ଓମିକ୍ରନ ବୃଦ୍ଧିକୁ ରୋକିବା ପାଇଁ ପ୍ରସ୍ତୁତ ରାଜ୍ୟ ସରକାର: ସ୍ୱାସ୍ଥ୍ୟମନ୍ତ୍ରୀ
ରାଜ୍ୟରେ ଓମିକ୍ରନ ସଂକ୍ରମଣ ବୃଦ୍ଧି ନେଇ ସମୀକ୍ଷା କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ । ଓମିକ୍ରନ ବୃଦ୍ଧିକୁ ରୋକିବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ ନବ ଦାସ ।
ଭୁବନେଶ୍ୱର: ରାଜ୍ୟରେ ଓମିକ୍ରନ ସଂକ୍ରମଣ ବୃଦ୍ଧି ନେଇ ସମୀକ୍ଷା କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ । ଓମିକ୍ରନ ବୃଦ୍ଧିକୁ ରୋକିବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ଓ ଏଥିପାଇଁ ଟିକାକରଣ ସହ ହସ୍ପିଟାଲରେ ସମସ୍ତ ପ୍ରକାର ଆନୁସଂଗିକ ବ୍ୟବସ୍ଥା ସହ ଶଯ୍ୟା ପ୍ରସ୍ତୁତ ରଖିବା ସହ ଓଡ଼ିଶା ରାଜ୍ୟ ଔଷଧ ନିଗମକୁ ସମସ୍ତ ଆବଶ୍ୟକୀୟ ଔଷଧ ତଥା ସରଞ୍ଜାମ ମହଜୁଦ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପକ୍ଷରେ ରାଜ୍ୟ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଆଜିଠାରୁ ୧୫ରୁ ୧୮ ବର୍ଷର କିଶୋରମାନଙ୍କ ପାଇଁ ଟିକାକରଣ ଆରମ୍ଭ ହେଉଛି । ଏଥିପାଇଁ ୪୫ ହଜାର ପଞ୍ଜିକରଣ ହୋଇଥିବା ବେଳେ, ଯେଉଁମାନେ ପଞ୍ଜିକରଣ କରିନାହାଁନ୍ତି ସେମାନଙ୍କୁ ଅନସ୍ପଟ ପଞ୍ଜିକରଣ କରି ଟୀକା ଦେବାକୁ ନିଷ୍ପତ୍ତି ହୋଇଥିବା କହିଛନ୍ତି ମନ୍ତ୍ରୀ ନବ ଦାସ । ଟିକାଦାନ ପାଇଁ ୯୩୯ଟି ଟିକାକରଣ କେନ୍ଦ୍ର ଚିହ୍ନଟ କରାଯାଇଛି ଓ ରାଜ୍ୟରେ ୧୫ ଲକ୍ଷ କୋଭାକ୍ସିନ ଡୋଜ ମହଜୁଦ ଅଛି । ରାଜ୍ୟରେ ପ୍ରାୟ ୨୫ ଲକ୍ଷ କିଶୋର ଅଛନ୍ତି ଯେଉଁମାନଙ୍କୁ ପର୍ଯ୍ୟାୟ କ୍ରମେ ଟିକାକରଣ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ନବ ଦାସ ।
ସେପଟେ ରାଜ୍ୟରେ ଆଜି ସୁଦ୍ଧା ୩୭ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଭିତରୁ ଜଣେ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଅନ୍ୟମାନଙ୍କୁ ଚିକିତ୍ସା କରାଯାଉଛି । ଅନ୍ୟପଟେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୧ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୨୯, ବରଗଡ଼ରୁ ୫, ଭଦ୍ରକରୁ ଜଣେ, ବଲାଙ୍ଗିରରୁ ୬, କଟକରୁ ୬୬, ଦେବଗଡ଼ରୁ ୪, ଢେଙ୍କାନାଳରୁ ୬, ଗଞ୍ଜାମରୁ ୩, ଜଗତସିଂହପୁରରୁ ୮, ଯାଜପୁରରୁ ୬, ଝାରସୁଗୁଡ଼ାରୁ ୧୪, କଳାହାଣ୍ଡିରୁ ୨, କେନ୍ଦ୍ରାପଡ଼ାରୁ ୨, କେନ୍ଦୁଝରରୁ ଜଣେ, କୋରାପୁଟରୁ ୩, ମାଲକାନଗିରିରୁ ୨, ମୟୂରଭଞ୍ଜରୁ ୪, ନବରଙ୍ଗପୁରରୁ ୫, ନୟାଗଡ଼ରୁ ୫, ପୁରୀରୁ ୧୨, ରାୟଗଡ଼ାରୁ ୨, ସମ୍ବଲପୁରରୁ ୨୨, ସୋନପୁରରୁ ୭ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨୭ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍ ପୁଲ୍ରୁ ୩୧ ଜଣ ଚିହ୍ନଟ ହୋଇଛନ୍ତି ।
୪୨୪ଟି ନୂଆ କେସ୍ ଆସିବା ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୫୫ ହଜାର ୯୮୦କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୧୦ ଲକ୍ଷ ୪୫ ହଜାର ୧୦୯ ଜଣ ସୁସ୍ଥ ହୋଇସାରିଛନ୍ତି। ସେହିପରି ୨୩୫୫ ଜଣ ଚିକିତ୍ସାଧୀନ ଅଛନ୍ତି। ଅନ୍ୟପକ୍ଷରେ ଦେଶରେ ଗତ ୨୪ ଘଣ୍ଟାରେ ୩୩ ହଜାର ୭୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।












Click it and Unblock the Notifications