ଆସନ୍ତାକାଲି ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ; ୪ ଲୋକସଭା ଓ ୨୮ ବିଧାନସଭା ଆସନରେ ପଡ଼ିବ ଭୋଟ୍
ସରିଲା ପ୍ରଚାର । ଆସନ୍ତାକାଲି ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ମେ' ୧୩ରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ସଂସଦୀୟ କ୍ଷେତ୍ର ଓ ଏହା ଅନ୍ତର୍ଗତ ୨୮ ବିଧାନସଭା ଆସନରେ ପଡ଼ିବ ଭୋଟ୍ ।
ପ୍ରଥମ ପର୍ଯ୍ୟାୟରେ ମୋଟ ୬୨ ଲକ୍ଷ ୮୭ ହଜାର ଭୋଟର ମତଦାନ କରିବେ । ସେମାନଙ୍କ ମଧ୍ୟରୁ ୩୦ ଲକ୍ଷ ୯୭ ହଜାର ପୁରୁଷ, ୩୧ ଲକ୍ଷ ୮୯ ହଜାର ମହିଳା ଭୋଟର ଅଛନ୍ତି । ମୋଟ ୭ ହଜାର ୩୦୩ କେନ୍ଦ୍ରରେ ଭୋଟର ମତଦାନ ହେବ । ଏଥିପାଇଁ ନିର୍ବାଚନ ହେବାକୁ ଥିବା ସବୁ ପୋଲିଂ ବୁଥକୁ ଇଭିଏମ ପଠାଯାଇଛି । ପୋଲିଂ ଅଧିକାରୀମାନେ ଇଭିଏମ ସହ ଭିଭିପାଟ ମେସିନ ସାଙ୍ଗରେ ଧରି ନିଜ ନିଜ ପୋଲିଂ ବୁଥକୁ ଯାଇଛନ୍ତି । ସମ୍ବେଦନଶୀଳ ବୁଥ ଗୁଡିକରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
ଇଭିଏମ୍, ଭିଭିପାଟ୍ ଓ ଆନୁସଙ୍ଗିକ ସରଞ୍ଜାମ ଧରି ବୁଥରେ ପହଞ୍ଚୁଛନ୍ତି ପୋଲିଂ ପାର୍ଟି । ମାଓପ୍ରବଣ ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି । ପ୍ରଥମ ପର୍ଯ୍ୟାୟ ପାଇଁ ମୋଟ୍ ୭ହଜାର ୩୦୩ ମତଦାନ କେନ୍ଦ୍ର କରାଯାଇଛି ।

୧୨ଶହ ୭୬ ଆଦର୍ଶ ବୁଥ୍ କରାଯାଇଛି । ୭୧୫ ବୁଥ୍ ସମ୍ପୂର୍ଣ୍ଣ ଭାବରେ ମହିଳାଙ୍କ ପାଇଁ ପରିଚାଳିତ । ୬୦ ମତଦାନ କେନ୍ଦ୍ରରୁ ଲାଇଭ୍ କରାଯିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି ।
ସେହିପରି ଲୋକସଭା ପାଇଁ ଦେଶରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ସରିଥିବା ବେଳେ ସୋମବାର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ହେବାର ଅଛି । ୯ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଂଚଳରେ ୯୬ ଟି ଆସନ ପାଇଁ ମତଦାନ ହେବ । ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି । ମେ ୧୩ ତାରିଖରେ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ଉତରପ୍ରଦେଶ, ପଶ୍ଚିମବଙ୍ଗ, ତେଲେଙ୍ଗାନା, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଝାଡଖଣ୍ଡ, ଜାମ୍ମୁ କାଶ୍ମୀରରେ ମତଦାନ ହେବ ।
ଆନ୍ଧ୍ରପ୍ରଦେଶରେ ସର୍ବାଧିକ ୨୫ଟି ଆସନରେ ଭୋଟିଂ ହେବାକୁ ଥିବା ବେଳେ ତେଲେଙ୍ଗାନରେ ୧୭, ଉତରପ୍ରଦେଶରେ ୧୩, ମହାରାଷ୍ଟ୍ରରେ ୧୧, ପଶ୍ଚିମବଙ୍ଗରେ ୯, ମଧ୍ୟପ୍ରଦେଶରେ ୮, ବିହାରରେ ୫, ଝାଡଖଣ୍ଡ ଏବଂ ଓଡ଼ିଶାରେ ୪ ଟି ଲେଖାଏଁ ଆସନ ଏବଂ ଜାମ୍ମୁ କାଶ୍ମୀରର ଗୋଟଏ ଆସନ ପାଇଁ ମତଦାନ ହେବ । ଏହି ପର୍ଯ୍ୟାୟରେ ଅଖିଳେଶ ଯାଦବ, ମହୁଆ ମୈତ୍ର, ଶତ୍ରୁଘ୍ନ ସିହ୍ନାଙ୍କ ଭଳି ନେତାଙ୍କ ଭାଗ୍ୟ ନିର୍ଧାରଣ ହେବ । ଏପ୍ରିଲ ୧୯ରୁ ଏପର୍ଯ୍ୟନ୍ତ ତିନିଟି ପର୍ଯ୍ୟାୟରେ ମୋଟ ୨୮୫ ଆସନରେ ମତଦାନ ହୋଇସାରିଛି ।












Click it and Unblock the Notifications