ପରଲୋକରେ ପ୍ରଖ୍ୟାତ କାର୍ଟୁନିଷ୍ଟ କିଶୋର ରଥ
ଓଡ଼ିଶାର ଜଣାଶୁଣା କାର୍ଟୁନିଷ୍ଟ କିଶୋର ରଥଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୮ ବର୍ଷ ହୋଇଥିଲା। ହୃଦ୍ଘାତ ତାଙ୍କର ପରଲୋକ ହୋଇଛି।
ଭୁବନେଶ୍ୱର: ଓଡ଼ିଶାର ଜଣାଶୁଣା କାର୍ଟୁନିଷ୍ଟ କିଶୋର ରଥଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୮ ବର୍ଷ ହୋଇଥିଲା। ହୃଦ୍ଘାତ ତାଙ୍କର ପରଲୋକ ହୋଇଛି। ତାଙ୍କ ପୁଅ ଦେବଦଳନ ରଥ ଏହି ସୂଚନା ଦେଇଛନ୍ତି।

୧୯୬୩ରେ ଜନ୍ମିତ କିଶୋର ରଥ ରାଜ୍ୟର ବେଶ୍ ଜଣାଶୁଣା କାର୍ଟୁନିଷ୍ଟ ଭାବେ ପରିଚିତ ଥିଲେ । ଖଲିକୋଟ ଆର୍ଟ କଲେଜରୁ ଫାଇନ୍ ଆର୍ଟସରେ ସ୍ନାତକ ପରେ ପେସାଦର ବ୍ୟଙ୍ଗ ଚିତ୍ରକର ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । କିଶୋରଙ୍କ ଦ୍ୱାରା ରଚିତ ବହୁ ବ୍ୟଙ୍ଗ କବିତା ଓ ଚିତ୍ର ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇଛି। ଦୈନିକ ଖବର କାଗଜ 'ସମ୍ବାଦ'ରେ 'କଟାକ୍ଷ' ଓ 'ସ୍ପୋର୍ଟାକ୍ଷ' କାର୍ଟୁନ ଲାଗି କିଶୋର ରଥ ଘରେ ଘରେ ପରିଚିତ ଥିଲେ।
ସୂଚନା ଅନୁଯାୟୀ, ସେ ଦୁଇ ଦିନ ହେଲା ଅସୁସ୍ଥ ଥିଲେ। ଗତକାଲି ରାତିରେ ଶ୍ୱାସ ଜନିତ ସମସ୍ୟା ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ୍ ନିଆଯାଇଥିଲା। ଇସିଜି କରିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
କିଶୋରଙ୍କ ପରଲୋକରେ ବହୁ ବିଶିଷ୍ଟ ବ୍ୟକ୍ତି ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି, ସମାଜର ବିଭିନ୍ନ ପ୍ରସଙ୍ଗକୁ ବ୍ୟଙ୍ଗ ଚିତ୍ର ମାଧ୍ୟମରେ ଉପସ୍ଥାପନ କରିବାର ନିଜର ସ୍ୱତନ୍ତ୍ର ଶୈଳୀ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ।
ଲୋକପ୍ରିୟ ବ୍ୟଙ୍ଗ ଚିତ୍ରକର କିଶୋର ରଥଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ସମାଜର ବିଭିନ୍ନ ପ୍ରସଙ୍ଗକୁ ବ୍ୟଙ୍ଗ ଚିତ୍ର ମାଧ୍ୟମରେ ଉପସ୍ଥାପନ କରିବାର ନିଜ ସ୍ୱତନ୍ତ୍ର ଶୈଳୀ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।
— Naveen Patnaik (@Naveen_Odisha) November 8, 2021
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ କିଶୋରଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ କିଶୋର ରାଜ୍ୟର ସାଂପ୍ରତିକ ଘଟଣାବଳୀକୁ ବ୍ୟଙ୍ଗାତ୍ମକ ଚିତ୍ର ଭାବେ ପରିବେଷଣ କରି ଘରେ ଘରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।
ବିଶିଷ୍ଟ ବ୍ୟଙ୍ଗ ଚିତ୍ରଶିଳ୍ପୀ ତଥା ସମ୍ବାଦରେ ‘କଟାକ୍ଷ କିଶୋର’ ନାମରେ ପରିଚିତ କିଶୋର ରଥଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ରାଜ୍ୟର ସାଂପ୍ରତିକ ଘଟଣାବଳୀକୁ ବ୍ୟଙ୍ଗାତ୍ମକ ଚିତ୍ର ଭାବେ ପରିବେଷଣ କରି ସେ ଘରେ ଘରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥଲେ ।
— Dharmendra Pradhan (@dpradhanbjp) November 8, 2021












Click it and Unblock the Notifications