ଡ୍ରାଇଭରଙ୍କ ଆନ୍ଦୋଳନ ପାଇଁ ଆକାଶ ଛୁଆଁ ପରିବା ଦର: ଦେଖନ୍ତୁ, କେଉଁ ପରିବା କେତେ ରେଟ୍ ?
ରାସ୍ତାରେ ଅଟକିଛି ହଜାର ହଜାର ଟ୍ରକ । ପରିବା ବୋଝେଇ ଟ୍ରକ ଠାରୁ ଆରମ୍ଭ କରି ତେଲ ଟ୍ୟାଙ୍କର ସବୁ ପରିବହନ ଏବେ ଠପ୍ ହୋଇ ଯାଇଛି । ଯାହା ଫଳରେ ପରିବା ବେପାରୀ ମନ ଇଛା ଦର ବଢାଇ ଦେଇଛନ୍ତି ।
ଭୁବନେଶ୍ୱର: ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି ଷ୍ଟିୟରିଂ ଛାଡ଼ ଆନ୍ଦୋଳନ । ଯେଉଁଥି ପାଇଁ ପରିବହନ ବ୍ୟବସ୍ଥା ବିଗିଡ଼ିବାରେ ଲାଗିଛି । ରାସ୍ତାରେ ଅଟକିଛି ହଜାର ହଜାର ଟ୍ରକ । ପରିବା ବୋଝେଇ ଟ୍ରକ ଠାରୁ ଆରମ୍ଭ କରି ତେଲ ଟ୍ୟାଙ୍କର ସବୁ ପରିବହନ ଏବେ ଠପ୍ ହୋଇ ଯାଇଛି । ଯାହା ଫଳରେ ପରିବା ବେପାରୀ ମନ ଇଛା ଦର ବଢାଇ ଦେଇଛନ୍ତି । କଟକ ଛତ୍ର ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଏଥି ସହିତ ସବୁଆଡେ ପରିବା ଦର ବଢ଼ି ଚାଲିଛି ।

ଛତ୍ରବଜାରକୁ ବିଭିନ୍ନ ଜିଲ୍ଲାରୁ ତଥା ରାଜ୍ୟ ବାହାରୁ ପ୍ରତିଦିନ କୁଇଣ୍ଟାଲ କୁଇଣ୍ଟାଲ ପନିପରିବା ଓ ଫଳ ଆସୁଥିବା ବେଳେ ଏବେ ଏହି ସ୍ଥାନ ଖାଁ ଖାଁ ଦିଶୁଛି । ଗୋଟିଏ ପଟେ ପନିପରିବାର ଅଭାବ ଦେଖିବାକୁ ମିଳିଥିବା ବେଳେ ଅନ୍ୟପଟେ ପରିବା କିଲୋ ପିଛା ୫ରୁ ୧୦ ଟଙ୍କା ଯାଏ ବଢ଼ି ଗଲାଣି। ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଦୋକାନଗୁଡ଼ିକରେ ଲୋକଙ୍କ ଭିଡ଼ ମଧ୍ୟ ବଢ଼ିଲାଣି। ସେହିପରି ମାଛ, ଚିକେନ୍, ଅଣ୍ଡାର ଅଭାବ ପରିଲଖିତ ହେବା ସହ ଦର ମଧ୍ୟ ବୃଦ୍ଧି ପାଇବ ।
- ପରିବା ଦର ଗତକାଲି ଆଜି
- ପୋଟଳ ୮୦ ଟଙ୍କା ୧୪୦ ଟଙ୍କା
- ଭେଣ୍ଡି ୪୦ ଟଙ୍କା ୫୦ ଟଙ୍କା
- ଜହ୍ନି ୪୦ ଟଙ୍କା ୫୦ ଟଙ୍କା
- ବାଇଗଣ ୩୦ ଟଙ୍କା ୪୦ ଟଙ୍କା
- କଲରା ୩୦ ଟଙ୍କା ୪୦ ଟଙ୍କା
- ଟମାଟୋ ୨୦ ଟଙ୍କା ୨୫ ଟଙ୍କା
ସେପଟେ ରାସ୍ତାରେ ଅଟକି ରହିଛି ତେଲ ଟ୍ୟାଙ୍କର । ଆନ୍ଦୋଳନର ଦ୍ୱିତୀୟ ଦିନରେ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ପେଟ୍ରୋଲ ଟାଙ୍କିରେ ତେଲ ସରି ସରି ଆସୁଛି । ରାଜଧାନୀର କିଛି ପେଟ୍ରୋଲ ଟାଙ୍କି ବନ୍ଦ ହୋଇଯାଇଥିବା ବେଳେ କିଛି ପେଟ୍ରୋଲ ଟାଙ୍କିରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି । ପେଟ୍ରୋଲ ପାଇଁ ଦୁଇ ଚକିଆ ଓ ଚାରଚକିଆ ଗାଡ଼ିର ଲମ୍ବା ଲାଇନ ଲାଗିଛି । ସେହିପରି ରନ୍ଧନ ଗ୍ୟାସ ପରିବହନ ମଧ୍ୟ ବାଧାପ୍ରାପ୍ତ ହୋଇଛି ।












Click it and Unblock the Notifications