ଦାଦନ ଜନିତ ବିସ୍ଥାପନ ସମସ୍ୟାର ସମାଧାନ ପାଇଁ ଗୁରୁତ୍ୱ ଦେଲେ ସରକାର ,ନେଲେ ଏହି ପଦକ୍ଷେପ

ଓଡ଼ିଶା ସରକାର ରାଜ୍ୟରେ ଦାଦନ ଶ୍ରମିକ ବିସ୍ଥାପନ ଜନିତ ସମସ୍ୟାର ସମାଧାନ ପାଇଁ ଗୁରୁତ୍ୱ ଦେଉଛନ୍ତି । ଏଥିପାଇଁ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ, କୃଷି ଓ କୃଷକ ସଶକ୍ତିକରଣ ତଥା ଶକ୍ତି ବିଭାଗ ଶ୍ରୀ କନକ ବର୍ଦ୍ଧନ ସିଂ ଦେଓଙ୍କ ଅଧ୍ୟକ୍ଷତାରେ ଗତ ଅକ୍ଟୋବର ୨୮ ତାରିଖରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ଟ୍ୟାକ୍ସ ଫୋର୍ସ ବୈଠକରେ ରାଜ୍ୟରେ ଦାଦନ ଜନିତ ବିସ୍ଥାପନ ସମସ୍ୟାର ପ୍ରତିକାରାତ୍ମକ ପଦକ୍ଷେପ ସଂପର୍କରେ ଆଲୋଚନା କରାଯାଇ ଏଥି ନିମନ୍ତେ ନିୟମିତ ସମୀକ୍ଷା କରି କାର୍ଯ୍ୟାନୁଷ୍ଠାନ ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା ।

ଏହି ପରିପ୍ରେକ୍ଷୀରେ ଆଜି ଅପରାହ୍ଣରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁନୀଲ କୁମାର ଲୋହାନୀ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ କଲ୍ୟାଣ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଏବଂ ସଂଖ୍ୟାଲଘୁ କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢୀ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଏନ୍. ବି. ଏସ୍ ରାଜପୁତଙ୍କ ସମେତ ସଂପୃକ୍ତ ଅନ୍ୟ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ରାଜ୍ୟରେ ଦାଦନ ସମସ୍ୟା ଓ ସେମାନଙ୍କୁ ଜୀବିକାର୍ଜନ ବିକଳ୍ପ ପନ୍ଥା ଯୋଗାଇଦେବା ସଂପର୍କରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ସର୍ବେକ୍ଷଣରୁ ଜଣାଯାଇଛି ଯେ, ଆମ ରାଜ୍ୟର ବରଗଡ, ବଲାଙ୍ଗିର, ନୂଆପଡା, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ଗଜପତି, କନ୍ଧମାଳ, ରାୟଗଡା, ମାଲକାନଗିରି ଓ ସୁବର୍ଣ୍ଣପୁର ଆଦି ୧୧ ଟି ଜିଲ୍ଲାରେ ଅଧିକ ପରିବାର ବା ବ୍ୟକ୍ତି ଦାଦନ ଶ୍ରମିକ ଭାବେ ଅନ୍ୟ ରାଜ୍ୟକୁ କାମଧନ୍ଦା ପାଇଁ ଯାଇଥାଆନ୍ତି । ଆଜିର ବୈଠକରେ ଉପରୋକ୍ତ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନେ ଆଭାସୀ ମାଧ୍ୟମରେ ଯୋଗଦାନ କରି ଦାଦନ ରୋକିବା ଦିଗରେ ପ୍ରତିକାରାତ୍ମକ କିକି ପଦକ୍ଷେପ ନିଆଯାଇଛି, ସେ ସମ୍ପର୍କରେ ସୂଚନା ଦେଇଥିଲେ ।

