ବୈତରଣୀ, ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖାକୁ ବନ୍ୟା ଆଶଙ୍କା
ଆଜିଠାରୁ ହେବାକୁ ଥିବା ପ୍ରବଳ ବର୍ଷା ଫଳରେ ବୈତରଣୀ, ସୁବର୍ଣ୍ଣରେଖା, ବୁଢାବଳଙ୍ଗକୁ ବନ୍ୟା ଆଶଙ୍କା ରହିଛି । ବାଲେଶ୍ୱର, ମୟୂରଭଞ୍ଜ, ସୁନ୍ଦରଗଡ଼, କେନ୍ଦୁଝରରେ ବି ପ୍ରବଳ ବର୍ଷା ଆଶଙ୍କା ରହିଛି ।
ଭୁବନେଶ୍ୱର: ବନ୍ୟା ସ୍ଥିତ ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନାଙ୍କ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଆଉ ୪ଟି ଗେଟ ବନ୍ଦ ହୋଇଛି। ବର୍ତ୍ତମାନ ୨୦ଟି ଗେଟ ଖୋଲା ଅଛି। ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ୬୨୧.୯୩ ଫୁଟ୍ ରହିଛି। ଜଳଭଣ୍ଡାର ୩ ଲକ୍ଷ କ୍ଯୁସେକ ଜଳ ପ୍ରବେଶ କରୁଥିବା ବେଳ ୪ ଲକ୍ଷ କ୍ଯୁସେକ ଜଳ ନିଷ୍କାସନ ହେଉଛି। ଆସନ୍ତା କଲି ସୁଦ୍ଧା ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୨୦.୫ରେ ପହଞ୍ଚିବାର ଲକ୍ଷ ରହିଛି ବୋଲି ଏସଆରସି ପ୍ରଦୀପ ଜେନା କହିଛନ୍ତି।ମୁଣ୍ଡୁଳିରେ ୯ ଲକ୍ଷ ୪୮ ହଜାର କ୍ଯୁସେକ ଜଳ ପ୍ରବାହିତ ହେଉଛି। ଧୀରେ ଧୀରେ ମୁଣ୍ଡୁଳିରେ ଜଳସ୍ତର କମୁଛି ।

ତେବେ ଆଜିଠାରୁ ହେବାକୁ ଥିବା ପ୍ରବଳ ବର୍ଷା ଫଳରେ ବୈତରଣୀ, ସୁବର୍ଣ୍ଣରେଖା, ବୁଢାବଳଙ୍ଗକୁ ବନ୍ୟା ଆଶଙ୍କା ରହିଛି । ବାଲେଶ୍ୱର, ମୟୂରଭଞ୍ଜ, ସୁନ୍ଦରଗଡ଼, କେନ୍ଦୁଝରରେ ବି ପ୍ରବଳ ବର୍ଷା ଆଶଙ୍କା ରହିଛି । ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁରକୁ ଅତିରିକ୍ତ ଓଡ୍ରାଫ ଓ ଏନଡିଆରଏଫ୍ ଟିମ୍ ପଠାଯିବ ବୋଲି କହିଛନ୍ତି ଏସଆରସି । ସେହିପରି ଦେବଗଡ଼, କେନ୍ଦ୍ରାପଡ଼ା, କନ୍ଧମାଳ, ଅନୁଗୁଳରେ ପ୍ରବଳ ବର୍ଷା ହୋଇଛି । ପୁରୀ ଗୋପରେ ୧୨୦ ମିଲିମିଟର ବର୍ଷା ହୋଇଛି । ମୁଣ୍ଡଳୀର ତଳମୁଣ୍ଡରେ ଜଳସ୍ତର କମିଥିବା ବେଳେ, କୌଣସି ଜାଗାରେ ନୂଆ ଘାଇ ସୃଷ୍ଟି ହୋଇନି ।
ମହାନଦୀ ବନ୍ୟାଞ୍ଚଳରେ ୨ ଲକ୍ଷ ୭୭ ହଜାର ୯୯୫ ଉପଭୋକ୍ତାଙ୍କ ବିଜୁଳୀ ସେବା ପ୍ରଭାବିତ ହୋଇଛି । ସେହିପରି ୧୫୯ଟି ମେଡିକାଲ ରିଲିଫ ସେଣ୍ଟର ଖୋଲାଯାଇଛି । ୧୧୦ଟି ମୋବାଇଲ୍ ସ୍ୱାସ୍ଥ୍ୟ ଟିମ୍ ନିୟୋଜିତ କରାଯାଇଛି । ହାଲୋଜେନ୍ ଟ୍ୟାବଲେଟ୍, ଓଆରଏସ୍ ବଣ୍ଟନ କରାଯାଉଛି । ୫ ହଜାର ୫ ଶହ ଲୋକଙ୍କ ଚିକିତ୍ସା କରାଯାଇଛି । ତେବେ ଏପର୍ଯ୍ୟନ୍ତ ୫ଟି ସାପକାମୁଡ଼ା ରୋଗୀଙ୍କୁ ଚିକିତ୍ସା କରାଯାଇଛି । ୧୯୩ଟି ପ୍ରାଣୀଧନ ଚିକିତ୍ସା ଟିମ୍ ନିୟୋଜିତ ହୋଇଛନ୍ତି । ୫ଟି ସର୍ବାଧିକ ପ୍ରଭାବିତ ଜିଲ୍ଲାରେ ୧୫ଦିନ ପାଇଁ ରିଲିଫ ଦିଆଯାଉଛି ବୋଲି ପ୍ରେସମିଟରେ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା












Click it and Unblock the Notifications