ସ୍କୁଲ ଖୋଲିବା ନେଇ ଜାରି ହେଲା ଗାଇଡଲାଇନ୍ : ପଢନ୍ତୁ କେଉଁ ସମସ୍ତ ଦିଗ ପ୍ରତି ଦିଆଯିବ ଧ୍ୟାନ
ସ୍କୁଲ୍ ଖୋଲିବା ନେଇ ରାଜ୍ୟ ସରକାରଙ୍କ ଘୋଷଣା ପରେ ଏହାକୁ ନେଇ ଜାରି ହୋଇଛି ଗାଇଡଲାଇନ୍
ଭୁବନେଶ୍ୱର : ସ୍କୁଲ୍ ଖୋଲିବା ନେଇ ରାଜ୍ୟ ସରକାରଙ୍କ ଘୋଷଣା ପରେ ଏହାକୁ ନେଇ ଜାରି ହୋଇଛି ଗାଇଡଲାଇନ୍ । ଜାନୁଆରୀ 8 ତାରିଖରେ ସ୍କୁଲ ଖୋଲିବ । ପ୍ରଥମେ ଅଳ୍ପ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ନେଇ ଖୋଲିବାକୁ ଥିବା ସ୍କୁଲକୁ ନେଇ ରାଜ୍ୟ ସରକାର ଏସଓପି ଜାରି କରିଛନ୍ତି ।
କ'ଣ ରହିଛି ଗାଇଡଲାଇନ୍
ଅବରୋଧ ଅଞ୍ଚଳ ବାହାରେ ଥିବା ସ୍କୁଲ ଖୋଲିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ଅବରୋଧ ଅଞ୍ଚଳରେ ରହୁଥିବା ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ସ୍କୁଲ ଯିବାକୁ ମନା କରାଯାଇଛି । ଯଦି କୌଣସି ସମୟରେ ଅବରୋଧ ଅଞ୍ଚଳ ଘୋଷଣା କରାଯାଏ ତେବେ ସେହି ଅଞ୍ଚଳରେ ଥିବା ସ୍କୁଲକୁ ବନ୍ଦ କରାଯିବ । ସ୍କୁଲ ପରିସରରେ ସାଧାରଣ ସ୍ଥାନ ଗୁଡିକୁ ବାରମ୍ଭାର ସାନିଟାଇଜ୍ କରାଯିବ । ସ୍କୁଲ ଖୋଲିବା ପୂର୍ବରୁ ଶୌଚାଳୟ ଓ ପିଇବା ପାଣି ସୁରକ୍ଷିତ କରାଯିବ । ସ୍କୁଲ ପରିସରରେ କୌଣସି ହଷ୍ଟେଲ ଖୋଲିବାକୁ ରାଜ୍ୟ ସରକାର ଅନୁମତି ଦେଇ ନାହାନ୍ତି । ହଷ୍ଟେଲ ଖୋଲିବା ନେଇ ପରବର୍ତ୍ତି ସମୟରେ ରାଜ୍ୟ ସରକାର ଏସଓପି ଜାରି କରିବେ ।

ସ୍କୁଲ୍ ପକ୍ଷରୁ ପରିବହନ ବ୍ୟବସ୍ଥାକୁ ବାରଣ କରାଯାଇଥିବା ବେଳେ ଅଭିଭାବକ ଛାତ୍ରଛାତ୍ରୀଙ୍କୁ ସ୍କୁଲ ପହଞ୍ଚାଇବା ନିଶ୍ଚିତ କରିବେ । କ୍ଲାସରୁମ୍ ଭିତରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୁରକ୍ଷିତ ଦୂରତା ରହିବ । ସ୍କୁଲ ଭିତରେ ପ୍ରବେଶ ବେଳେ 6 ଫୁଟର ଦୂରତା ରହିବ । ଗୋଟିଏ କ୍ଲାସରୁମରେ 20ରୁ 25 ଜଣ ଛାତ୍ରଛାତ୍ରୀ ବସିପାରିବେ । ସ୍କୁଲ ସମୟର କୌଣସି ପରିବର୍ତ୍ତନ ହେବ ନାହିଁ । ସ୍କୁଲ ଚାଲୁଥିବା ସମୟରେ ଏହାର ହତାର 100 ମିଟର ଭିତରେ କୌଣସି ଖାଦ୍ୟ ସାମଗ୍ରୀ ବିକ୍ରି ହୋଇ ପାରିବ ନାହିଁ । ସେହିପରି କମନରୁମ୍ ଓ ଷ୍ଟାଫ୍ ରୁମ ରେ ମଧ୍ୟ ସମସ୍ତେ ଦୂରତା ରକ୍ଷା କରିବେ । ହାତକୁ ବାରମ୍ଭାର ସାନିଟାଇଜ୍ କରିବା ପାଇଁ ସମସ୍ତ ଶୌଚାଳୟରେ ସାବୁନ ରଖାଯିବା ପାଇଁ କୁହାଯାଇଛି । କ୍ଲାସରୁମ୍ ଭିତରକୁ ଯିବା ସମୟରେ ଛାତ୍ରଛାତ୍ରୀମାନଙ୍କୁ ହାତ ଧୋଇବାକୁ ଉତ୍ସାହିତ କରିବେ ଶିକ୍ଷକ । ଜରୁରୀକାଳୀନ ପରିସ୍ଥିତି ପାଇଁ ସ୍କୁଲ ପରିସରରେ ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀ ଓ ରାଜ୍ୟର କୋଭିଡ୍ ହେଲ୍ପଲାଇନ୍ ନମ୍ବର ରହିବ । ସ୍କୁଲ ପରିସରରେ ଏକ ନିର୍ଦ୍ଦିଷ୍ଟ ଆଇସୋଲେସନ୍ ରୁମ୍ ରହିବ । ଯଦି ସ୍କୁଲ୍ ଚାଲୁଥିବା ସମୟରେ ହଠାତ୍ କାହାର କୋଭିଡ୍ ଲକ୍ଷଣ ଦେଖାଯାଏ ତାହାଲେ ସେମାନଙ୍କୁ ସେଠାରେ ରଖାଯିବ । ଘରୁ ଉଷୁମ ଓ ପୃଷ୍ଟିକର ଖାଦ୍ୟ ଆଣିବେ ଛାତ୍ରଛାତ୍ରୀ । ଏହି ଖାଦ୍ୟକୁ ଅନ୍ୟ କାହା ସହ ବାଣ୍ଟିବା ମନା ବୋଲି ରାଜ୍ୟ ସରକାର ଜାରି କରିଥିବା ଏସଓପିରେ ଉଲ୍ଲେଖ କରିଛନ୍ତି ।












Click it and Unblock the Notifications