ଉପଯୁକ୍ତ ସଚେତନତାର ଅଭାବ ଏବଂ ବିଭିନ୍ନ କାରଣରୁ ସେମାନେ ନିର୍ଦ୍ଦିଷ୍ଟ ଋତୁମାନଙ୍କରେ କାମ ଧନ୍ଦା ଅଭାବରୁ ଦାଦନ ଶ୍ରମିକ ଭାବେ ଅନ୍ୟ ରାଜ୍ୟକୁ ଇଟା ଭାଟି, କୃଷି ଶ୍ରମିକ, ଅଣକୁଶଳୀ ଶ୍ରମିକ ଭାବେ କାମ କରିବାକୁ ଯାଇଥାନ୍ତି । ଅଧିକ ଟଙ୍କା ପାଇବା ଲୋଭନୀୟ ଆଶାରେ ହେଉ, କିମ୍ବା ସେମାନେ କରିଥିବା ଋଣ ପରିଶୋଧ କରିବା ପାଇଁ ହେଉ ସେମାନେ ଏହି ପନ୍ଥା ଆପଣାଇ ଅନେକ ସମୟରେ ପ୍ରତାରଣାର ଶିକାର ହୋଇ ନାନା ହଇରାଣ ଓ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । କିନ୍ତୁ, ସେମାନଙ୍କର ଆର୍ଥିକ ଅବସ୍ଥାରେ ଉନ୍ନତି ଘଟି ନଥାଏ । ଅନ୍ୟ ପକ୍ଷରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଜରିଆରେ କର୍ମଭିତ୍ତିକ ବିଭିନ୍ନ ରୋଜଗାର ସୁବିଧା ରହିଥିଲେ ମଧ୍ୟ ସଚେତନତା ଅଭାବରୁ ସେମାନେ କାମଧନ୍ଦା ନ ପାଇ ଅନ୍ୟ ରାଜ୍ୟକୁ ଯାଉଛନ୍ତି ।

odisha government

ବୈଠକରେ ବିଭିନ୍ନ ବିଭାଗ ଓ ଜିଲ୍ଲା ପ୍ରଶାସନ ତରଫରୁ ଏଥି ପାଇଁ କି କି ପଦକ୍ଷେପ ନିଆଯାଉଛି, ସେ ସଂପର୍କରେ ଆଲୋଚନା କରାଯାଇଥିଲା । ଏଥି ପାଇଁ ରାଜ୍ୟ ଶ୍ରମ ଓ କର୍ମଚାରୀ ବୀମା ଯୋଜନା ବିଭାଗରେ ୨୦୧୫ ମସିହାରୁ କାର୍ଯ୍ୟକାରୀ ହେଉଥିବା ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକମାନଙ୍କ ସୁରକ୍ଷା ଓ କଲ୍ୟାଣ ସଂପର୍କିତ ରାଜ୍ୟ କାର୍ଯ୍ୟାନୁଷ୍ଠାନ ଯୋଜନା ଅନୁସାରେ ଅନ୍ୟ ରାଜ୍ୟକୁ କାମ ପାଇଁ ଯାଉଥିବା ଲୋକମାନଙ୍କ ପାଇଁ ନିୟମ ଅନୁସାରେ ବିଭାଗ ତରଫରୁ କିକି ପଦକ୍ଷେପ ନିଆଯାଉଛି, ସେ ସଂପର୍କରେ ଉପସ୍ଥାପନ କରାଯାଇଥିଲା ।

