ଓଡ଼ିଆ ମାଟିର ଅସ୍ମିତା ଓ ସ୍ୱାଭିମାନ ରକ୍ଷା ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର: ଆଜି ପବିତ୍ର ଓଡ଼ିଶା ଦିବସ । ସବୁ ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ଦିନ । ୧୯୩୬ ମସିହାରେ ଆଜିର ଦିନରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ସ୍ୱପ୍ନ ସାକାର ହୋଇଥିଲା । ଦେଶର ପ୍ରଥମ ଭାଷାଭିଭିକ ରାଜ୍ୟ ଭାବେ ଓଡ଼ିଶା ଇତିହାସ ସୃଷ୍ଟି କରିଥିଲା ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ଓଡିଶା ଦିବସ ସମାରୋହକୁ ଉଦ୍‌ଘାଟନ କରି ଏହା କହିଛନ୍ତି । ଭର୍ଚ୍ଚୁଆଲ ପ୍ଲାଟଫର୍ମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟ ତଥା ବିଶ୍ୱର ବିଭିନ୍ନ ସ୍ଥାନରେ ଥିବା ଓଡିଆ ଭାଇଭଉଣୀମାନଙ୍କୁ ଶୁଭେଚ୍ଛା

ଓ ଅଭିନନ୍ଦନ ଜଣାଇଥିଲେ । ଓଡ଼ିଶା ମାଟିର ବରପୁତ୍ର ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ, ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ, ଫକୀର ମୋହନ ସେନାପତି, ପଣ୍ଡିତ ଗୋଦାବରୀଶ ମିଶ୍ର, ମହାରାଜା ହରିହର ମର୍ଦ୍ଦରାଜଙ୍କ ଅସୀମ ତ୍ୟାଗ ଓ ନିରନ୍ତର ସଂଗ୍ରାମ ଯୋଗୁ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସମ୍ଭବ ହୋଇଥିଲା ବୋଲି ଉଲ୍ଲେଖ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଅବଦାନ ରଖୁଥୁବା ମହାମନୀଷୀମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଓଡ଼ିଆ ଭାଷା ଓ ସାହିତ୍ୟକୁ ସମୃଦ୍ଧ କରିଥିବା ଭକ୍ତକବି ମଧୁସୂଦନ ରାଓ, କବିବର ରାଧାନାଥ ରାୟ, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ନାରୀକବି କୁନ୍ତଳା କୁମାରୀ ସାବତ, କର୍ମବୀର ଗୌରୀଶଙ୍କର ରାୟଙ୍କ ପରି ସାହିତ୍ୟ ମହାରଥୀମାନଙ୍କ ପ୍ରତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଦେଶର ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ବୋଲି ଉଲ୍ଲେଖ କରି ଏ ମାଟିର ସ୍ୱାଭିମାନର ସୁରକ୍ଷା ପାଇଁ ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ, ବୀର ସୁରେନ୍ଦ୍ର ସାଏ, ଶହୀଦ ବାଜି ରାଉତ, ଶହୀଦ ଲକ୍ଷ୍ମଣ ନାଏକଙ୍କ ପରି ସଂଗ୍ରାମୀମାନଙ୍କ ପ୍ରତି ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ମାନ୍ୟବର ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଓଡ଼ିଆ ଭାଷା ଆଜି ଶାସ୍ତ୍ରୀୟ ମାନ୍ୟତା ପାଇଛି । ଓଡ଼ିଶାର କଳା ଓ ସଂସ୍କୃତି ଦେଶବିଦେଶରେ ଆମ ପରିଚୟକୁ ଆହୁରି ଉଜ୍ଜ୍ୱଳ କରୁଛି । ଦେଶବିଦେଶରେ ରହୁଥିବା ଓଡ଼ିଆ ଭାଇ ଓ ଭଉଣୀମାନେ ସେମାନଙ୍କ ଦକ୍ଷତା ଦ୍ୱାରା ଏ ମାଟିର ଗୌରବ ବୃଦ୍ଧି କରିଛନ୍ତି । ଏ ପବିତ୍ର ଭୂମି ଯୁଗେ ଯୁଗେ ସାରା ବିଶ୍ୱକୁ ଶାନ୍ତି, ପ୍ରେମ, ଅହିଂସା ଓ ସଦ୍‌ଭାବନାର ବାର୍ଭା ଦେଇଆସିଛି । ଏ ମାଟି ପ୍ରତି ଆମ ସମସ୍ତଙ୍କର ଦାୟିତ୍ୱ ରହିଛି ବୋଲି ଉଲ୍ଲେଖ କରିବା ସହ ଆମ ବରପୁତ୍ରମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଓଡ଼ିଆ ମାଟିର ଅସ୍ମିତା ଓ ସ୍ୱାଭିମାନ ରକ୍ଷା ପାଇଁ ମିଳିତ ଭାବେ କାମ କରିଚାଲିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ ।

