୍ତୁତ କରିଛି । ବ୍ଲକ, ଜିଲ୍ଲା ଓ ରାଜ୍ୟ ସ୍ତରରେ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି ।
ଏଥିସହିତ 8 ହଜାର 300 ଟୀକା ପ୍ରଦାନକାରୀ ନିୟୋଜିତ ହୋଇଥିବା ବେଳେ ଏଥିପାଇଁ 30 ହଜାର ଟୀକା ବିତରଣ କେନ୍ଦ୍ର ନିର୍ଦ୍ଧାରଣ କରିଛନ୍ତି ରାଜ୍ୟ ସରକାର ।
ସୋମବାର କ୍ୟାବିନେଟ୍ ସଚିବ ଶ୍ରୀ ରାଜୀବ ଗୋଉବାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରୁ ଉପୋରକ୍ତ ତଥ୍ୟା ସାମ୍ନାକୁ ଆସିଛି । ଓଡ଼ିଶା ଟୀକରଣ ଅଗ୍ରାଧିକାର ତାଲିକା ଏବଂ ବହୁସ୍ତରୀୟ ସମନ୍ୱିତ କାର୍ଯ୍ୟପନ୍ଥା ସହ ପୂର୍ଣ୍ଣ ପ୍ରସ୍ତୁତ ଅଛି ବୋଲି ଏହି ବୈଠକରେ କହିଥିଲେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ଜନସାଧାରଣଙ୍କୁ ସଠିକ୍ ଓ ନିର୍ଭରଯୋଗ୍ୟ ସୂଚନା ପ୍ରଦାନର ବ୍ୟବସ୍ଥା କରାଯାଇଛି । ନେତୃସ୍ଥାନୀୟ ବ୍ୟକ୍ତି, ପଞ୍ଚାୟତିରାଜ ପ୍ରତିନିଧି ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କୁ ସାମିଲ କରି କୋଭିଡ୍ ଟୀକାକରଣକୁ ଏକ ଜନ ଅଭିଯାନ ରୂପ ଦିଆଯିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ।

ସେହିପରି ବ୍ଲକ ସ୍ତରରେ ବିଡିଓମାନଙ୍କ ଅଧ୍ୟକ୍ଷତାରେ ବ୍ଲକ ଟାକ୍ସ ଫୋର୍ସ କମିଟି ଗଠନ କରାଯାଇଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ୍ତ କୁମାର ମହାପାତ୍ର । ଇତି ମଧ୍ୟରେ କୋଲ୍ଡଚେନ୍, ଫ୍ରିଜର ଓ ଟୀକା ସଂରକ୍ଷଣ ସ୍ଥାନ ଆଦିର ତାଲିକା ଶେଷ ହୋଇ ସାରିଛି ବୋଲି ସେ କହିଛନ୍ତି ।
ଆହୁରି ମଧ୍ୟ ରାଜ୍ୟରେ ଟୀକାରଣକୁ ସୁବ୍ୟବସ୍ଥିତ କରିବା ପାଇଁ ରାଜ୍ୟ, ଜିଲ୍ଲା ଏବଂ ବ୍ଲକସ୍ତରରେ ନିୟନ୍ତ୍ରଣ କକ୍ଷ ଖୋଲିବା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି ।
ବହୁମୁଖୀ ସମନ୍ୱୟ ନିମନ୍ତେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ଏନସିସି ୟୁନିଟ୍ ସହ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଯୋଗ ସ୍ଥାପନ କରାଯାଇଛି ବୋଲି ଏହି ସମୀକ୍ଷା ବୈଠକରେ କହିଥିଲେ ସ୍ୱତନ୍ତ୍ର ରିଲିଫ୍ କମିଶନର ଶ୍ରୀ ପ୍ରୀଦପ କୁମାର ଜେନା । ପ୍ରଥମ ପର୍ଯ୍ୟାୟ ଅଗ୍ରାଧିକାର ଗ୍ରୁପର ତାଲିକାରେ ପାଖାପାଖି 3.2 ଲକ୍ଷ ସରକାରୀ, ଘରୋଇ ସ୍ୱାସ୍ଥ୍ୟ ଅନୁଷ୍ଠାନର ସ୍ୱାସ୍ଥ୍ୟକର୍ମୀ ଓ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପର କର୍ମକର୍ତ୍ତାମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇ କେନ୍ଦ୍ର ସରକାରଙ୍କ ଟୀକା ପାଇଁ ଉଦ୍ଦିଷ୍ଟ ପୋର୍ଟାଲରେ ଅପଲୋଡ କରାଯାଇଥିବା କହିଛନ୍ତି ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକ ଶାଳିନୀ ପଣ୍ଡିତ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଅର୍ଚ୍ଚନା ପଟ୍ଟନାୟକ, ଭେଷଜ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ ଡାକ୍ତର ସି.ବି.କେ ମହାନ୍ତିଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଭିଡିଓକନଫରେନ୍ସିଂ ମାଧ୍ୟମରେ ସାମିଲ ହୋଇଥିଲେ ।












Click it and Unblock the Notifications