ଜାରି ରହିଛି ଡ୍ରାଇଭର ମହାସଂଘର ଆନ୍ଦୋଳନ, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଲୋଡିଲେ...
ଆଜି ତୃତୀୟ ଦିନରେ ପହଞ୍ଚିଛି ଡ୍ରାଇଭର ମହାସଂଘର ଆନ୍ଦୋଳନ । ମୁଖ୍ୟମନ୍ତ୍ରୀ ଘୋଷଣା ନ କରିବା ପର୍ଯ୍ୟନ୍ତ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚାଲିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।

ଭୁବନେଶ୍ୱର: ଆଜି ତୃତୀୟ ଦିନରେ ପହଞ୍ଚିଛି ଡ୍ରାଇଭର ମହାସଂଘର ଆନ୍ଦୋଳନ । ଆଜି ଡ୍ରାଇଭର ମହାସଂଘ ଆନ୍ଦୋଳନରୁ ଓହରିବ ବୋଲି ଆଶା କରାଯାଉ ଥିଲା। ଗତକାଲି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଡ୍ରାଇଭର ମହାସଂଘର ଏକ ବୈଠକ ବସିଥିଲା । ସରକାର ତିନି ମାସରେ ଦାବି ଗୁଡ଼ିକର ସମାଧାନ ପାଇଁ ପ୍ରତିଶ୍ରୁତ ଦେଇଥିଲେ ।
ମାତ୍ର ମୁଖ୍ୟମନ୍ତ୍ରୀ ଘୋଷଣା ନ କରିବା ପର୍ଯ୍ୟନ୍ତ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚାଲିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି । 'ସରକାରଙ୍କ କଥାରେ ଭରସା ନାହିଁ। ପୂର୍ବରୁ ବହୁ ଥର ପ୍ରତିଶ୍ରୁତି ଦେଇ ବି ତାହାକୁ ପୂରଣ କରି ନାହାନ୍ତି। ତେଣୁ ଏଥର ପ୍ରତିଶ୍ରୁତି ନୁହେଁ, ଆମକୁ ଘୋଷଣା ଦରକାର। ଖୋଦ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରନ୍ତୁ। ' ବୋଲି ଭିଡିଓ ବାର୍ତ୍ତାରେ ସଙ୍ଘ କହିଛି ।
ସୂଚନାଯୋଗ୍ୟ, ଗତକାଲି ଡ୍ରାଇଭର ଏକତା ମହାସଂଘର କର୍ମକର୍ତ୍ତାମାନଙ୍କର ମୁଖ୍ୟ ଶାସନ ସଚିବଙ୍କ ସହ ଏକ ବୈଠକ ହୋଇଥିଲା। ଏଥିରେ ବିଧାୟକ ପ୍ରଣବ ପ୍ରକାଶ ଦାସ ବି ଉପସ୍ଥିତ ଥିଲେ। ଆସନ୍ତା ୩ ମାସ ମଧ୍ୟରେ ଡ୍ରାଇଭର ଏକତା ମହାସଂଘର ଦାବିଗୁଡିକୁ ସମାଧାନ କରାଯିବ ବୋଲି ମୁଖ୍ୟ ଶାସନ ସଚିବଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା କୁହାଯାଇଥିଲା। ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟରୁ ଏନେଇ ଡ୍ରାଇଭର ଏକତା ମହାସଂଘର ଆବାହକଙ୍କୁ ଚିଠି ଲେଖି ସୂଚନା ଦିଆ ଯାଇଥିଲା।
ସେପଟେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ହଜାର ହଜାର ଡ୍ରାଇଭର ଆନ୍ଦୋଳନରେ ବସିଛନ୍ତି । ତେଣୁ ତୁରନ୍ତ ସେମାନଙ୍କୁ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ ଓ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ।
ଉଲ୍ଲେଖଥାଉ କି, ୧୦ ଦଫା ଦାବି ନେଇ ରାଜ୍ୟ ଡ୍ରାଇଭର ମହାସଂଘ ପକ୍ଷରୁ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଡାକରା ଆଜି ତୃତୀୟ ଦିନରେ ପହଂଚିଛି। ବ୍ଲକ୍, ପଞ୍ଚାୟତଠାରୁ ଆରମ୍ଭ କରି ରାଜରାସ୍ତା ଯାଏ, ସବୁଠି ଡ୍ରାଇଭରମାନେ ଏକାଠି ହୋଇ ପ୍ରତିବାଦ ଚଳାଇଛନ୍ତି ।












Click it and Unblock the Notifications