ଜୀବିକା ନିର୍ବାହ ପାଇଁ ରାଜ୍ୟ ସରକାର ବିଭିନ୍ନ ବିଭାଗରେ ସ୍ୱତନ୍ତ୍ର କାର୍ଯ୍ୟକ୍ଷମ ଅଧିନରେ କର୍ମ ନିଯୁକ୍ତି ଯୋଗାଇ ଦିଆଯାଉଛି । ପଞ୍ଚାୟତିରାଜ ବିଭାଗ ତରଫରୁ ମହାତ୍ମାଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାମ ଦିଆଯାଉଛି । ଜଙ୍ଗଲ , ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଜରିଆରେ କାର୍ଯ୍ୟକାରୀ କରାଯାଉଥିବା କାମ୍ପା ଯୋଜନାରେ ବନୀକରଣ, ଆମ ଜଙ୍ଗଲ ଯୋଜନା, ଇକୋ-ଟୁରିଜିମ୍, ଜାତୀୟ ବନୀକରଣ ପ୍ରକଳ୍ପ, ବନ୍ୟ କ୍ଷେତ୍ର ବିକାଶ ପ୍ରକଳ୍ପ, ମିଶନ ଶକ୍ତି ବିଭାଗ ଜରିଆରେ ବିଭିନ୍ନ ଜୀବିକାର୍ଜ୍ଜନ ଓ ଉଦ୍ୟୋଗ ପ୍ରୋତ୍ସାହନ କାର୍ଯ୍ୟକ୍ରମ, ଏସଟିଏସି ଉନ୍ନୟନ ବିଭାଗ ତରଫରୁ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ ଆଦି ଜରିଆରେ ବିଭିନ୍ନ କାର୍ଯ୍ୟକ୍ରମରେ କର୍ମନିଯୁକ୍ତି ସୁଯୋଗ ସହିତ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମାଧ୍ୟମରେ ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଭିତ୍ତିକ ପ୍ରଶିକ୍ଷଣ ଦିଆଯାଉଥିବା ସଂପର୍କରେ ବିଭାଗୀୟ ସଚିବମାନେ ଆଲୋଚନା କରିଥିଲେ । ଏସବୁର ସୁବିଧା ଯେପରି ଦାଦନ ଶ୍ରମିକ ଭାବେ ଯାଉଥିବା ଲୋକମାନଙ୍କୁ ମିଳିପାରିବ, ସେଥିପ୍ରତି ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା ।

ବୈଠକରେ କେଉଁ ବ୍ଲକରୁ କେଉଁମାନେ ଦାଦନ ଭାବେ ଅନ୍ୟ ରାଜ୍ୟକୁ ଯାଉଛନ୍ତି ସେମାନଙ୍କୁ ଚିହ୍ନଟ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଦାଦନ ଶ୍ରମିକ ଭାବେ ଯାଉଥିବା ସମସ୍ତ ଗାଁରେ କାମ ଯୋଗାଇ ଦିଆଯିବ । ସରକାରଙ୍କ ସଂପୃକ୍ତ ବିଭିନ୍ନ ବିଭାଗ ସେମାନଙ୍କ ଜରିଆରେ କାର୍ଯ୍ୟକାରୀ ହେଉଥିବା ଜୀବିକାର୍ଜନ କାର୍ଯ୍ୟକ୍ରମକୁ ସମ୍ମିଳିତ (କନଭରଜେନ୍ସ ) ମୋଡରେ ଯୋଗାଇ ଦେବେ । ପଂଚାୟତିରାଜ ବିଭାଗ ସହିତ କୃଷି ,ବିଭାଗ, ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ, ଜଳସେଚନ, ଜଙ୍ଗଲ ବିଭାଗ ଆଦିର ସହଯୋଗରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ଯୋଜନାକୁ ସେହି ସବୁ ଗ୍ରାମରେ କାର୍ଯ୍ୟକାରୀ କରାଯାଇ ଯେପରି ସେମାନଙ୍କୁ ସବୁଦିନିଆ କାମ ମିଳିବ ଏବଂ ସେମାନଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ, ସେଥିପାଇଁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା ।

ଦାଦନ ନଯିବା ପାଇଁ ଅନ୍ତତଃ ସେମାନଙ୍କୁ ବର୍ଷକୁ ୨୦୦ ରୁ ୩୦୦ ଦିନ କାମ ଦିଆଯିବା ସଂପର୍କରେ ଆଲୋଚନା କରାଯାଇଥିଲା । ଜିଲ୍ଲା ପ୍ରଶାସନଙ୍କୁ ଏଥିପାଇଁ ତ୍ୱରିତ ପଦକ୍ଷେପ ପଦକ୍ଷେପ ନେଇ ଦାଦନ ପରିବାର ତଥା ଲୋକମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ସ୍ଥାୟୀ ରୋଜଗାର ବ୍ୟବସ୍ଥା କରିବାକୁ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ନିଆଯାଇଛି । ବିଭିନ୍ନ ଜିଲ୍ଲାର ୩୦ ବ୍କକରେ ଅଧିକ ଦାଦନ ଅନ୍ୟତ୍ର କାମ ପାଇଁ ଯାଉଥିବା ସର୍ବେକ୍ଷଣରୁ ଜଣାଯାଇଛି ।

