କଂଗ୍ରେସ ପକ୍ଷରୁ ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀ ପାଳିତ
ଭାରତରତ୍ନ ସ୍ୱର୍ଗତା ଇନ୍ଦିରା ଗାନ୍ଧୀଙ୍କର ୧୦୩ ତମ ଜୟନ୍ତୀ ଉତ୍ସବ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ଭବନ ଠାରେ ପାଳିତ ହୋଇଯାଇଛି ।
ଭୁବନେଶ୍ୱର: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ସ୍ୱର୍ଗତା ଇନ୍ଦିରା ଗାନ୍ଧୀଙ୍କର ୧୦୩ ତମ ଜୟନ୍ତୀ ଉତ୍ସବ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ଭବନ ଠାରେ ପାଳିତ ହୋଇଯାଇଛି । ସକାଳେ ସ୍ଥାନୀୟ ଇନ୍ଦିରାପାର୍କ ଠାରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ନେତୃବୃନ୍ଦ ଇନ୍ଦିରାଜୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ ।

ସେଠାରେ ରାଜ୍ୟସ୍ତରୀୟ ଇନ୍ଦିରା ଗାନ୍ଧୀ ସ୍ମୃତି ସମିତି ଅଧ୍ୟକ୍ଷ ସୁରେଶ କୁମାର ରାଉତରାୟ ଓ ସାଧାରଣ ସଂପାଦକ ଶ୍ରୀ ଅମୀୟ କୁମାର ପଟ୍ଟନାୟକଙ୍କ ପକ୍ଷରୁ ଆୟୋଜିତ ସ୍ମୃତି ସଭାରେ ପିସିସି ସଭାପତି ସ୍ମୃତିଚାରଣ କରି କହିଛନ୍ତି, ଇନ୍ଦିରା ଗାନ୍ଧୀ ଦେଶର ଆତ୍ମାକୁ ଚିହ୍ନିଥିଲେ । ସେ ଅତ୍ୟନ୍ତ ଦୃଢ଼ମନା ମହିଳା ଥିଲେ ଓ ନୀତିରୁ କେବେ ମୁଣ୍ଡ ନୁଆଉଁନଥିଲେ । ଭାରତବର୍ଷକୁ ପୃଥିବୀରେ ସର୍ବଶ୍ରେଷ୍ଠ କରିବା ପାଇଁ ସେ ଅନେକ ଐତିହାସିକ ପଦକ୍ଷେପ ଗ୍ରହଣ କରିଥିଲେ ।
ସ୍ମୃତିଚାରଣ କରି କଂଗ୍ରେସ ନେତୃବୃନ୍ଦ ଶରତ ପଟ୍ଟନାୟକ, ରାମଚନ୍ଦ୍ର ଖୁଂଟିଆ, ଗଣେଶ୍ୱର ବେହେରା, ବିଶ୍ୱଜିତ ଦାଶ ପ୍ରମୁଖ ଇନ୍ଦିରାଜୀଙ୍କ କାର୍ଯ୍ୟଦକ୍ଷତା ଓ ଆଦର୍ଶ ସଂପର୍କରେ ଆଲୋକପାତ କରିଥିଲେ । ଶେଷରେ ବିଶିଷ୍ଟ ଆଇନଜୀବୀ ଶିବାନନ୍ଦ ରାୟ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ପିସିସି କାର୍ଯ୍ୟାଳୟଠାରେ କଂଗ୍ରେସ ଦଳ ପକ୍ଷରୁ ଇନ୍ଦିରାଜୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା ।












Click it and Unblock the Notifications