Odisha Foundation Day 2024

ଏହି ଉତ୍ସବରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ ସଭାପତିତ୍ୱ କରି କହିଲେ ଯେ ଗୌରବମୟ ଇତିହାସ, ଉତ୍କୃଷ୍ଟ କଳା-ଭାସ୍କର୍ଯ୍ୟ, ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ନଦୀ-ପର୍ବତବେଷ୍ଟିତ ଭୂଗୋଳ, ସମୃଦ୍ଧ ଭାଷା-ସାହିତ୍ୟ-ସଂସ୍କୃତି-ପରମ୍ପରା, ବିପୁଳ ଖଣିଜ ସମ୍ପଦ, ସୁଦୀର୍ଘ ବେଳାଭୂମି ଓ ପର୍ଯ୍ୟଟନ ବିଭବ ଓଡ଼ିଶାକୁ ଭାରତବର୍ଷର ଏକ ଅନନ୍ୟ ଓ ଅନବଦ୍ୟ ରାଜ୍ୟ ଭାବେ ପ୍ରତିପାଦିତ କରିଛି । ଆମର ବୌଦ୍ଧିକଓ ଆଧ୍ୟାତ୍ମିକ ଚେତନା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶରଣରେ ପରିପୁଷ୍ଟ ହୋଇ ଆମକୁ ବିଶ୍ୱର ଏକ ଶ୍ରେଷ୍ଠ ଜାତିରେ ପରିଣତ କରିଛି ।

ସମ୍ମାନିତ ଅତିଥି ଭାବେ ଯୋଗଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା କହିଲେ ଯେ ଦେଶର ପ୍ରଥମ ଭାଷାଭିଭିକ ରାଜ୍ୟ ଭାବେ ଓଡ଼ିଶା ଆଜି ୮୮ ବର୍ଷ ଅତିକ୍ରମ କରିସାରିଛି । ଅନେକ ମହାମନୀଷୀଙ୍କ ଅସୀମ ତ୍ୟାଗ ଓ ବଳିଦାନ ପରେ ଆମେ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଲାଭ କରିଥିଲୁ । ଓଡ଼ିଆ ଜାତି କଳିଙ୍ଗ ଯୁଦ୍ଧ ପରେ ସମଗ୍ର ବିଶ୍ୱକୁ ଶାନ୍ତିର ବାର୍ତ୍ତା ପ୍ରଦାନ କରିଥିଲା । ଆଜି ଓଡ଼ିଆ ଭାଷା ଷଷ୍ଠତମ ଶାସ୍ତ୍ରୀୟ ଭାଷାର ମାନ୍ୟତା ଲାଭ କରିଛି । ଆମ ସମସ୍ତଙ୍କର ମିଳିତ ପ୍ରୟାସ ଓ ଲକ୍ଷ୍ୟ ରହିଲେ ଓଡ଼ିଶା ନିଶ୍ଚୟ ଏକ ସମୃଦ୍ଧ ଓ ଉନ୍ନତ ରାଜ୍ୟରେ ପରିଗଣିତ ହୋଇପାରିବ ବୋଲି ସେ ମତ ରଖୁଥିଲେ ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା ଆ,ର୍ କାର୍ତ୍ତିକେୟନ୍ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହ ସ୍ୱାଗତ ଭାଷଣ ପ୍ରଦାନ ଅବସରରେ ଓଡ଼ିଶା ଦିବସ ଆଧୁନିକ ଓଡ଼ିଶାର ଇତିହାସରେ ଏକ ମହତ୍ତ୍ୱପୂର୍ଣ୍ଣ ଦିବସ ବୋଲି ଉଲ୍ଲେଖ କରିଥିଲେ । ସମସ୍ତ ଓଡ଼ିଆଙ୍କ ପାଇଁ ଏହା ଗର୍ବ ଓ ଗୌରବ ତଥା ସ୍ୱାଭିମାନର ଦିବସ । ଅଗଣିତ ଓଡ଼ିଆଙ୍କ ନିରବଚ୍ଛିନ୍ନ ସଂଗ୍ରାମ ଓ ନିଃସ୍ୱାର୍ଥପର ନେତୃତ୍ୱ, ତ୍ୟାଗ ଓ ସାଧନାର ଫଳସ୍ୱରୂପ ଓଡ଼ିଶା ଆଜି ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପାଇଛି ।

ଏହି ଭାଷାଭିଭିକ ରାଜ୍ୟ ଗଠନ ପାଇଁ ଯେଉଁ ବରପୁତ୍ରମାନଙ୍କର ନିଷ୍ଠାପର ଅବଦାନ ରହିଛି ସେମାନଙ୍କୁ ଆଜି ସ୍ମରଣ କରିବାର ଦିନ ବୋଲି ସେ କହିଥିଲେ । ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ପ୍ରେରିତ ବାର୍ତା ପାଠ କରିଥିଲେ । ଶେଷରେ ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ । ଉତ୍ସବ ପ୍ରାରମ୍ଭରେ ଉତ୍କଳ ଜନନୀଙ୍କୁ ପୁଷ୍ପଗୁଚ୍ଛ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନପୂର୍ବକ ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ ହୋଇଥିଲା ।

ସଭା ପରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସୂଚନା ଓ ଲୋକସଂପର୍କ ବିଭାଗ ଓ ଓଡ଼ିଆ, ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ-୨୦୨୪ ମହାସମାରୋହରେ ପାଳିତ ହୋଇଥିଲା । ସୂଚନା ଓ ଲୋକସଂପର୍କ ବିଭାଗର ଉପନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+