ବିଧାନସଭାରେ ଓଡ଼ିଶା ଦ୍ରବ୍ୟ ଓ ସେବା କର ଅଧିନିୟମ (ସଂଶୋଧନ) ବିଧେୟକ, ୨୦୨୫ ପାରିତ; ରାଜସ୍ବ ବୃଦ୍ଧି ହେବ
ଗତକାଲି ବିଧାନସଭାରେ ଓଡ଼ିଶା ଦ୍ରବ୍ୟ ଓ ସେବା କର ଅଧିନିୟମ (ସଂଶୋଧନ) ବିଧେୟକ, ୨୦୨୫ ପାରିତ ହୋଇଛି। ବିଧେୟକ ଉପରେ ଆଲୋଚନାବେଳେ ବିରୋଧୀ ବିଜେଡି ଓ କଂଗ୍ରେସ ବିଭିନ୍ନ ସଂଶୋଧନ ପ୍ରସ୍ତାବ ଦେଇଥିଲେ ହେଁ ଅର୍ଥ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ, ବିରୋଧୀ ଜାଣିଛନ୍ତି ଏହି ବିଧେୟକରେ କୌଣସି ପରିବର୍ତ୍ତନ କରାଯାଇପାରିବନି। ଜିଏସ୍ଟି ପରିଷଦରେ ସର୍ବସମ୍ମତିକ୍ରମେ ହୋଇଥିବା ନିଷ୍ପତ୍ତିକୁ ସବୁ ରାଜ୍ୟ ଯଥାରୀତି ଲାଗୁ କରିବାକୁ ବାଧ୍ୟ। ଯଦି ଏଥିରେ କିଛି ସଂଶୋଧନ କରାଯାଏ ତେବେ ଆଇନଗତ ସମସ୍ୟା ଉପୁଜିବ। ତେଣୁ ଏହି ବିଧେୟକକୁ ପାରିତ କରିବାରେ ସହଯୋଗ କରନ୍ତୁ।

ଆଲୋଚନାରେ ଭାଗ ନେଇ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଥିଲେ, ଏହି ଜିଏସ୍ଟି ସଂସ୍କାର ଦ୍ବାରା ରାଜ୍ୟର ବିଶେଷ ଲାଭ ହେବନି। ଯଦି କେନ୍ଦ୍ର ସରକାର ଯାହା ନିୟମ କରିବେ ତାକୁ ରାଜ୍ୟ ସରକାର ଯଥାରୀତି ପାଳନ କରିବେ ତେବେ ଆଲୋଚନା କରି ଲାଭ କ'ଣ? ତଥାପି ମୁଖ୍ୟମନ୍ତ୍ରୀ କୁହନ୍ତୁ ଯେ ଏହି ବୈଠକରେ ସେ କ'ଣ ପ୍ରସ୍ତାବ ଦେଇଥିଲେ। ବିଧାୟକ ନିରଞ୍ଜନ ପୂଜାରୀ, କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦୋସ, ଅଶୋକ ଦାସ ପ୍ରମୁଖ ଭାଗ ନେଇ ଏହାକୁ ବିରୋଧ କରିଥିଲେ। ଶାସକ ଦଳ ପକ୍ଷରୁ ଓମ୍ ପ୍ରକାଶ ମିଶ୍ର, ସନ୍ତୋଷ ଖଟୁଆ, ସିଦ୍ଧାନ୍ତ ମହାପାତ୍ର, ଇରାଶିଷ ଆଚାର୍ଯ୍ୟ, ଅଖିଳ ଚନ୍ଦ୍ର ନାୟକ, ବାବୁ ସିଂହ, ଦୁର୍ଗା ପ୍ରସନ୍ନ ନାୟକ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।












Click it and Unblock the Notifications