ସାବଧାନ ସରକାରୀ ବାବୁ ! ଧର୍ମଘଟକୁ ପ୍ରୋତ୍ସାହନ ଦେଲେ ଜେଲ୍
ବେଆଇନ୍ ଧର୍ମଘଟକୁ ପ୍ରୋତ୍ସାହନ କଲେ ଏଣିକି ଭୋଗିବାକୁ ପଡିବ ଜେଲ୍ ଦଣ୍ଡ ।
ଭୁବନେଶ୍ୱର : ବେଆଇନ୍ ଧର୍ମଘଟକୁ ପ୍ରୋତ୍ସାହନ କଲେ ଏଣିକି ଭୋଗିବାକୁ ପଡିବ ଜେଲ୍ ଦଣ୍ଡ । ଆଜି ବିଧାନସଭାରେ ଓଡ଼ିଶା ଅତ୍ୟାବଶ୍ୟକ ସେବା ସଂଶୋଧନ ବିଲ୍ ପାରିତ ହୋଇଛି । ଏହି ସଂଶୋଧିତ ଆଇନ ଫଳରେ ଭୋଗିବାକୁ ପଡିବ ଏକ ବର୍ଷ ଜେଲ୍ ଦଣ୍ଡ କିମ୍ବା ଦେବାକୁ ପଡିବ 5 ହଜାର ଟଙ୍କାର ଜରିମାନା । ସଂଶୋଧିତ ବିଲରେ କିଛି ସେବାକୁ ଅତ୍ୟାବଶ୍ୟକ ଭାବେ ବିବେଚନା କରାଯାଇଛି । ଯେଉଁଥିରେ ଅଗ୍ନି ନିରାପତ୍ତା, ଅବକାରୀ, ଜଙ୍ଗଲ, ଜେଲ ସଂସ୍କାର, ଇଲୋକକ୍ଟ୍ରୋନିକ୍ସ, ସୂଚନା ଓ ଯୋଗାଯୋଗ ଆଦି ଅତ୍ୟାବଶ୍ୟକ ସେବାରେ ଅନ୍ତର୍ଭୁକ୍ତ କରାଯାଇଛି । ସେହିପରି ଅତ୍ୟାବଶ୍ୟକ ସେବାରେ ଥିବା କର୍ମଚାରୀମାନେ ଧର୍ମଘଟ କଲେ ଏଣିକି ଏହା ବେଆଇନ୍ ବୋଲି ବିବେଚନା କରାଯିବ ।

ଯଦି କେହି ଏହି ବେଆଇନ୍ ଧର୍ମଘଟକୁ ପ୍ରୋତ୍ସାହିତ କରନ୍ତି ତାଙ୍କୁ ଦଣ୍ଡିତ କରାଯିବ । ଆହୁରି ମଧ୍ୟ ସମର୍ଥନ କରି ଆର୍ଥିକ ସହାୟତା କଲେ ମଧ୍ୟ ସମାନ ଭାବରେ ସେ ଦଣ୍ଡିତ ହେବେ । ଧର୍ମଘଟରେ ଯଦି ସାଧାରଣ ଲୋକଙ୍କ ସୁରକ୍ଷା ବିପନ୍ନ ହୁଏ ତାହାଲେ ଦଣ୍ଡବିଧାନ କରାଯିବ । ଅନେକ ସମୟରେ ଉକ୍ତ ସେବାରେ ନିୟୋଜିତ ହୋଇଥିବା କର୍ମଚାରୀମାନେ ଧର୍ମଘଟ କରିଥାନ୍ତି । ସରକାରୀ ବିରୋଧୀ ନାରା ସହ ସେମାନଙ୍କ ଦାବି ନେଇ ଦିନ ଦିନ ତମାମ୍ କାର୍ଯ୍ୟାଳୟ ବନ୍ଦ ରଖିଥାନ୍ତି । ସରକାରଙ୍କ ଅତ୍ୟାବଶ୍ୟକ ସେବା ଧର୍ମଘଟ କାରଣରୁ ବନ୍ଦ ହୋଇଗଲେ ଏହାର ପ୍ରଭାବ ସିଧାସଳଖ ଭାବରେ ସାଧାରଣ ଲୋକଙ୍କ ଉପରେ ପଡେ । ଫଳରେ ଲୋକେ ବିଭିନ୍ନ ଅସୁବିଧାର ସମ୍ମୁଖିନ ହୁଅନ୍ତି । ବିଗତ ଦିନର ଅନେକ ଖବର ଓ ଦୃଶ୍ୟକୁ ବିଚାରକୁ ନେଇ ଆଜି ରାଜ୍ୟ ସରକାର ଏହି ବିଲକୁ ପାରିତ କରିଥିବା କୁହାଯାଉଛି ।












Click it and Unblock the Notifications