ମୋଦୀ କ୍ୟାବିନେଟରେ ଓଡ଼ିଶାର ୩ ମନ୍ତ୍ରୀଙ୍କୁ ମିଳିଲା ବଡ଼ ବିଭାଗ
ନୂଆଦିଲ୍ଲୀ: ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ତାଙ୍କ ନୂତନ କ୍ୟାବିନେଟ ସହିତ ପ୍ରଥମ ବୈଠକ କରିଛନ୍ତି । ନୂତନ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ମଧ୍ୟ ମନ୍ତ୍ରଣାଳୟ ବଣ୍ଟନ କରାଯାଇଛି । ତେବେ ମୋଦି କ୍ୟାବିନେଟର ୩ ଓଡ଼ିଆ ମନ୍ତ୍ରୀଙ୍କୁ ମିଳିଲା ବଡ଼ ବିଭାଗ ।
ରେଳ ସହ ସୂଚନା ପ୍ରସାରଣ ମନ୍ତ୍ରାଳୟ ପାଇଲେ ଅଶ୍ୱିନୀ ବୈଷ୍ଣବ । ପୁଣିଥରେ କେନ୍ଦ୍ରରେ ଶିକ୍ଷାମନ୍ତ୍ରୀ ହେଲେ ଓଡିଆ ପୁଅ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ରଙ୍କୁ ମୋଦୀ କ୍ୟାବିନେଟରେ ଶିକ୍ଷା ବିଭାଗର ମନ୍ତ୍ରୀ ପଦ ମିଳିଛି । ଏହାସହ ସୁନ୍ଦରଗଡ ସାଂସଦ ଜୁଏଲ ଓରାମଙ୍କୁ ଆଦିବାସୀ ବ୍ୟାପାର ବିଭାଗର ମନ୍ତ୍ରୀ ପଦ ମିଳିଛି ।
ଏହି ତିନି ଜଣ ମନ୍ତ୍ରୀଙ୍କୁ ପୁଣିଥରେ ସେହି ସମାନ ଦାୟିତ୍ୱ ମିଳିଛି । ଧର୍ମେନ୍ଦ୍ର ମୋଦୀଙ୍କ ଦ୍ୱିତୀୟ ପାଳି ସରକାରରେ ଶିକ୍ଷାମନ୍ତ୍ରୀ ଥିବାବେଳେ, ଅଶ୍ୱିନୀ ରେଳ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ଏବେ ନୂଆ ସରକାରରେ ୩ ଓଡିଶା ସାଂସଦଙ୍କୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିଛି ।

ଅନ୍ୟପଟେ ରାଜନାଥ ସିଂହଙ୍କୁ ପ୍ରତିରକ୍ଷା ବିଭାଗ ମିଳିଥିବା ବେଳେ ଅମିତ ଶାହଙ୍କୁ ସ୍ୱରାଷ୍ଟ୍ର, ନୀତିନ ଗଡ଼କରୀଙ୍କୁ ସଡ଼କ ପରିବହନ ରାଜପଥ ନିର୍ମାଣ, ନିର୍ମଳା ସୀତାରମଣଙ୍କୁ ଅର୍ଥ ବିଭାଗ, ଏସ୍. ଜୟଶଙ୍କରଙ୍କୁ ବୈଦେଶିକ ବ୍ୟାପାର, ମନୋହର ଲାଲଙ୍କୁ ଶକ୍ତି, ସହରାଞ୍ଚଳ ବିକାଶ ଓ ଗୃହ ନିର୍ମାଣ, ଅଶ୍ୱିନୀ ବୈଷ୍ଣବଙ୍କୁ ସୂଚନା ଓ ପ୍ରସାରଣ, ଶିବରାଜ ସିଂ ଚୌହାନଙ୍କୁ କୃଷି, ଗ୍ରାମ୍ୟ ଉନ୍ନୟନ, ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷା ମନ୍ତ୍ରାଳୟ, ଚିରାଗ ପାଶୱାନଙ୍କୁ କ୍ରୀଡ଼ା ବିଭାଗ, ଏଚ୍.ଡି କୁମାରସ୍ୱାମୀଙ୍କୁ ଇସ୍ପାତ ଓ ଖଣି ବିଭାଗ ମିଳିଛି ।
ରାଷ୍ଟ୍ରପତି ଭବନରେ ଗତକାଲି ସନ୍ଧ୍ୟାରେ ମୋଦୀ ଏବଂ ତାଙ୍କ ନୂଆ କ୍ୟାବିନେଟର ଅନ୍ୟ ୭୨ ସଦସ୍ୟଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ମନ୍ତ୍ରିମଣ୍ଡଳରେ ବିଜେପିରୁ ୬୧ ଜଣ ଶପଥ ନେଇଥିବାବେଳେ ଏନଡିଏ ସହଯୋଗୀ ଦଳଗୁଡ଼ିକରୁ ୧୧ ଜଣଙ୍କୁ ସୁଯୋଗ ମିଳିଛି । ମୋଦୀଙ୍କ ନେତୃତ୍ୱରେ ହୋଇଥିବା ମନ୍ତ୍ରୀଙ୍କ ଦଳରେ ୩୦ ଜଣ କ୍ୟାବିନେଟ ମନ୍ତ୍ରୀ, ୫ ଜଣ ସ୍ୱତନ୍ତ୍ର ରାଷ୍ଟ୍ରମନ୍ତ୍ରୀ, ଓ ୩୬ ଜଣ ରାଷ୍ଟ୍ରମନ୍ତ୍ରୀ ସାମିଲ ଅଛନ୍ତି ।












Click it and Unblock the Notifications