ଦୀଘା ଜଗନ୍ନାଥ ମନ୍ଦିର ବିବାଦ ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି ଏମିତି କିଛି କହିଲେ ଉପ ମୁଖ୍ୟମନ୍ତ୍ରୀ
ପଶ୍ଚିମବଙ୍ଗ ଦୀଘାଠାରେ ମହାପ୍ରଭୁଙ୍କ ବିଗ୍ରହ ପାଇଁ ବଳକା ଦାରୁ କାଠ ଦିଆଯିବାକୁ ନେଇ ବିବାଦ ଘନେଇବାରେ ଲାଗିଛି । ଗଣମାଧ୍ୟମରେ ଲଗାତାର ଏ ସଂପର୍କିତ ଖବର ପ୍ରକାଶ ପାଇବା ପରେ କୋଟି କୋଟି ଜଗନ୍ନାଥପ୍ରେମୀଙ୍କୁ ଆଘାତ ଦେଇଛି । ସେପଟେ ଏହି ପ୍ରସଙ୍ଗରେ ନାଁ ନନେଇ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। କହିଲେ ଯିଏ ହିନ୍ଦୁ ସଂସ୍କୃତି, ପରମ୍ପରା ସହ ଖେଳିବ କରିବ, ତାର ଫଳ ସେ ଭୋଗିବ। କେଉଁଠି ଧାମ ତିଆରି କରିବା, କି କେଉଁଠି ଶଙ୍କରାଚାର୍ଯ୍ୟଙ୍କୁ ରଖିବା, କି କେଉଁ ସମୁଦ୍ରକୁ ନାମକରଣ କରିବା କେଉଁ ମୁଖ୍ୟମନ୍ତ୍ରୀଙ୍କର ଦାୟିତ୍ଵ ନୁହେଁ। ଆମେ ସମସ୍ତେ ଜାଣିଛେ ପ୍ରଭୁ ଜଗନ୍ନାଥଙ୍କ ଧାମ କେଉଁଠି ଅଛି।
ପ୍ରକାଶ ଥାଉକି, ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ଉଦ୍ଦିଷ୍ଟ ଦାରୁରେ ଦିଅଁ ଗଢ଼ି ପଶ୍ଚିମବଙ୍ଗ ଦୀଘାରେ ନିର୍ମିତ ନୂଆ ଜଗନ୍ନାଥ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା କରାଯାଇଛି । ଆଉ କେହି ନୁହନ୍ତି ମହାପ୍ରଭୁଙ୍କ ଶ୍ରୀଅଙ୍ଗ ରକ୍ଷକ ଦଇତାପତି ନିଜେ ମୂର୍ତ୍ତି ତିଆରି କରାଇ ଦୀଘା ନେଇ ପ୍ରତିଷ୍ଠା କରାଇଛନ୍ତି । ମହାପ୍ରଭୁଙ୍କ ଏହି ଦାରୁ ମହାବିଭ୍ରାଟ ଜଣା ପଡ଼ିବା ପରେ ହଇଚଇ ସୃଷ୍ଟି ହୋଇଛି ।

୧୨ ବର୍ଷରେ ଥରେ ସ୍ୱପ୍ନାଦେଶରେ ପ୍ରାପ୍ତ ଏହି ଦୁର୍ଲ୍ଲଭ ଦାରୁର ବଳକା ଅଂଶ ଶ୍ରୀମନ୍ଦିର ମେଘନାଦ ପାଚେରି ଡେଇଁ କେମିତି ଦୀଘାରେ ପହଞ୍ଚିଲା ତାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି। ନିଜେ ଆଇନ ତଥା ଦେବୋତ୍ତର ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଦୀଘାରେ ପ୍ରତିଷ୍ଠା ହୋଇଥିବା ଜଗନ୍ନାଥ ମନ୍ଦିରରେ ପୁରୋଧା ସାଜିଥିବା ଦଇତାପତି ନିଯୋଗର ସଂପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କ ବୟାନବାଜିରୁ ହିଁ ଏହି ମହାବିଭ୍ରାଟ ଲୋକଲୋଚନକୁ ଆସିଛି।












Click it and Unblock the Notifications