ଭୋଇ ସାରଙ୍କ ବାଡ଼ିରେ ଫଳିଛି ଜାପାନୀ ଆମ୍ବ , ମୂଲ୍ୟ କିଲୋ ପିଛା ୨.୫ ଲକ୍ଷ ଟଙ୍କା
କଳାହାଣ୍ଡି: ଜାପାନୀ ମିଆଜାକି ଆମ୍ବ ଫଳାଇ ଚର୍ଚ୍ଚାରେ ଭୋଇ ସାର । କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ କାନ୍ଦୁଲଗୁଡାର ସଫଳ ଆମ୍ବ ଚାଷୀ ତଥା ଶିକ୍ଷକ ରକ୍ଷାକର ଭୋଇ ନିଜ ବାଡିରେ ମିଆଜାକି ଆମ୍ବ ଫଳାଇ ଏବେ ଚର୍ଚ୍ଚାରେ ।
ତେବେ ଆମ୍ବର ଦାମ୍ ଏତେ ଅଧିକ ଯେ ଶୁଣିଲେ ହୋସ୍ ଉଡିଯିବ । କାରଣ ଶହେ କି ହଜାର ନୁହେଁ ବରଂ ଆମ୍ବ କିଲୋର ଦାମ୍ ରହିଛି ୨ ଲକ୍ଷ ଟଙ୍କାରୁ ଅଧିକ । ଅନ୍ତର୍ଜାତୀୟ ବଜାରରେ ଏହି ଆମ୍ବର ମୂଲ୍ୟ ୨.୫ ଲକ୍ଷରୁ ଅଧିକ ବୋଲି ଜଣାପଡ଼ିଛି । ଅନେକ ଔଷଧୀୟ ଗୁଣ ଥିବା ଏହି ଜାପାନୀ ପ୍ରଜାତିର ମିଆକାଜି ଆମ୍ବର ମୂଲ୍ୟ ଲକ୍ଷାଧିକ ଟଙ୍କା ଥିବା ପ୍ରଚାର ହେବାପରେ ଏବେ ତାଙ୍କ ବାଡିରେ ଭିଡ । ଏହାକୁ ଦେଖିବା ସହ ଏହି ଆମ୍ବ ବିଷୟରେ ଜାଣିବା ପାଇଁ ଏବେ ସ୍ଥାନୀୟ ଲୋକଠୁ ଆରମ୍ଭ କରି ଜିଲ୍ଲାର ଅନେକ ଇଚ୍ଛୁକ ଚାଷୀ ତାଙ୍କ ବାଡିରେ ଭିଡ ଜମାଇଛନ୍ତି ।

ରକ୍ଷାକର ଭୋଇ ଜଣେ କାନ୍ଦୁଲଗୁଡା ଗାଁର ପ୍ରାଥମିକ ଶିକ୍ଷକ। ହାଇଦ୍ରାବାଦରୁ ସେ ୧୨ ବର୍ଷ ତଳେ ଏହି ଗଛ ଆଣି ନିଜ ବାଡ଼ିରେ ଲଗାଇ ଥିଲେ। କିଛି ବର୍ଷ ହେବ ଏହା ଫଳୁଥିଲା, ହେଲେ ଚଳିତ ବର୍ଷ ସେ ଏହି ଆମ୍ବର ଗୁଣ ବିଷୟରେ ଜାଣିପାରି ଥିଲେ । ନିଜ ଘର ବାଡିରେ ଶହ ଶହ ପ୍ରଜାତିର ଆମ୍ବ ଏବଂ ଔଷଧ ବୃକ୍ଷ ରୋପଣ କରିଛନ୍ତି । ଗତ ୨୦ ବର୍ଷ ହେବ ନିରବଛିନ୍ନ ଭାବରେ ସେ ନିଜ ବାଡିରେ ଏହି କାର୍ଯ୍ୟ କରି ଆସୁଛନ୍ତି । ପରିବେଶ ସନ୍ତୁଳନ ପାଇଁ ସେ ବାଡିରେ ଲଗେଇଛନ୍ତି ଶହଶହ ଗଛ ।
ରକ୍ଷାକର ଭୋଇଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଧୁବାଦ ଜଣାଇଛନ୍ତି । କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ଯେ, କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ କାନ୍ଦୁଲଗୁଡ଼ା ଗ୍ରାମର ଶିକ୍ଷକ ରକ୍ଷାକର ଭୋଇ ବିଶ୍ୱର ବ୍ୟୟବହୁଳ ଆମ୍ବ ତଥା ଜାପାନୀ ପ୍ରଜାତିର 'ମିଆଜାକି' ନାମକ ଆମ୍ବ ଚାଷ କରି ସଫଳତା ହାସଲ କରିଛନ୍ତି । ଏକ ଦୁର୍ଗମ ଅଞ୍ଚଳରେ ଏଭଳି କିସମର ଆମ୍ବ ଲଗାଇ ସେ ଯୁବ ଚାଷୀଙ୍କୁ ଚାଷ କରି ଲାଭବାନ ହେବାର ନୂଆ ଦିଶା ଦେଖାଇଛନ୍ତି ।












Click it and Unblock the Notifications