Odisha Flood: ରାଜ୍ୟର ୬ ଜିଲ୍ଲାରେ ବନ୍ୟା ସ୍ଥିତି: ୧୧ ହଜାରରୁ ଅଧିକ ଲୋକ ପ୍ରଭାବିତ
ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ରାଜ୍ୟର ୬ଟି ଜିଲ୍ଲାରେ ବନ୍ୟା ପରିସ୍ଥିତି । ବାଲେଶ୍ବର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, ସୁନ୍ଦରଗଡ଼ ଓ କେନ୍ଦୁଝରରେ ବନ୍ୟା ଯୋଗୁ ୧୧ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି।
ମୟୂରଭଞ୍ଜ ଓ ବାଲେଶ୍ବରରେ ବନ୍ୟା ପ୍ରକୋପ ଅଧିକ ଥିବାରୁ ୯ଟି ଆଶ୍ରୟସ୍ଥଳୀକୁ ପ୍ରାୟ ୧ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ବନ୍ୟା ପ୍ରଭାବିତ ଅଞ୍ଚଳରେ ସମସ୍ତଙ୍କୁ ରିଲିଫ ସାମଗ୍ରୀ ମିଳିବା ନେଇ ଜିଲ୍ଲାପାଳମାନେ ପଦକ୍ଷେପ ନେବାକୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ନିର୍ଦ୍ଦେଶ ଦେଇଛନ୍ତି ।

ମନ୍ତ୍ରୀ ଶ୍ରୀ ପୂଜାରୀ, ସ୍ବତନ୍ତ୍ର ରିଲିଫ କମିସନର ଦେଓରଂଜନ କୁମାର ସିଂହ ଆଭାସୀ ମାଧ୍ୟମରେ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳ ଓ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ସହ ବନ୍ୟା ପରିସ୍ଥିତିର ସମୀକ୍ଷା କରିଥିଲେ। ପରେ ମନ୍ତ୍ରୀ କହିଥିଲେ, ବାଲେଶ୍ବରର ଦୁଇଟି ବ୍ଲକ୍ ବ୍ୟତୀତ ଅନ୍ୟ ଅଞ୍ଚଳର ସ୍ଥିତି ଠିକ୍ ଅଛି। ମୟୂରଭଞ୍ଜ ଓ କେନ୍ଦୁଝର ପୂର୍ବରୁ ରେଡ୍ ଜୋନ୍ରେ ଥିଲା। ଏବେ ସୁରକ୍ଷିତ ଅଛି।
ଆଜି ସୁଦ୍ଧା ଭଦ୍ରକ, ଯାଜପୁର, ମୟୂରଭଞ୍ଜ ଓ କେନ୍ଦୁଝରରେ ସ୍ଥିତି ସ୍ବାଭାବିକ ହୋଇଯିବ। ବୈତରଣୀରେ ଜଳସ୍ତର କମୁଛି। ସମସ୍ତ ସିଏଚ୍ସି ଓ ପିଏଚ୍ସିରେ ପର୍ଯ୍ୟାପ୍ତ ଆଣ୍ଟିଭେନମ୍ ମହଜୁଦ୍ ରଖାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ଏସ୍ଆର୍ସି କହିଛନ୍ତି ଯେ ଏବେ ସୁବର୍ଣ୍ଣରେଖା ନଦୀକୁ ଛାଡ଼ି ଅନ୍ୟ ସବୁ ନଦୀର ଜଳପତ୍ତନ ହ୍ରାସ ପାଇବାରେ ଲାଗିଛି। ବାଲେଶ୍ବର ଜିଲ୍ଲା ଉପରେ ସ୍ବତନ୍ତ୍ର ନଜର ରହିଛି। କ୍ଷତିଗ୍ରସ୍ତ ଅଞ୍ଚଳରେ ରାତ୍ରକାଳୀନ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଅତିରିକ୍ତ ରିଲିଫ୍ କମିସନର ମନୀଷ ଅଗ୍ରୱାଲଙ୍କୁ ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ପୁନରୁଦ୍ଧାର ଓ ରିଲିଫ୍ କାର୍ଯ୍ୟର ତଦାରଖ ପାଇଁ ପଠାଯାଇଛି।
ବୈତରଣୀ ନଦୀରେ ବନ୍ୟା ଯୋଗୁ ଭଣ୍ଡାରିପୋଖରୀ ବ୍ଲକ୍ର ୭ଟି ପଞ୍ଚାୟତର ୨୫ ଗ୍ରାମ, ଧାମନଗର ବ୍ଲକ୍ର ୨୦ଟି ପଞ୍ଚାୟତର ୫୨ଗ୍ରାମ ପ୍ରଭାବିତ ହୋଇଛି। ସେହିପରି ଜଳକା ଓ ସୁବର୍ଣ୍ଣରେଖାରେ ବନ୍ୟା ଯୋଗୁ ଉତ୍ତର ବାଲେଶ୍ବରର ୪ଟି ବ୍ଲକ୍ ଅଧୀନ ପ୍ରାୟ ୪୦ଟି ପଞ୍ଚାୟତର ୧୫୦ ଗାଁରେ ପାଣି ପଶିଛି।
ଦଶରଥପୁର ବ୍ଲକ୍ ଅଧୀନ ୧୩ଟି ପଞ୍ଚାୟତର ୨୪ଟି ଗାଁ ବିଶେଷ ପ୍ରଭାବିତ ହୋଇଛି। ଏଥିରେ ୬୫୯୪ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। ୬୪୪ ଜଣ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି।












Click it and Unblock the Notifications