ଅବକାରୀ ନୀତିରେ ପରିବର୍ତ୍ତନ ଆଣିଲେ ରାଜ୍ୟ ସରକାର; ଧାର୍ମିକ ଅନୁଷ୍ଠାନର ୫ କିମି ପରିଧି ମଧ୍ୟରେ ଖୋଲିବନି ମଦ ଦୋକାନ
ପୁରୀ ବେଳାଭୂମିରେ ଖୋଲିବନି ମଦ କ୍ୟାବିନ୍। ଅବକାରୀ ନୀତିରେ ପରିବର୍ତ୍ତନ ଆଣିଲେ ରାଜ୍ୟ ସରକାର । ପୁରୀ ବେଳାଭୂମି ସହ ପୁରୀ ପୌରାଞ୍ଚଳରେ ମଦ କ୍ୟାବିନ୍ ମନା। ସାମାଜିକ, ଧାର୍ମିକ, ସାଂସ୍କୃତିକ ଦିଗକୁ ଦେଖି ନୀତିରେ ପରିବର୍ତ୍ତନ । ରାଜ୍ୟର ଅନ୍ୟ ଧର୍ମାନୁଷ୍ଠାନ ଅଞ୍ଚଳରେ ଖୋଲିବନି ମଦ ଦୋକାନ । ଧାର୍ମିକ ଅନୁଷ୍ଠାନର ୫ କିମି ପରିଧି ମଧ୍ୟରେ ଖୋଲିବନି ମଦ ଦୋକାନ ।

ପୁରୀ ସି- ବିଚ୍ରେ ମଦ ଦୋକାନ ଖୋଲାଯିବାକୁ ବିରୋଧ କରି ଗତ ୧୧ ତାରିଖରେ ପୁରୀରେ ବ୍ୟାପକ ଆନ୍ଦୋଳନ କରାଯାଇଥିଲା । ଏଥିସହ ମନ୍ଦିର ନିକଟରେ ସମୁହ ଦୀପ ଦାନ କରାଯିବା ସହ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ବିକ୍ଷୋଭ କରାଯାଇଥିଲା । ଏହି ଆନ୍ଦୋଳନରେ ବହୁ ସଂଖ୍ୟାରେ ଲୋକ ସାମିଲ ହୋଇଥିଲେ ।
ଆନ୍ଦୋଳନକାରୀ ଯୁକ୍ତି ବାଢ଼ିଥିଲେ, ପୁରୀର ସମୁଦ୍ର ତଟ ହେଉଛି ମହୋଦଧି ତଟ । ପ୍ରତି ସନ୍ଧ୍ୟାରେ ସେଠାରେ ମହୋଦଧି ଆଳତୀ କରାଯାଏ । ଅମାବାସ୍ୟାରେ ସେଠାରେ ଅନେକ ନୀତିକାନ୍ତି ସମ୍ପନ୍ନ ହୋଇଥାଏ । ଯେଉଁଠାରେ ଦୂରଦୂରାନ୍ତରୁ ଆସୁଥିବା ଲୋକେ ଅସ୍ଥି ବିସର୍ଜନ କରନ୍ତି ସେଠାରେ କିପରି ମଦର ବନ୍ୟା ସୃଷ୍ଟି କରାଯିବ ବୋଲି ସେମାନେ ପ୍ରଶ୍ନ କରିଥିଲେ। ଏବେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ସେମାନେ ସ୍ୱାଗତ କରିଛନ୍ତି ।
ରାଜ୍ୟ ସରକାରଙ୍କ ଅବକାରୀ ନୀତି ଅନୁଯାୟୀ, ସ୍କୁଲ, କଲେଜ, ଦେବାଳୟ ଓ ଡାକ୍ତରଖାନା ଆଗରେ ମଦ ଦୋକାନ ଖୋଲି ପାରିବନି । ଏହି ନିୟମ ବହୁ ପୂର୍ବରୁ ଲାଗୁ ହୋଇଥିଲେ ବି ଏହାକୁ କଡ଼ାକଡ଼ି ଭାବେ ଲାଗୁ କରାଯାଉନି । ତେଣୁ ତୁରନ୍ତ ଏହାକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ଦାବି ହେଉଛି ।
ରାଜ୍ୟ ସରକାରଙ୍କ ଏହି ମଦ ନୀତିର ବୈଧତା ୭ରୁ ୮ ମାସ ପର୍ଯ୍ୟନ୍ତ ରହିବ । କିନ୍ତୁ ଆଗାମୀ ବର୍ଷ ଯେଉଁ ମଦ ନୀତି ଆସିବ ସେଥିରେ ବ୍ୟାପକ ପରିବର୍ତ୍ତନ ଆଣିବେ ନୂଆ ସରକାର । ମୁଖ୍ୟତଃ ଉକ୍ତ ନିୟମରେ ଚୋରା ମଦ କାରବାରକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ସରକାର ନେବେ କଠୋର ପଦକ୍ଷେପ ।












Click it and Unblock the Notifications