ଆଜି ମୁଣ୍ଡଳିରେ ପାସ୍ କରିବ ସର୍ବାଧିକ ବନ୍ୟାଜଳ, ଆଗାମୀ ୪୮ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ
ଆଜି ସଂଧ୍ୟାରେ ମୁଣ୍ଡଳିରେ ସର୍ବାଧିକ ବନ୍ୟାଜଳ ପ୍ରବାହିତ ହେବ । ସୂଚନା ଦେଲେ ଏସଆରସି ପ୍ରଦୀପ ଜେନା । ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା ବିଶେଷ ଭାବରେ ପ୍ରଭାବିତ ହେବାର ଆଶଙ୍କା ରହିଛି ।
ଭୁବନେଶ୍ୱର: ଆଜି ସଂଧ୍ୟାରେ ମୁଣ୍ଡଳିରେ ସର୍ବାଧିକ ବନ୍ୟାଜଳ ପ୍ରବାହିତ ହେବ । ସୂଚନା ଦେଲେ ଏସଆରସି ପ୍ରଦୀପ ଜେନା । ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା ବିଶେଷ ଭାବରେ ପ୍ରଭାବିତ ହେବାର ଆଶଙ୍କା ରହିଛି । ବ୍ୟାକ୍ ଓ୍ବାଟର ଯୋଗୁଁ କିଛି ଜାଗାରେ ପାଣି ପଶିଯାଇଛି ବୋଲି କହିଛନ୍ତି ଏସଆରସି ।

ସେ କହିଛନ୍ତି ଯେ, ହୀରାକୁଦରେ ଜଳସ୍ତର ବଢିଛି । ୩ଟା ବେଳେ ନିଷ୍ପତ୍ତି ନିଆଯିବ କେତୋଟି ଗେଟ୍ ଖୋଲାଯିବ ଏବଂ କେତେ ପାଣି ନିସ୍କାସିତ ହେବ । ଏସଆରସି ଆହୁରି ମଧ୍ୟ କହିଛନ୍ତି କି ପ୍ରଥମ ବନ୍ୟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ । ଆସନ୍ତା ୪୮ ଘଣ୍ଟା ବନ୍ୟା ସ୍ଥିତି ଉପରେ ନଜର ରହିବ । କାରଣ ଆସନ୍ତା ୪୮ ଘଣ୍ଟା ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଆବଶ୍ୟକ ଅନୁସାରେ ଲୋକଙ୍କୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଲୋକଙ୍କୁ ସ୍ଥାନାନ୍ତର ସହ ରନ୍ଧାଖାଦ୍ୟ ଦେବାକୁ କୁହାଯାଇଛି । ଆବଶ୍ୟକ ଅନୁସାରେ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବନ୍ୟା ଆଶଙ୍କାକୁ ଦେଖି କର୍ମଚାରୀଙ୍କ ଛୁଟି ବାତିଲ କରିବେ ଜିଲ୍ଲାପାଳ ।
ସୂଚନାଥାଉ କି, ହୀରାକୁଦରୁ ଏବେ ୭ ଲକ୍ଷ ୮୮ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୪ ଲକ୍ଷ ୪୫ ହଜାର କ୍ୟୁସେକ ଜଳ ବାହାରୁଛି । ୨୬ଟି ଗେଟ୍ ଦେଇ ଜଳ ନିଷ୍କାସନ ଚାଲିଥିବା କହିଛନ୍ତି ଏସ୍ଆରସି । ଆଉ କେତେ ଗେଟ୍ ଖୋଲାଯିବ, ତାର ସମୀକ୍ଷା କରାଯାଉଛି । ସେପଟେ କଟକ ମୁଣ୍ଡଳିରେ ମହାନଦୀ ବିପଦ ସଙ୍କେତ ଟପିଛି। ମୁଣ୍ଡଳିରେ ମହାନଦୀ ବିପଦ ସଙ୍କେତ ୯୭.୨୫ ଫୁଟ୍ ଥିବା ବେଳେ ଏବେ ଜଳସ୍ତର ୯୭.୩୦ ଫୁଟ୍ ରହିଛି। ମୁଣ୍ଡଳିରେ ୧୧ ଲକ୍ଷ ୬୦ ହଜାର ୯୦୦ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି।












Click it and Unblock the Notifications