ଆନ୍ତର୍ଜାତିକ ମିଲେଟ୍ ସମ୍ମିଳନୀ: ମିଲେଟ୍ ପ୍ରତି ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ବିଶ୍ଵ ଦରବାରରେ କରିବ ଉପସ୍ଥାପିତ
ଭୁବନେଶ୍ୱର : ରାଜ୍ୟରେ ବଢ଼ୁଛି ମିଲେଟର ଚାହିଦା । ପୁଷ୍ଟିଶସ୍ୟ ମିଲେଟ୍ ଚାଷର ପ୍ରସାର ଓ ଏହା ଯେପରି ଘରେ ଘରେ ପହଞ୍ଚିପାରିବ ସେଥ୍ ନିମନ୍ତେ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ଵ ପ୍ରଦାନ କରୁଛନ୍ତି । ଆଉ ସେଥିପାଇଁ ଓଡ଼ିଶା ପାଉଛି ପ୍ରଶଂସା । ବିଶେଷ କରି ମଣ୍ଡିଆ ବେଶ୍ ଆଦୃତ ଲାଭ କରିଛି । ଆଜି ମାଣ୍ଡିଆ ବିସ୍କୁଟରୁ ଆରମ୍ଭ କରି ସବୁ କିଛି ମିଳୁଛି ।
୨୦୨୩କୁ ମିଳିତ ଜାତିସଂଘ ଦ୍ଵାରା ଆନ୍ତର୍ଜାତିକ ମିଲେଟ୍ ବର୍ଷ ଭାବରେ ଘୋଷଣା କରାଯାଇଥିବା ପରିପ୍ରେକ୍ଷୀରେ ଓଡ଼ିଶା ପକ୍ଷରୁ ମିଲେଟ୍ ସଂପର୍କରେ ଆନ୍ତର୍ଜାତିକ ସମ୍ମିଳନୀର ଆୟୋଜନ ଏକ ସମୟୋଚିତ ପଦକ୍ଷେପ ବୋଲି କହିଛନ୍ତି କୃଷି ମନ୍ତ୍ରୀ । ଏହି ଆନ୍ତର୍ଜାତିକ ସମ୍ମିଳନୀକୁ ସଫଳତାର ସହ ଆୟୋଜନ କରି ମିଲେଟ ପୁଷ୍ଟିଶସ୍ୟର ଉପକାରିତା ସଂପର୍କରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହିତ ରାଜ୍ୟ ସରକାରଙ୍କର ମିଲେଟ୍ ପ୍ରତି ଥିବା ପ୍ରତିବଦ୍ଧତାକୁ ବୈଶ୍ଵକ ପ୍ରେକ୍ଷାପଟରେ ଉପସ୍ଥାପନ କରାଯିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।
ଆଜି କୃଷି ଭବନଠାରେ ଆନ୍ତର୍ଜାତିକ ମିଲେଟ୍ ସମ୍ମିଳନୀର ପ୍ରସ୍ତୁତି ସଂପର୍କରେ ଆୟୋଜିତ ସମୀକ୍ଷା ବୈଠକରେ ମନ୍ତ୍ରୀ ଶ୍ରୀ ସ୍ଵାଇଁ ଅଧ୍ୟକ୍ଷତା କରିଥିଲେ । ନଭେମ୍ବର ୯ ଓ ୧୦ ତାରିଖରେ ଭୁବନେଶ୍ୱରର ଜନତା ମଇଦାନରେ ସମ୍ମିଳନୀର ଆୟୋଜନ କରାଯାଉଥିବାବେଳେ ଆନ୍ତର୍ଜାତିକ ମିଲେଟ୍ ବର୍ଷରେ ଜିଲ୍ଲାଗୁଡ଼ିକରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ କରାଯିବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଥିଲେ । ବିଭାଗ ପକ୍ଷରୁ ନିର୍ଦ୍ଦିଷ୍ଟ ମାର୍ଗଦର୍ଶିକା (ଏସ୍ଓପି) ପ୍ରସ୍ତୁତ କରି ତଦନୁଯାୟୀ ଜିଲ୍ଲାଗୁଡ଼ିକରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ଵାଇଁ ପରାମର୍ଶ ଦେଇଥିଲେ । ବିଭିନ୍ନ ଜିଲ୍ଲାର ଅଗ୍ରଣୀ ମିଲେଟ୍ ଚାଷୀମାନଙ୍କୁ ସମ୍ମିଳନୀ ଅବସରରେ ସମ୍ବଦ୍ଧିତ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।

ଏଥ୍ ସହିତ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକୁ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ଓଡ଼ିଶା ପ୍ରତିବର୍ଷ ନଭେମ୍ବର ୧୦ ତାରିଖକୁ ମାଣ୍ଡିଆ ଦିବସ ଭାବରେ ପାଳନ କରି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିପାରିଛି । ଏହି ସମ୍ମିଳନୀ ମାଣ୍ଡିଆ ଏବଂ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟକୁ ଲୋକମାନଙ୍କ ମଧ୍ୟରେ ଅଧୂକ ଲୋକପ୍ରିୟ କରିପାରିବ ବୋଲି ମନ୍ତ୍ରୀ ଶ୍ରୀ ସ୍ଵାଇଁ ଆଶାବ୍ୟକ୍ତ କରିଥିଲେ । ସମ୍ମିଳନୀ ଅବସରରେ ମିଲେଟ୍ ଚାଷ ଓ ଖାଦ୍ୟ ପ୍ରସ୍ତୁତିର ସଫଳ କାହାଣୀ ପ୍ରଦର୍ଶନୀ ମଣ୍ଡପରେ ପ୍ରଦର୍ଶନ କରିବା ସହିତ ଟିଭି ଚ୍ୟାନେଲଗୁଡ଼ିକରେ ମିଲେଟ ସମ୍ବନ୍ଧୀୟ ବିଭିନ୍ନ ଆଲୋଚନା ଚକ୍ରର ଆୟୋଜନ ଉପରେ ମନ୍ତ୍ରୀ ଶ୍ରୀ ସ୍ଵାଇଁ ଗୁରୁତ୍ୱାରୋପ କରିଥିଲେ ।
ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କହିଲେ ଯେ ଓଡ଼ିଶାର ବିଭିନ୍ନ ବିଶ୍ଵବିଦ୍ୟାଳୟରେ ପଢ଼ୁଥିବା ବିଦେଶୀ ଛାତ୍ରଛାତ୍ରୀମାନଙ୍କୁ ଆନ୍ତର୍ଜାତିକ ମିଲେଟ୍ ସମ୍ମିଳନୀରେ ଭାଗନେବା ପାଇଁ ପତ୍ର ଲେଖାଯିବ । ଏଥୁ ସହିତ ବିଭିନ୍ନ ରାଜ୍ୟର କୃଷି ବିଭାଗ ସଚିବମାନଙ୍କୁ ମଧ୍ୟ ଆମନ୍ତ୍ରଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଆନ୍ତର୍ଜାତିକ ସମ୍ମିଳନୀକୁ ପ୍ଲାଷ୍ଟିକ୍ମୁକ୍ତ କରିବା ପାଇଁ ପଦକ୍ଷେପ ନିଆଯାଇଛି ବୋଲି ଡ. ପାଢ଼ୀ କହିଛନ୍ତି ।
ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମିଲେଟ୍ ରିସର୍ଚ୍ଚ, ଇକ୍ରିସାଟ୍, ଖାଦ୍ୟ ଓ କୃଷି ସଂଗଠନ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ, ୟର୍କ ବିଶ୍ଵବିଦ୍ୟାଳୟ, ଏସ୍ସିଏସ୍ଆର୍ଟିଆଇ ଏବଂ ଅନ୍ୟାନ୍ୟ ଅନୁଷ୍ଠାନ ଏହି ସମ୍ମିଳନୀର ଆୟୋଜନରେ ସହଯୋଗ କରିବେ । ଓଡ଼ିଶା ମିଲେଟ୍ ମିଶନ ନେତୃତ୍ଵରେ ଓ ବିଭିନ୍ନ ସରକାରୀ ବିଭାଗ, କେନ୍ଦ୍ରୀୟ ସଂସ୍ଥା, ବେସରକାରୀ ଅଂଶୀଦାର, କୃଷକ ଉତ୍ପାଦକ ଗୋଷ୍ଠୀ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ, ଗବେଷଣା ପ୍ରତିଷ୍ଠାନ ଓ ଅନ୍ୟାନ୍ୟ ଅଂଶୀଦାରଙ୍କ
ସହଯୋଗରେ ଏହି ସମ୍ମିଳନୀର ଆୟୋଜନ କରାଯିବ ।
ଆନ୍ତର୍ଜାତିକ ମିଲେଟ ସମ୍ମିଳନୀ ଅବସରରେ ବିଭିନ୍ନ ଆଲୋଚନାଚକ୍ର, ଉଦ୍ୟୋଗୀ ଓ ବ୍ୟବସାୟିକ ସଂସ୍ଥାମାନଙ୍କ ସହିତ ବୈଠକ, ପ୍ରଦର୍ଶନୀ ମଣ୍ଡପ, କୃଷି ଯାନ୍ତ୍ରିକୀକରଣ ଷ୍ଟଲ, ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କୁଇଜ୍, ପ୍ରବନ୍ଧ ଲିଖନ ଓ ଏକ୍ସଟେମ୍ପୋ ପ୍ରତିଯୋଗିତା ସମେତ ଆନ୍ତର୍ଜାତିକ ଖାଦ୍ୟ ମହୋତ୍ସବ ଓ ରନ୍ଧନ ପ୍ରତିଯୋଗିତାର ମଧ୍ୟ ଆୟୋଜନ କରାଯିବ । ଏହି ଅବସରରେ ଶିମ୍ପୋଦ୍ୟୋଗୀମାନଙ୍କର ରାଉଣ୍ଡ ଟେବୁଲ୍ ବୈଠକ, ହୋଟେଲ୍ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ୍ ସହଯୋଗରେ ଅନ୍ତର୍ଜାତୀୟ ଖାଦ୍ୟ ମହୋତ୍ସବ ଆୟୋଜନ କରାଯିବ । 'ଗାଁ ଇତିହାସ' ଓ 'କାହାଣୀ କହିବା' ପରି ଅଭିନବ କାର୍ଯ୍ୟକ୍ରମ ସମ୍ମିଳନୀର ଅଂଶବିଶେଷ ହେବ ।
ପ୍ରାରମ୍ଭରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ ବିଭିନ୍ନ କାର୍ଯ୍ୟକ୍ରମର ରୂପରେଖ, ପ୍ରାକ୍ ପ୍ରସ୍ତୁତି ଓ ଆନୁଷଙ୍ଗିକ ବ୍ୟବସ୍ଥା ସଂପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ବୈଠକରେ ବିଭାଗୀୟ ବରିଷ୍ଠ ଅସ୍ଵୀକାରୀଙ୍କ ସମେତ ଫିକିର କର୍ମକର୍ତ୍ତାମାନେ ଯୋଗଦେଇଥିଲେ ।












Click it and Unblock the Notifications