ଅପରେସନ୍ ଗଜରାଜ: ହାତୀକୁ ଉଦ୍ଧାର କରିବାକୁ ଯାଇ ଓଲଟିଲା ଓଡ୍ରାଫ ବୋଟ୍
ମୁଣ୍ଡଳି ବ୍ୟାରେଜ୍ ନିକଟରେ ଫସି ରହିଥିବା ଦନ୍ତା ହାତୀକୁ ଉଦ୍ଧାର ବେଳେ ଅଘଟଣ । ଓଲଟିଲା ଓଡ୍ରାଫ ଟିମର ବୋଟ୍ ।
କଟକ: ମୁଣ୍ଡଳି ବ୍ୟାରେଜ୍ ନିକଟରେ ଫସି ରହିଥିବା ଦନ୍ତା ହାତୀକୁ ଉଦ୍ଧାର ବେଳେ ଅଘଟଣ । ଓଲଟିଲା ଓଡ୍ରାଫ ଟିମର ବୋଟ୍ । ରବର ବୋଟରେ ଅପରେସନରେ ସାମିଲ ଥିଲେ ଓଡ୍ରାଫ ଟିମର ସଦସ୍ୟ ଓ ଆଞ୍ଚଳିକ ଗଣମାଧ୍ୟମ ଓଟିଭି ଦୁଇ ପ୍ରତିନିଧି ।

ଓଡ୍ରାଫ୍ ଟିମ୍ ବୋଟ୍ ଯୋଗେ ହାତୀକୁ ଘଉଡ଼ାଇବାକୁ ଯିବାବେଳେ ବୋଟ୍ ଓଲଟି ପଡ଼ିଥିଲା । ଫଳରେ ବୋଟରେ ଥିବା ୬ ଜଣ ଓଡ୍ରାଫ୍ ସଦସ୍ୟ ଓ ଓଟିଭି ଦୁଇ ପ୍ରତିନିଧି ଭାସି ଯାଇଥିଲେ । ତେବେ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ସ୍ୱାସ୍ଥ୍ୟବସ୍ତା ଗୁରୁତର ଥିବାରୁ ସେମାନଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଛି ।
ଦନ୍ତା ହାତୀକୁ ଉଦ୍ଧାର ପାଇଁ ବନ ବିଭାଗ, ଅଗ୍ନିଶମ ବାହିନୀ ଓ ପୋଲିସର ମିଳିତ ଉଦ୍ୟମରେ ଅପରେସନ୍ ଗଜରାଜ ଚାଲିଛି । ପାଣି ଭିତରୁ ହାତୀକୁ ଉଦ୍ଧାର କରିବା ପାଇଁ ଲାଗିଛନ୍ତି ବନ ବିଭାଗର ୨୫ ଜଣ କର୍ମଚାରୀ । ସେହିପରି ଆଠଗଡ଼ ପୋଲିସର ୧ ପ୍ଲାଟୁନ, ଅଗ୍ନିଶମ ବାହିନୀର ୨୨ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି । ପାଣିର ସ୍ରୋତ ଓ ଲୋକଙ୍କ ଗହଳି ଯୋଗୁଁ ଦନ୍ତା ହାତୀକୁ ଉଦ୍ଧାର କରିବାରେ ସମସ୍ୟା ଉପୁଜିଛି ।
ସୂଚନାଯୋଗ୍ୟ, ଦୀର୍ଘ ୭ ଘଣ୍ଟାର ସଂଘର୍ଷ ପରେ କୂଳ ମୁହାଁ ହୋଇଥିବା ହାତୀଟି ପୁଣି ନଦୀ ମୁହାଁ ହୋଇଛି। ଅତ୍ୟଧିକ ଲୋକ ଗହଳି ଦେଖି ହାତୀଟି ମଝି ନଦୀକୁ ଚାଲି ଯାଇଛି। ଉଦ୍ଧାର ପାଇଁ ବନବିଭାଗ କର୍ମଚାରୀ ଉଦ୍ୟମ ଜାରି ରଖିଥିବା ବେଳେ ବୋଟ ଯୋଗେ ନଦୀକୁ ଯାଇଥିଲା ଓଡ୍ରାଫ୍ ଟିମ୍। ହେଲେ ହାତୀ ଉଦ୍ଧାର ଅପରେସନ ବେଳେ ବୋଟଟି ଦୁର୍ଘଟଣାଗ୍ରସ୍ତ ହୋଇଛି।
ଉଲ୍ଲେଖଯୋଗ୍ୟ, ଆଠଗଡ଼ ସୁକାସନ ଜଙ୍ଗଲରୁ ୧୮ ଟିକିଆ ହାତୀ ପଲ ମହାନଦୀ ପାର୍ ହୋଇ ବାଙ୍କୀ, ଡମପଡ଼ା-ଚନ୍ଦକା ଜଙ୍ଗଲ ଅଭିମୁଖେ ଯାଉଥିଲେ । ୧୭ଟି ହାତୀ ନଦୀ ପାର୍ ହୋଇଯାଇଥିବାବେଳେ ଏହି ହାତୀଟି ଭାସି ଯାଇଥିଲା । ଦନ୍ତା ଭାସିଯିବାରୁ ତାକୁ ଉଦ୍ଧାର କରିବା ଲାଗି ଆଉ ୨ ହାତୀ ନଦୀରେ ପୁଣି ପଶିଥିଲେ । ହେଲେ ସେ ୨ଟି ହାତୀ ମଧ୍ୟ ସୁଅରେ ଭାସି ମୁଣ୍ଡଳି ବ୍ୟାରେଜ ପାଖ ଅନନ୍ତପୁରରେ ଲାଗି ଉପରକୁ ଉଠିଛନ୍ତି । ହେଲେ ହାତୀଟି ଏ ଯାଏ ନଦୀ ଭିତରେ ଫସି ରହିଛି ।












Click it and Unblock the Notifications