ବୈଠକରେ ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ବିଭିନ୍ନ ବିଭାଗର ସମ୍ମିଳିତ ପ୍ରୟାସରେ ଏ ସମସ୍ତ ଗ୍ରାମ ଗୁଡ଼ିକରେ କନଭରଜେନ୍‌ସି ମୋଡରେ ରୋଜଗାରଭିତ୍ତିକ କାର୍ଯ୍ୟକ୍ରମ କରାଯିବା ଉପରେ ଗୁରୁତ୍ୱ ଦେଇଛନ୍ତି । ଏଥି ପାଇଁ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ଅଗ୍ରଣୀ ଭୂମିକା ନେବାକୁ ପରାମର୍ଶ ଦେଇଛନ୍ତି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟସ୍ତରୀୟ ପରିଚାଳନା କମିଟି ଗଠନ ପାଇଁ ପ୍ରସ୍ତାବ ଦିଆଯାଇଥିବା ବେଳେ ଜିଲ୍ଲା ଓ ବ୍ଲକ ସ୍ତରରେ ମଧ୍ୟ କମିଟି ଗଠନ କରାଯାଇ ଦାଦନ ସମସ୍ୟାର ସମାଧାନ ଓ ସେମାନଙ୍କୁ କର୍ମନିଯୁକ୍ତି ଯୋଗାଇବା ସଂପର୍କରେ ନିୟମିତ ଅନୁଧ୍ୟାନ ସହ କାର୍ଯ୍ୟାନୁଷ୍ଠାନ ହେବ । ଏଥିପାଇଁ ଏକ ଡାଟାବେସ ପ୍ରସ୍ତୁତି ସହ ପରିବାରମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯିବ ।

ଚିହ୍ନଟ ପରିବାରଙ୍କୁ ଆଗାମୀ ୩ ମାସ ପାଇଁ ଶ୍ରମଭିତ୍ତିକ କାର୍ଯ୍ୟକ୍ରମ, ବିଭିନ୍ନ ସରକାରୀ ଯୋଜନାରେ ରହିଥିବା ସୁଧ ଛାଡ଼ ସୁବିଧା ଦେବା, ଦାଦନ ସ୍ଥାନାନ୍ତର ରୋକିବା ପାଇଁ ଥିବା ଆଇନର ଅନୁପାଳନ କରାଯିବା ସଂପର୍କରେ ନିୟମିତ ସମୀକ୍ଷା ଓ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଶ୍ରମ ଓ କର୍ମଚାରୀ ବୀମା ଯୋଜନା ବିଭାଗକୁ ଅନ୍ୟ ରାଜ୍ୟକୁ ଯାଇ ଦାଦନ ପାଇଁ ଯାଉଥିବା ଲୋକ ତଥା ଶ୍ରମିକମାନଙ୍କର ବାସ୍ତବ ସ୍ଥିତି ଏବଂ ଏହାର କାରଣ ସର୍ବେକ୍ଷମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି, ଯଦ୍ୱାରା ଆମ ରାଜ୍ୟରେ ପ୍ରତିକାତ୍ମକ ପଦକ୍ଷେପ ନିଆଯାଇ ପାରିବ ।

ଅନ୍ୟ ପକ୍ଷରେ ଦାଦନ ଯାଉଥିବା ପରିବାର ଓ ଲୋକମାନଙ୍କୁ ବିଭିନ୍ନ ଗୋଷ୍ଠୀଭିତ୍ତିକ ଆଲୋଚନା ଏବଂ ବୈଠକ ମାଧ୍ୟମରେ ସଚେତନ କରାଯିବା, ପଂଚାୟତ ଜନପ୍ରତିନିଧିମାନଙ୍କ ସଂପୃକ୍ତିରେ ସେମାନଙ୍କୁ ସଚେତନ କରିବା, ଲୋକନୃତ୍ୟ, ପଥପ୍ରାନ୍ତ ପ୍ରାଚୀର ଚିତ୍ର ଏବଂ ସାମାଜିକ ଗଣମାଧ୍ୟମରେ ପ୍ରଚାର ପ୍ରସାର ଜରିଆରେ ଏହି ସମସ୍ୟାର ସମାଧାନ କରାଯିବା ସଂପର୍କରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+