୨୮ରେ ଓସିଏ ନିର୍ବାଚନ, ବବି ଦାସଙ୍କ ଏଣ୍ଟ୍ରୀକୁ ସରଗରମ କ୍ରିକେଟ ରାଜନୀତି
ଆସନ୍ତା ୨୮ ତାରିଖରେ ହେବାକୁ ଯାଉଛି ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ନିର୍ବାଚନ। ରାଜ୍ୟର ସବୁଠୁ ଧନୀ କ୍ରୀଡ଼ା ସଂଘର କର୍ମକର୍ତ୍ତା ନିର୍ବାଚନ ଲାଗି ଓସିଏ ନିର୍ବାଚନ ଅଧିକାରୀ ତାରିଖ ଘୋଷଣା କରିଛନ୍ତି ।
କଟକ: ଆସନ୍ତା ୨୮ ତାରିଖରେ ହେବାକୁ ଯାଉଛି ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ନିର୍ବାଚନ। ରାଜ୍ୟର ସବୁଠୁ ଧନୀ କ୍ରୀଡ଼ା ସଂଘର କର୍ମକର୍ତ୍ତା ନିର୍ବାଚନ ଲାଗି ଓସିଏ ନିର୍ବାଚନ ଅଧିକାରୀ ତାରିଖ ଘୋଷଣା କରିଛନ୍ତି । ଆସନ୍ତା ୨୧ ତାରିଖ ପ୍ରାର୍ଥୀ ପତ୍ର ଦାଖଲର ଶେଷ ତାରିଖ । ସେହିପରି ୨୨ ତାରିଖରେ ପ୍ରାର୍ଥୀ ପତ୍ର ଯାଞ୍ଚ ଏବଂ ୨୩ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି ।

ଓସିଏର ସଭାପତି, ସଂପାଦକ ସହ ମୋଟ ୫ଟି ପଦବୀ ପାଇଁ ଏହି ନିର୍ବାଚନ କରାଯିବ । ତା' ସହ ଜଣେ ଆପେକ୍ସ କାଉନସିଲ ମେମ୍ବରଙ୍କ ପାଇଁ ମଧ୍ୟ ନିର୍ବାଚନ ହେବ। ଚଳିତ ଥର ଏହି ନିର୍ବାଚନରେ ମୋଟ ୭୦ଟି କ୍ରୀଡ଼ା ସଂଗଠନ ଓ ୩ ଜଣ ଅନ୍ତର୍ଜାତୀୟ କ୍ରିକେଟର ମତଦାନ କରିବେ ।
ତେବେ ସବୁଠାରୁ ରୋଚକ ବିଷୟ ହେଉଛି ଯାଜପୁରର ବିଧାୟକ ତଥା ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଙ୍କ ଏଣ୍ଟ୍ରୀ । ବବି ଦାସ ଚଳିତ ଥର ଯାଜପୁର ଜିଲ୍ଲାକୁ ପ୍ରତିନିଧିତ୍ୱ କରୁଛନ୍ତି । ବିଧାୟକ ନିର୍ବାଚନ ଲଢ଼ିପାରିବେ ବୋଲି ସୁପ୍ରିମ୍କୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ପରେ ବବିଙ୍କ ନାମ ଯାଜପୁରରୁ ଆସିଥିବା କୁହାଯାଉଛି । ତେବେ ସେ କୌଣସି ପଦବି ପାଇଁ ପ୍ରତିଦ୍ବନ୍ଦ୍ବିତା କରିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ତେବେ ଏହାକୁ ନେଇ ଏବେ କ୍ରୀଡ଼ା ରାଜନୀତି ସରଗରମ ହୋଇଛି ।

ସେହିପରି ଅନ୍ୟତମ ଚର୍ଚ୍ଚିତ ଚେହେରା ତଥା ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ଏଥର କ୍ଲବ୍ ବଦଳାଇ ରାଇଜିଂ ଷ୍ଟୁଡେଣ୍ଟ୍ ପରିବର୍ତ୍ତେ ଜୟଦୁର୍ଗାରୁ ପ୍ରତିନିଧି ଭାବେ ଓସିଏ ସାଧାରଣ ବୈଠକରେ ଉପସ୍ଥିତ ରହିବେ । ଓସିଏର ସଭାପତି ପଙ୍କଜ ଲୋଚନ ମହାନ୍ତି କଟକ ଜିଲ୍ଲାକୁ ଓ ସମ୍ପାଦକ ସଂଜୟ ବେହେରା ରାଇଜିଂ ଷ୍ଟୁଡେଣ୍ଟ କ୍ଲବ୍କୁ ପ୍ରତିନିଧିତ୍ବ କରିବେ । ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ଯାଉଥିବା ଗତ ଥରର ପରାଜିତ ସମ୍ପାଦକ ପ୍ରାର୍ଥୀ ନବରଂଜନ ପଟ୍ଟନାୟକ ସନସାଇନ୍ କ୍ଲବ୍ ତରଫରୁ ଭୋଟ ଦେବେ । ଏହାବାଦ୍ ଆନ୍ତର୍ଜାତିକ କ୍ରିକେଟର୍ ଦେବାଶିଷ ମହାନ୍ତି, ସଂଜୟ ରାଉଳ, ଶିବସୁନ୍ଦର ଦାସଙ୍କ ନାମକୁ ମଧ୍ୟ ଭୋଟର ତାଲିକାରେ ସ୍ଥାନ ଦିଆଯାଇଛି ।












Click it and Unblock the Notifications